ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଂଘାତିକ ସ୍ଥିତିରେ ପହଞ୍ଚିଛି। ବୟସ୍କ ଓ ଶିଶୁଙ୍କ ପାଇଁ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଏଠାରେ ଏୟାର କ୍ଵାଲିଟି ଇଣ୍ଡେକ୍ସ ୪୦୦ ପାର୍ କରିଛି, ଯାହାକୁ ଅତି ଗମ୍ଭୀର ବୋଲି କୁହାଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଏଠାରେ ଗ୍ରେଡେଡ୍ ରେସପନ୍ସ ପ୍ଲାନ (ଗ୍ରାପ-୩) ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ କଟକଣା ଲାଗୁ କରାଯାଇଛି।
ଗ୍ରାପ-୩ ନିର୍ଦ୍ଦେଶନାମା ଅନୁସାରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିହାତି ଦରକାର ନପଡିଲେ ଘରୁ ବାହାରିବାକୁ ମନା କରାଯାଇଛି। ଏପରି ପ୍ରଦୂଷଣ ଲାଗି ରହିଲେ ମଣିଷ ବହୁତ ବେଶି ରୋଗଗ୍ରସ୍ତ ହୋଇପଡିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ଗ୍ରାପ-୩ ନିର୍ଦ୍ଦେଶନାମା ଅନୁସାରେ ଶୁକ୍ରବାରରୁ କେଉଁ କେଉଁ କାର୍ଯ୍ୟ ଉପରେ ଏନସିଆରରେ କଟକଣା ଜାରି କରାଯାଇଛି ଆସନ୍ତୁ ଜାଣିବା।
- ଦିଲ୍ଲୀରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଏଥିସହିତ ଭଙ୍ଗାରୁଜା କାମକୁ ମଧ୍ୟ ନିଷେଧ କରାଯାଇଛି।
- ଦିଲ୍ଲୀ ଏନସିଆରରେ ନିହାତି ଜରୁରୀ ନ ଥିବା ଖନନ କାର୍ଯ୍ୟକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କାମ ବନ୍ଦ ରହିବ ବୋଲି କୁହାଯାଇଛି।
- ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା କରାଯାଇଛି। ତେବେ ବିଏସ-୬ ମାନଦଣ୍ଡ ଅନୁସାରେ ପେଟ୍ରୋଲ ଓ ଡିଜେଲ ବସ୍ ଚଳାଇବା ପାଇଁ ଅନୁମତି ରହିବ।
- ଦିଲ୍ଲୀ ଏନସିଆରରେ କେବଳ ଇଲେକ୍ଟ୍ରିକ ବସ୍ ଏବଂ ସିଏନଜି ବସ୍ ଚାଲିବା ପାଇଁ ଅନୁମତି ଦିଆଯାଇଛି।
- ଶିକ୍ଷାନୁଷ୍ଠାନଗୁଡିକରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଭର୍ଚୁଆଲ ମୋଡରେ ହେବ ବୋଲି କୁହାଯାଇଛି।
ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଗୁରୁବାର ୪୨୮ ପାର କରିଛି। ଏହା ବହୁତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏହା ମୁଖ୍ୟତଃ ଶିଶୁ ଏବଂ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ପକ୍ଷରୁ ସଡକରେ ମେଶିନ ସାହାଯ୍ୟରେ ସଫେଇ କାମ ବଢାଇବା ପାଇଁ କୁହାଯାଇଛି। ହଟସ୍ପଟ ଇଲାକାରେ ପାଣି ପକାଇବା ପାଇଁ କୁହାଯାଇଛି। ବିଶେଷ କରି ପିକ ଟ୍ରାଫିକ ସମୟରେ ପାଣି ପକାଇବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Tags: #AirPollution #GRAP-3 #AQI #DelhiNCR