ଓଡ଼ିଶାଲାଇଭ୍ ବ୍ୟୁରୋ

୨୬/୧୧ ମୁମ୍ବାଇ ଆକ୍ରମଣକୁ ଶୁକ୍ରବାର ୧୨ ବର୍ଷ ପୂରିଛି। ଅନ୍ୟପଟେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍-ଉଦ୍-ଦାଓ୍ଵାର ମୁଖ୍ୟ ହାଫିଜ୍ ସୟିଦ୍‌କୁ ନେଇ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ସୟିଦ୍ ବର୍ତ୍ତମାନ ଜେଲ୍‌ରେ ନୁହେଁ, ବରଂ ତା’ ଘରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବା ଭାରତୀୟ ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଛି। ତେଣୁ ହାଫିଜ୍ ଜେଲ୍‌ରେ ଅଛି ବୋଲି କହି ଆସୁଥିବା ପାକିସ୍ତାନର ମିଛ ପୁଣି ଥରେ ଧରାପଡ଼ିଯାଇଛି।

ହାଫିଜ୍‌କୁ ଭାରତ ସମେତ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀ ଘୋଷଣା କରିସାରିଛି। କେବଳ ସେତିକି ନୁହେଁ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ମାମଲାରେ ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇସାରିଛି। କିନ୍ତୁ ଜେଲ୍‌ରେ ରହିବା ପରିବର୍ତ୍ତେ ବର୍ତ୍ତମାନ ସେ ଲୋହୋରର ଜୋହର ଟାଉନସ୍ଥିତ ନିଜ ବାସଭବନରେ ରହୁଛି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଆଣ୍ଟି-ଟେରୋରିଜିମ୍  କୋର୍ଟ ଗତ ଫେବ୍ରୁଆରି ମାସରେ ହାଫିଜ୍ ଓ ତାର ସହଯୋଗୀମାନଙ୍କୁ ୧୧ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ଶୁଣାଇଥିଲେ। ସେବେଠାରୁ ସେ ଲାହୋରର କୋଟ୍ ଲଖ୍‌ପତ୍ ଜେଲ୍‌ରେ ସଜା କାଟୁଥିବା ପାକିସ୍ତାନ କହିଥିଲା। ଏପରିକି ଗତ ନଭେମ୍ବର ୧୯ ତାରିଖରେ ଆଉ ଦୁଇଟି ମାମଲାର ବିଚାର କରି କୋର୍ଟ ହାଫିଜ୍‌ ଓ ତା’ର ତିନି ସହଯୋଗୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଥିଲେ।ତେବେ ଫାଇନାନ୍ସିଆଲ ଟାସ୍କ ଫୋର୍ସର କଳା ତାଲିକାରୁ ବର୍ତ୍ତିବା ପାଇଁ ପାକିସ୍ତାନ ଲୋକ ଦେଖାଣିଆ ଭାବେ ଏମିତି କରୁଥିବା ଭାରତ କହିଥିଲା। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରିବା ସହ ହାଫିଜ୍ ସୟିଦ୍ ଜେଲ୍‌ରେ ଥିବା କହିଥିଲା।

କିନ୍ତୁ ଏବେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନା ମୁତାବକ ସୟିଦ୍ କୋଟ ଲଖ୍‌ପତ୍ ଜେଲରେ ରହୁନାହିଁ। ବରଂ ଅଧିକାଂଶ ସମୟ ସେ ନିଜ ଘରେ ରହୁଛି। କେବଳ ସେତିକି ନୁହେଁ, ତା’ ପାଖକୁ ଅନେକ ଆତଙ୍କବାଦୀ ଆସୁଛନ୍ତି। ଏଥିସହ ନିଜ ଘରେ ରହି ସେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। କିନ୍ତୁ ପାକିସ୍ତାନ ସବୁ ଜାଣି ମଧ୍ୟ ଚୁପ୍ ରହିଛି।

କାଉଣ୍ଟର ଟେରୋରିଜିମ୍ ଡିପାର୍ଟମେଣ୍ଟ (ସିଟିଡି) ଦ୍ଵାରା ଜମାତ୍-ଉଦ୍-ଦାଓ୍ଵାର ନେତାଙ୍କ ବିରୋଧରେ ମୋଟ ୪୧ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୪ଟି ମାମଲାର ବିଚାର ହୋଇସାରିଛି। ଏଥିସହ ହାଫିଜ୍‌ ସୟିଦ୍ ବିରୋଧରେ ଏବେ ଟଙ୍କା ହେର୍‌ଫେର୍, ଜମି ହଡ଼ପ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପରି ଅପରାଧିକ ମାମଲାର ବିଚାର ଚାଲିଛି।

ହାଫିଜ୍ ସୟିଦ୍ ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଏହି ଆକ୍ରମଣରେ ୧୬୬ ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏବେ ସେ ଭାରତର ମୋଷ୍ଟଓ୍ଵାଣ୍ଟେଡ୍ ଅପରାଧୀ ତାଲିକାରେ ରହିଛି।

Comment