ଓଡ଼ିଶାଲାଇଭ୍ ବ୍ୟୁରୋ

କାନାଡାରେ ପୁଣି ଖାଲିସ୍ତାନୀଙ୍କ ଟାର୍ଗେଟରେ ହିନ୍ଦୁ ମନ୍ଦିର। ରବିବାର ଖାଲିସ୍ତାନ ସମର୍ଥକମାନେ କାନାଡାର ଏକ ହିନ୍ଦୁ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହ ଭକ୍ତଙ୍କୁ ମାରପିଟ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହିନ୍ଦୁମାନଙ୍କ ଉପରେ ହୋଇଥିବା ଏପରି ଆକ୍ରମଣକୁ କଡ଼ା ସମାଲୋଚନା କରାଯାଇଛି।
କାନାଡାର ବ୍ରାମ୍ପଟନସ୍ଥିତ ହିନ୍ଦୁ ସଭା ମନ୍ଦିରକୁ ରବିବାର ଭାରତୀୟ ଦୂତାବାସର କିଛି ଅଧିକାରୀ ଯାଇଥିଲେ। ଏହି ସମୟରେ ମନ୍ଦିର ବାହାରେ ଖାଲିସ୍ତାନ ସମର୍ଥକମାନେ ସେମାନଙ୍କ ବିରୋଧ କରିଥିଲେ। ପରେ ସେମାନେ ଅନେକ ସଂଖ୍ୟାରେ ମନ୍ଦିର ପରିସରକୁ ପଶି ଯାଇଥିଲେ। ସେମାନେ ମନ୍ଦିର ଭିତରେ ଭଙ୍ଗାରୁଜା କରିବା ସହ ଭକ୍ତମାନଙ୍କୁ ଆକ୍ରମଣ କରିଥିଲେ।
ପୋଲିସର ଭୂମିକାକୁ ନେଇ ପ୍ରଶ୍ନ
ବ୍ରାମ୍ପଟନ ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ଆକ୍ରମଣ ସମୟର ଏକ ଭିଡିଓରେ କିଛି ଲୋକ ଖାଲିସ୍ତାନୀ ପତାକା ନେଇ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଲୋକାମାନେ ପତାକାରେ ଲାଗିଥିବା ବାଡିରେ ଲୋକମାନଙ୍କୁ ପିଟୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଦେଖିଲେ କାନାଡାର ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ଉଠିଛି।
ଘଟଣାସ୍ଥଳରେ କୌଣସି ସୁରକ୍ଷାକର୍ମୀ ବା ପୋଲିସଙ୍କୁ ଦେଖିବାକୁ ମିଳୁ ନାହିଁ। କାନାଡା ପୋଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ବି ପୂର୍ବରୁ ରହିଛି। ତେଣୁ ଏହି ଘଟଣାରେ ବି ସେମିତି କିଛି ହୋଇଥାଇପାରେ ବୋଲି ଅଭିଯୋଗ ହେଉଛି। ଏତେ ବଡ ଘଟଣା ହେବାପରେ ମଧ୍ୟ ଘଟିଯିବା ପରେ କାନାଡା ପୋଲିସ କାହାକୁ ଗିରଫ କରିନାହିଁ। ଏପରିକି ଅଭିଯୁକ୍ତମାନଙ୍କୁ ଏଯାଏଁ ମଧ୍ୟ ଚିହ୍ନଟ କରାଯାଇ ନାହିଁ ବୋଲି ସୂଚନା ମିଳିଛି।
ବରଦାସ୍ତ କରାଯିବନି
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଦେଶର ବିରୋଧୀ ଦଳ ନେତା ପିୟର ପଲିଭିୟର ଏବଂ ସାଂସଦ ଚନ୍ଦ୍ର ଆର୍ଯ୍ୟ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, “ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ। କାନାଡାରେ ସମସ୍ତଙ୍କୁ ନିଜ ନିଜ ଧର୍ମ ପାଳନ କରିବାର ଅଧିକାର ରହିଛି। ଏହି ଆକ୍ରମଣ ପଛରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ସେହିପରି କାନାଡା ସଂସଦର ବିରୋଧୀ ଦଳ ନେତା ପିୟରେ ପୋଇଲିଭରେ ଘଟଣାର କଡ଼ା ନିନ୍ଦା କରିଛନ୍ତି। ଏପରି ଆକ୍ରମଣ ଅତ୍ୟନ୍ତ ନୀନ୍ଦନୀୟ। କାନାଡାରେ ସବୁ ଧର୍ମର ଲୋକଙ୍କୁ ଶାନ୍ତିର ସହ ନିଜ ନିଜ ଧର୍ମ ପାଳନର ସ୍ୱାଧୀନତା ଦିଆଯିବା ଦରକାର ବୋଲି ସେ କହିଛନ୍ତି।
ସେହିପରି ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, “ଖାଲିସ୍ତାନୀମାନେ ଆଜି ସୀମା ପାରି କରି ଦେଇଛନ୍ତି। ସେମାନଙ୍କ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ସେମାନେ କାନାଡାର ହିଁ କ୍ଷତି ଘଟାଇବେ।”
ଏପରି ଆକ୍ରମଣ ପ୍ରଥମ ନୁହେଁ
କାନାଡାରେ ହିନ୍ଦୁମାନଙ୍କ ଉପରେ ଏପରି ଆକ୍ରମଣ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୨୪ ଜୁଲାଇ ମାସରେ ମଧ୍ୟ କାନାଡାର ଅଲବର୍ଟା ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିର ଭିତରେ ଖାଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ସେମାନେ ହିନ୍ଦୁ ବିରୋଧୀ ନାରା ଲଗାଇଥିଲେ। ସେହିପରି ଏଡମାନଣ୍ଟନରେ ଥିବା ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ବାହାରେ କଲର ସ୍ପ୍ରେୀରେ ହିନ୍ଦୁ ବିରୋଧୀ ଚିତ୍ର କରା ଯାଇଥିଲା। ୨୦୨୩ ଅଗଷ୍ଟ ମାସରେ ମଧ୍ୟ ଖାଲିସ୍ତାନୀମାନେ ଅନ୍ୟ କିଛି ମନ୍ଦିର ପରିସରରେ ହିନ୍ଦୁ ବିରୋଧୀ ଚିତ୍ର ଆଙ୍କିବା ସହ ନାରାବାଜି କରିଥିଲେ।
Tags: #HinduTemple #Vandalism #KhaistanTerrorism #Brampton #Canada


















