ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେଠୁ ଆଉ ଏକାକି ଉଡ଼ି ପାରିବନି ‘ଭିସ୍ତାରା’। ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସ ସହ ମିଶ୍ରଣ ପରେ ନିଜର ସ୍ଵତନ୍ତ୍ର ପରିଚୟ ହରାଇଛି ‘ଭିସ୍ତାରା’। ଭିସ୍ତାରା ବିମାନ ଏବେ ଏୟାର ଇଣ୍ଡିଆ ପରିଚୟରେ ଉଡ଼ିବ।

ଏୟାର ଇଣ୍ଡିଆ ଏୟାରଲାଇନ୍ସ ସହ ସୋମବାର ଦିନ ‘ଭିସ୍ତାରା’ର ବିଲୟ ହୋଇଛି। ଉଭୟ ଏୟାରଲାଇନ୍ସର ମିଳିତ ବିମାନ କତାରର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ପ୍ରଥମ ଉଡ଼ାଣ ଭରିଛି। ମଙ୍ଗଳବାର ସକାଳେ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିଛି।

ଏହି ମିଶ୍ରଣ ପରେ ଭିସ୍ତାରା ବିମାନଗୁଡ଼ିକ ଏବେ AI 2 କୋଡରୁ ଆରମ୍ଭ ହେବ। ଏହା ଦ୍ଵାରା ବୁକିଂ ସମୟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନ ଚିହ୍ନଟ କରିବାରେ ଯାତ୍ରୀଙ୍କ ପାଇଁ ସହଜ ହୋଇପାରିବ।

ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।

ଏୟାର ଇଣ୍ଡିଆ ଏବଂ ଭିସ୍ତାରା ମିଶ୍ରଣର ପ୍ରଥମ ମାସରେ ଭିସ୍ତାରା ଟିକେଟ ଥିବା ପ୍ରାୟ ୧ ଲକ୍ଷ ୧୫ ହଜାର ଯାତ୍ରୀ ଏବେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ। ଭିସ୍ତାରାରେ ଯେଉଁସବୁ ସୁବିଧା ମିଳିବାର ଥିଲା ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏହି ମିଶ୍ରଣ ପରେ ଭିସ୍ତାରାର ଗ୍ରାହକ ସେବା ପରିଚାଳନା ଏୟାର ଏଣ୍ଡିଆ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଯାତ୍ରୀମାନେ ଏୟାର ଇଣ୍ଡିଆର ଅଫିସିଆଲ ସାଇଟରେ ଭିସ୍ତାରା ପାଇଁ ଟିକେଟ ବୁକିଂ କରିପାରିବେ।

ଗତ ୨୦୧୩ ମସିହାରେ ଟାଟା ଗ୍ରୁପ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ମିଳିତ ଭାବେ ‘ଭିସ୍ତାରା ଏୟାରଲାଇନ୍ସ’ ର ପ୍ରତିଷ୍ଠା କରିଥିଲେ। ଏଥିରେ ଟାଟା କମ୍ପାନିର ସର୍ବାଧିକ ୫୧ ପ୍ରତିଶତ ମାଲିକାନା ରହିଥିବାବେଳେ ସିଙ୍ଗାପୁର ଏୟାର ଲାଇନ୍ସର ମାଲିକାନା ରହିଥିଲା ୪୯ ପ୍ରତିଶତ। ୨୦୨୨ ମସିହାରେ ଟାଟା ଗ୍ରୁପ ରାଷ୍ଟ୍ରାୟତ ବିମାନ କମ୍ପାନି ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା।

ଏଆର ଇଣ୍ଡିଆ ଅଧିଗ୍ରହଣ ପରେ ଭିସ୍ତାରର ମିଶ୍ରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୪ ସୁଦ୍ଧା ମିଶ୍ରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରହିଥିଲା।

Tags: #Vistara #AirIndia #Flight #VistaraAirIndiaMerger #TataGroup

LEAVE A REPLY

Please enter your comment!
Please enter your name here