ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ୍-ଉଦ୍-ଦାଓ୍ଵା (ଜେୟୁଡି)ର ମୁଖ୍ୟ ହାଫିଜ୍ ସୟିଦ୍‌କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ସହ ସମ୍ପୃକ୍ତ ଦୁଇଟି ମାମଲାର ବିଚାର କରି ପାକିସ୍ତାନର ଆଣ୍ଟି-ଟେରୋରିଜିମ୍ କୋର୍ଟ ହାଫିଜ୍‌କୁ ଏହି ସଜା ଶୁଣାଇଛନ୍ତି।

ହାଫିଜ୍‌ର ତିନି ଘନିଷ୍ଠ ସହଯୋଗୀ ତଥା ଜମାତ୍-ଉଦ୍-ଦାଓ୍ଵାର ସଦସ୍ୟଙ୍କୁ ମଧ୍ୟ କୋର୍ଟ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଜଫର ଇକ୍‌ବାଲ ଓ ୟାହୟା ମୁଜାହିଦ୍ ଓ ଅବ୍‌ଦୁଲ ରହମାନ ମକ୍କି।

ଗତବର୍ଷ ଜୁଲାଇ ୧୭ ତାରିଖରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଅଭିଯୋଗରେ ହାଫିଜ୍‌କୁ ଗିରଫ କରାଯାଇଥିଲା। ତା ନାଁରେ ଏଭଳି ୪ଟି ମାମଲା ରହିଛି। ତେବେ ଚଳିତବର୍ଷ ଫେବ୍ରୁଆରି ମାସରେ ସେଥିରୁ ୨ଟି ମାମଲାର ବିଚାର ହୋଇଥିଲା। ଏହି ଦୁଇ ମାମଲାରେ ଲାହୋରର ଆଣ୍ଟି-ଟେରୋରିଜିମ୍ କୋର୍ଟ ସୟିଦ୍‌କୁ ୧୧ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ସେବେଠାରୁ ସେ ଲାହୋରର କୋଟ୍ ଲଖ୍‌ପତ୍ ଜେଲ୍‌ରେ ସଜା କାଟୁଛି।କାଉଣ୍ଟର ଟେରୋରିଜିମ୍ ଡିପାର୍ଟମେଣ୍ଟ (ସିଟିଡି) ଦ୍ଵାରା ଜମାତ୍-ଉଦ୍-ଦାଓ୍ଵାର ନେତାଙ୍କ ବିରୋଧରେ ମୋଟ ୪୧ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୪ଟି ମାମଲାର ବିଚାର ହୋଇସାରିଛି। ଏଥିସହ ସୟିଦ୍ ବିରୋଧରେ ଏବେ ଟଙ୍କା ହେର୍‌ଫେର୍, ଜମି ହଡ଼ପ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପରି ଅପରାଧିକ ମାମଲାର ବିଚାର ଚାଲିଛି।

ହାଫିଜ୍ ସୟିଦ୍ ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଏହି ଆକ୍ରମଣରେ ୧୬୬ ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏବେ ସେ ଭାରତର ମୋଷ୍ଟଓ୍ଵାଣ୍ଟେଡ୍ ଅପରାଧୀ ତାଲିକାରେ ରହିଛି।

Comment