ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୋବେଲ ଶାନ୍ତି ବିଜୟନୀ ନାଦିଆ
  • ଆଇଏସଆଇଏସ୍‌ ଆତଙ୍କୀଙ୍କ ଦ୍ୱାରା ହୋଇଥିଲେ ଅପହୃତ
  • ୩ ମାସ ଆତଙ୍କବାଦୀଙ୍କ କବ୍‌ଜାରେ ରହିଥିଲେ ନାଦିଆ

ଇରାକର ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ନାଦିଆ ମୁରାଦ। ବୟସ ତାଙ୍କର ୨୮ ବର୍ଷ।  ୨୦୧୮ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା। ୨୦୧୫ରୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ବିରୋଧ ସେ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି।  ଏବେ ଆଫାଗାନିସ୍ତାନରେ ତାଲିବାନ ଯେଉଁଭଳି ଆତଙ୍କ ଖେଳାଇଛନ୍ତି ତା’ ବିରୋଧରେ ସ୍ୱର ଉଠାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନାଦିଆ।

‘‘ଆଫଗାନିସ୍ତାନକୁ ଏବେ ତାଲିବାନ କବଜା କରି ନେଇଛି। ଏବେ ସେମାନେ ମହିଳାମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେବେ। ତେଣୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ତାଲିବାନ ବିରୋଧରେ ପଦକ୍ଷେପ ନିଅନ୍ତୁ, ଯାହାଦ୍ୱାରା ସେମାନେ ଆଫଗାନରେ ମହିଳାଙ୍କୁ ତାଙ୍କ ଅଧିକାର ଓ ସ୍ୱାଧୀନତା ଦେବେ’’, ଟୁଇଟରରେ ଏଭଳି ଲେଖିଛନ୍ତି ନାଦିଆ।

କିଏ ନାଦିଆ?

ନାଦିଆ ଉତ୍ତର ଇରାକର କୋଚୋ ଅଞ୍ଚଳର ଏକ ଛୋଟ ଗାଁରେ ୧୯୯୩ରେ ଜନ୍ମଗ୍ରହଣ କରିଥିଲେ। ୟାଜିଦି ସମ୍ପ୍ରଦାୟର ଝିଅ ନାଦିଆଙ୍କର ୬ ଜଣ ଭାଇଥିଲେ। ନାଦିଆ ପିଲାବେଳ ଜଣେ ଶିକ୍ଷକ ହେବେ ବୋଲି ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଯେତେବେଳେ ସେ ୨୧ ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୂନମାର ହୋଇଗଲା। କ୍ଷଣିକେ ତାଙ୍କ ଜୀବନ ବଦଳି ଗଲା। ୨୦୧୪ ସେପ୍ଟେମ୍ବର ୧୫ରେ ସେ ଆଇଏସଆଇଏସ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ ସେ।

ନାଦିଆ ତାଙ୍କ ଜୀବନୀ ‘ଦ ଲାଷ୍ଟ ଗର୍ଲ’ରେ ଏହି ଲୋମ ହର୍ଷଣକାରୀ ଘଟଣାକୁ ବର୍ଣ୍ଣନା କରିଛନ୍ତି, ଯାହାକୁ ପଢ଼ିଲେ ପାଠକର ନିଶ୍ଚୟ ଲୋମଟାଙ୍କୁରି ଉଠିବ।

ନାଦିଆ ଅପହୃତ ହେବାର ପୂର୍ବରୁ କିଛି ଆତଙ୍କବାଦୀ ତାଙ୍କ ଅଞ୍ଚଳକୁ ପଶି ଆସିଥିଲେ। ସମସ୍ତଙ୍କୁ ଇସଲାମ୍‌ ଧର୍ମ ଗ୍ରହଣ କରିବାକୁ ସେମାନେ ବାଧ୍ୟ କରିଥଲେ। ଯେଉଁମାନେ ଆତଙ୍କୀଙ୍କ କଥା ନମାନିଲେ ସେମାନଙ୍କୁ ଦିଆଗଲା ଅମାନବୀୟ ଦଣ୍ଡ ଓ ଆରମ୍ଭ ହେଲା ନରହତ୍ୟା। ଏଥିରେ ବଳି ପଡ଼ିଲେ ନାଦିଆଙ୍କ ଗାଁର ୩୦୦ରୁ ଅଧିକ ପୁରୁଷ। ସେଥିରେ ଥିଲେ ନାଦିଆଙ୍କର ୬ ଭାଇ। ଆଉ କିଛି ସମୟରେ ଗାଁ ପାଲଟିଗଲା ମଶାଣି। ସେତିକିରେ ଏହି ଆତଙ୍କବାଦୀଙ୍କ ମନ ମାନିନଥିଲା। ସେମାନେ ଗାଁର ସବୁ ଝିଅଙ୍କୁ ଜୋର ଜବରଦସ୍ତି ମୋସୁଲ ସହରକୁ ନେଇଥିଲେ। ସେଠାରେ ଝିଅମାନଙ୍କୁ ଯୌନ ଦାସୀ କରି ରଖିଥିଲେ। ଝିଅମାନଙ୍କୁ ଅକଥନୀୟ ଅତ୍ୟାଚାର କରିଥିଲେ। ଏହାର ମୁକସାକ୍ଷୀ ଥିଲେ ନାଦିଆ।

ଆତଙ୍କବାଦୀଙ୍କ ହାତରୁ ଖସି ପଳାଇ ଆସିଥିଲେ ନାଦିଆ

ଆତଙ୍କବାଦୀଙ୍କ କବ୍‌ଜାରେ ୩ ମାସ ରହିଥିଲେ ନାଦିଆ। ମାସ ମାସ ଧରି ଆତଙ୍କୀମାନେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଯାବତୀୟ ଅତ୍ୟାଚାର ସହିବା ପରେ ନାଦିଆଙ୍କ ଭାଗ୍ୟ ତାଙ୍କୁ ସାଥ୍‌ ଦେଇଥିଲା। ସେ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ତା’ପରେ ନାଦିଆ ଆରମ୍ଭ କରିଥିଲେ ବିପ୍ଳବ। ପ୍ରଥମ ଯୁବତୀଭାବେ ସେ ଜାତିସଂଘରେ ନିଜର ଅଙ୍ଗେନିଭା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ବିଭିନ୍ନ ଗଣମାଧ୍ୟମରେ ନାଦିଆଙ୍କ ଖବର ପ୍ରକାଶ ପାଇଲା। ତା‘ପରେ ତାଙ୍କୁ ୨୦୧୮ରେ ନୋବେଲ ଶାନ୍ତି ପୁରସ୍କାର ମୁକୁଟ ପିନ୍ଧାଗଲା।

ନାଦିଆଙ୍କ ପୁସ୍ତକ –  ଦ ଲାଷ୍ଟ ଗାର୍ଲ

ନାଦିଆ ମୁରାଦ ଜାତିସଂଘରେ ଆଇଏସ୍ଆଇଏସ୍ ଦ୍ୱାରା ହୋଇଥିବା ବର୍ବରତା ସମ୍ପର୍କରେ କହିବା ସହିତ ନିଜ ସହିତ ହୋଇଥିବା ଅତ୍ୟାଚାରକୁ ନେଇ ଏକ ପୁସ୍ତକ ମଧ୍ୟ ଲେଖିଥିଲେ। ତାଙ୍କ ପୁସ୍ତକର ନାଁ ହେଉଛି ‘ଦ ଲାଷ୍ଟ ଗର୍ଲ : ମାଇଁ ଷ୍ଟୋରି ଅଫ୍‌ କ୍ୟାପ୍‌ଟିଭିଟ ଆଣ୍ଡ ମାଇଁ ଫାଇଟ୍‌ ଏଗେନ୍‌ଷ୍ଟ ଦ ଇସଲାମିକ୍‌ ଷ୍ଟେଟ’। ଏଥିରେ ତାଙ୍କ ସହ ଘଟିଥିବା  ସେହି ହୃଦୟ ବିଦାରକ ଘଟଣାକୁ ସେ ବର୍ଣ୍ଣନା କରିଛନ୍ତି।

ନାଦିଆ ଏବେ ଦୁଷ୍କର୍ମ ବିରୋଧରେ ଅଭିଯାନ ଚଳାଇଛନ୍ତି। ସଚେତନତା ପାଇଁ ସେ ‘ନାଦିଆସ ଇନସିଏଟିଭ୍‌’ ନାଁରେ ଏକ ସଙ୍ଗଠନ କରିଛନ୍ତି।

Comment