ମିନତି ମିଶ୍ର

ଜମ୍ମୁ କଶ୍ମୀରରେ ଗତ କିଛି ଦିନ ହେଲା ବଢ଼ି ଯାଇଛି ଆତଙ୍କବାଦୀ ଆକ୍ରମଣ। ଖାଲି ସେନା ନୁହେଁ, ସାଧାରଣ ଜନତା, ପ୍ରବାସୀ ଶ୍ରମିକ ବି ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ। ଶୁକ୍ରବାର ବଡଗାଁଓରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ।

ଶୁକ୍ରବାର ୩ରୁ ୪ ଜଣ ଆତଙ୍କବାଦୀ ସେନା କ୍ୟାମ୍ପ ଉପରକୁ ଆଖିବୁଜା ଫାୟାରିଂ କରିଥିଲେ। ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଏସଓଜି ପୋଲିସ ଏବଂ ସେନା ଯବାନଙ୍କ ଗୁଳିମାଡ଼ରେ ଆତଙ୍କବାଦୀମାନେ ଖସି ପଳାଇ ଯାଇଥିଲେ। ଆତଙ୍କୀଙ୍କୁ ଧରିବା ପାଇଁ ସାରା ଅଞ୍ଚଳରେ ପୋଲିସ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି।

ଶୁକ୍ରବାର ଆତଙ୍କୀ ଆକ୍ରମଣରେ ୨ ଜଣ ପ୍ରବାସୀ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ୨୦ ବର୍ଷୀୟ ଉସମାନ ମଲ୍ଲିକ ଏବଂ ୨୫ ବର୍ଷୀୟ ସୁଫିୟାନ। ଉଭୟ ଉତ୍ତରପ୍ରଦେଶର ହୋଇଥିବା ସୂଚନା ମିଳିଛି। ଜଣଙ୍କର ଗୋଡ଼ରେ ଗୁଳି ବାଜିଥିବାବେଳେ ଜଣଙ୍କର ହାତରେ ଗୁଳି ବାଜିଛି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଲକ୍ଷ୍ୟ କଲେ ଏକଥା ସ୍ପଷ୍ଟ ହେଉଛି ଯେ, ଆତଙ୍କୀମାନେ ସାଧାରଣ ଜନତା ଏବଂ ପ୍ରବାସୀ ଶ୍ରମିକଙ୍କୁ ବେଶି ଟାର୍ଗେଟ କରୁଛନ୍ତି।

ଅକ୍ଟୋବର ୨୦୨୪ର ଆତଙ୍କବାଦୀ ଆକ୍ରମଣ

ଅକ୍ଟୋବର ୧୮ – ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କୀମାନେ ବିହାରର ଶ୍ରମିକ ଅଶୋକ କୁମାରକୁ ଟାର୍ଗେଟ କରିଥିଲେ। ଆଖିବୁଜା ଗୁଳି କରି ତାଙ୍କୁ ହତ୍ୟା କରିଥିଲେ।

ଅକ୍ଟୋବର ୨୦ – ଲସ୍କର ଆତଙ୍କବାଦୀ ଗାନ୍ଦରବଲର ଗଗନଗରୀରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲେ। ଏଠାରେ ନିର୍ମାଣାଧୀନ ଏକ ସୁଡ଼ଙ୍ଗରେ କାମ କରୁଥିବା ଶ୍ରମିକମାନଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ। ଏହି ଆକ୍ରମଣରେ ୬ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ସନ୍ଧ୍ୟାରେ କାମସାରି କ୍ୟାମ୍ପକୁ ଫେରିବା ପରେ ରାତ୍ରିଭୋଜନ କରୁଥିଲେ। ଏହି ସମୟରେ ଆକ୍ରମଣ ହୋଇଥିଲା। ଲସ୍କର-ଏ-ତୋଏବା ଆତଙ୍କବାଦୀ ଗୋଷ୍ଠୀର ଏକ ସଂଗଠନ ‘ଦ ରେଜିଷ୍ଟ୍ରେନ୍ସ ଫ୍ରଣ୍ଟ’ ଏହି ଆକ୍ରମଣ କରିଥିବା ସ୍ୱୀକାର କରିଥିଲା।  

ଅକ୍ଟୋବର ୨୪ – ଗୁଲମର୍ଗରେ ଆତଙ୍କବାଦୀମାନେ ସେନାକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିଲେ। ଏହାବ୍ୟତୀତ ସେନାବାହିନୀ ପାଇଁ କାମ କରୁଥିବା ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା।

ସେହି ଅକ୍ଟୋବର ୨୪ ତାରିଖ ସକାଳେ ବଟଗୁଣ୍ଡ ଇଲାକାରେ ଆତଙ୍କୀମାନେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଥିଲେ। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରମିକ ଜଣକ ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଥିଲେ।

ଅକ୍ଟୋବର ୨୮ – ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରର ଜୋଗବାନ ଇଲକାରେ ଆତଙ୍କୀମାନେ ଏଲଓସି ନିକଟରେ ଏକ ଗାଡ଼ି ଉପରକୁ ଫାୟାରିଂ କରିଥିଲେ। ଏହି ଘଟଣା ସକାଳ ସାଢ଼େ ୭ଟାରେ ଘଟିଥିଲା। ସେ ସମୟରେ ଯବାନମାନେ ଭଟ୍ଟଲରୁ ଅଖନୁର ଯାଉଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ସେନା ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିଲା।

Tags: #TerrorAttack #JammuKasmir #SecurityForces #Terrorists

LEAVE A REPLY

Please enter your comment!
Please enter your name here