ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକରେ ଲାଗୁ ହେବ ବାଲ୍ୟ ବିବାହ ପ୍ରଥା। ଏବେ ଏଠାରେ ଝିଅମାନଙ୍କ ବିବାହ ବୟସ ୧୮ ବର୍ଷରୁ କମାଇ ୯ ବର୍ଷ କରିବା ପାଇଁ ଯୋଜନା ଚାଲିଛି। ଏ ନେଇ ଆଇନ ସଂଶୋଧନର ପ୍ରସ୍ତାବ ଦିଆ ଯାଇଛି। ଏହାକୁ ନେଇ ଇରାକର ବିଭିନ୍ନ ସହରରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନୂଆ ଆଇନକୁ ନେଇ ଜୋରଦାର ଆଲୋଚନା ଚାଲିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଝଡ଼ ଦେଖା ଦେଲାଣି।
ଇରାକର ଶିୟା ଇସଲାମିକ ପାର୍ଟି ଦେଶର ବ୍ୟକ୍ତିଗତ ଷ୍ଟାଟସ ନିୟମ ୧୮୮ରେ ସଂଶୋଧନ କରିବା ପାଇଁ ବିଚାର କରୁଛନ୍ତି। ୧୯୫୯ରେ ଅନୁମୋଦିତ ଏହି ଆଇନ ପଶ୍ଚିମ ଏସିଆରେ ସବୁଠାରୁ ପ୍ରଗତିଶୀଳ ଆଇନ ଭାବେ ବିଚାର କରାଯାଉଥିଲା। ଏହି ଆଇନରେ ପୁରୁଷ ଏବଂ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ଆଇନଗତ ଭାବେ ୧୮ ବର୍ଷ ରଖାଯାଇଥିଲା। ପୁରୁଷଙ୍କ ଦ୍ଵିତୀୟ ପତ୍ନୀ ରଖିବା ଉପରେ ମଧ୍ୟ ଏଥିରେ ପ୍ରତିବନ୍ଧକ ରଖାଯାଇଥିଲା। ଏହି ଆଇନରେ ମୁସଲମାନ ପୁରୁଷଙ୍କୁ ବିନା କୌଣସି ସର୍ତ୍ତରେ ଅଣ-ମୁସଲିମ ମହିଳାଙ୍କୁ ବିବାହ କରିବାର ଅନୁମତି ବି ଦିଆ ଯାଇଥିଲା।
ତେବେ ଇରାକର ରୁଢ଼ିବାଦୀ ଶିୟା ଇସଲାମିକ ପାର୍ଟିର ମେଣ୍ଟ କୋଅର୍ଡିନେସନ ଫ୍ରେମୱର୍କ ଏହି ଆଇନର ସଂଶୋଧନ ପାଇଁ ଦାବି କରିଛନ୍ତି। ଦଳର ସାଂସଦ ରାୟଦ ଅଲ-ମଲିକିଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ପ୍ରସ୍ତାବରେ ମହିଳାଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷରୁ କମାଇ ୯ ବର୍ଷ କରିବା ପାଇଁ କୁହାଯାଇଛି। ସେହିପରି ପୁରଷଙ୍କ ବିବାହ ବୟସ ୧୮ ବର୍ଷରୁ କମାଇ ୧୫ ବର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବିତ ସଂଶୋଧନକୁ ଅନୁମତି ମିଳିଲେ ଇରାକରେ ବାଲ୍ୟ ବିବାହକୁ ଆଇନଗତ ସ୍ୱୀକୃତି ମିଳିଯିବ।
ପ୍ରସ୍ତାବରେ ଅନୁସାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜେ ତେବେ ବିବାହ ଚୁକ୍ତିନାମା ଅନୁସାରେ ସ୍ୱାମୀଙ୍କ ମତକୁ ଗ୍ରହଣ କରାଯିବ। ସଂଶୋଧନରେ ଶିୟା ଏବଂ ସୁନି ୱାକଫ କାର୍ଯ୍ୟାଳୟକୁ ବିବାହ ସ୍ୱୀକୃତି ଦେବାପାଇଁ ଅନୁମତି ମିଳିବ। ଏହି କାମ ପୂର୍ବରୁ ଅଦାଲତ କରୁଥିଲା।
ଏହି ସଂଶୋଧିତ ନିୟମ ଲାଗୁ କରାଯାଏ ତେବେ ମହିଳାଙ୍କୁ ଛାଡ଼ପତ୍ର, ସରଂକ୍ଷଣ, ପୈତୃକ ସମ୍ପତ୍ତିର ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ସିଆ ଇସଲାମିକ ପାର୍ଟିର କହିବା ଅନୁଯାୟୀ, ଯୁବତୀମାନଙ୍କୁ ଅନୈତିକ ସମ୍ପର୍କରୁ ବଞ୍ଚାଇବା ପାଇ ଏହି ଆଇନରେ ସଂଶୋଧନ କରାଯାଉଛି।
ତେବେ ଏହ ଆଇନ ଲାଗୁ କରିବା ନେଇ ବିବାଦ ସୃଷ୍ଟି ହୋଇଛି। ଇରାକ ହ୍ୟୁମାନ ରାଇଟ୍ସ ୱାଚ ପାଇଁ କାମ କରୁଥିବା ବିଶେଷଜ୍ଞ ସାରା ସାନବର କହିଛନ୍ତି, “ଏହି ସଂଶୋଧନ କେବଳ ମହିଳାଙ୍କ ଅଧିକାରକୁ ଦୁର୍ବଳ କରିଦେବନି ବରଂ ସମ୍ପୂର୍ଣ୍ଣ ଲୋପ କରିଦେବ”। ଏହି ଆଇନ ମହିଳାଙ୍କ ପାଇଁ ଏକ ବିପଦ ବୋଲି ଏହାକୁ ବିରୋଧ କରୁଥିବା ବ୍ୟକ୍ତିମାନେ କହିଛନ୍ତି।
Tags: #ChildMarriage #Girls #HumanRights #Iraq