ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ଓ ଇରାନ୍ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ଖରାପ ହେବା ସହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇସାରିଛି। ଏହାରି ମଧ୍ୟରେ ଗୁରୁବାର ଇରାନ୍ ଇରାକସ୍ଥିତ ଆମେରିକାର ଏୟାରବେସ୍ ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି।

ଗୁରୁବାର ଇରାନ୍ ଇରାକସ୍ଥିତ ଆମେରିକାର ଏୟାରବେସ୍ ଉପରେ ପୁଣିଥରେ ମିସାଇଲ୍ ମାଡ଼ କରିଥିଲା। କିନ୍ତୁ ଏଥିରେ କେତେ ଆମେରିକୀୟ ସୈନ୍ୟ ମୃତାହତ ହୋଇଛନ୍ତି ଜଣାପଡ଼ିନାହିଁ। ଗୁରୁବାର ମଧ୍ୟରାତ୍ରରେ ଇରାନ୍ ଆମେରିକାର ଏୟାରବେସକୁ ଲକ୍ଷ୍ୟ କରି ପ୍ରାୟ ୧୭ଟି ବାଲାଷ୍ଟିକ୍ ମିସାଇଲ୍ ଛାଡ଼ିଥିଲା। ଏଥିରୁ ଅନେକ ମିସାଇଲ୍ ଫେଲ୍ ମାରିଥିଲାବେଳେ ମାତ୍ର ଦୁଇଟି ମିସାଇଲ୍ ଏୟାରବେସରେ ସଠିକ୍ ଭାବେ ଆକ୍ରମଣ କରିପାରିଥିଲା। ଏହାଫଳରେ ଏୟାରବେସର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଯେଉଁ ମିସାଇଲଗୁଡ଼ିକ ନିଜର ଲକ୍ଷ୍ୟ ଭେଦ କରିବାରେ ଅସଫଳ ହୋଇଥିଲେ ସେ ସବୁ ଏୟାରବେସରୁ ୩୦ କିଲୋମିଟର ଦୂରରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।ଆମେରିକାର ସୈନ୍ୟ ଉପରେ ଇରାନର ଏହା ଦ୍ୱିତୀୟ ଥର ଆକ୍ରମଣ। ବୁଧବାର ଇରାକସ୍ଥିତ ଆମେରିକାର ସୈନ୍ୟ କ୍ୟାମ୍ପ ଉପରେ ଇରାନ ମିସାଇଲ୍ ମାଡ଼ କରିଥିଲା। ଏଥିରେ ଆମେରିକା ସୈନ୍ୟର ପ୍ରାୟ ୮୦ ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଇରାନ୍ ପକ୍ଷରୁ କୁହାଯାଇଥିଲା।

ଅନ୍ୟପଟେ କିନ୍ତୁ ଏଭଳି କଥାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ୱୀକାର କରିଥିଲେ। ଟ୍ରମ୍ପ କହିଥିଲେ, “ଇରାନ୍ ଆମର ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରିଛି ଏହା ସତ। କିନ୍ତୁ ଏଥିରେ କୌଣସି ଆମେରିକୀୟ ସୈନ୍ୟ ମୃତାହତ ହୋଇନାହାନ୍ତି।”ଏଥିସହିତ ସେ ଇରାନୀ କମାଣ୍ଡର କାସିମ୍ ସୁଲେମାନୀଙ୍କୁ ବିଶ୍ୱର ଜଣେ ବଡ଼ ଆତଙ୍କବାଦୀ କହିବା ସହ ଆମେରିକା ତାଙ୍କୁ ନିହତ କରି ଠିକ୍ କରିଛି ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାବାଦ୍ ତାଙ୍କର ରାଷ୍ଟ୍ରପତି ଥିବା ସମୟରେ ଇରାନ୍ କଦାପି ପରମାଣୁ ଶକ୍ତି ହାସଲ କରିପାରିବନି ବୋଲି କହିଛନ୍ତି ଟ୍ରମ୍ପ। ଇରାନ୍ ବର୍ତ୍ତମାନ ଆତଙ୍କବାଦର ସମର୍ଥନ କରିବା ବନ୍ଦ କରିବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରୁ ବୋଲି କହିଛନ୍ତି ଟ୍ରମ୍ପ।

ସେହିପରି ନିଜର କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଇରାନ୍। ସେଥିପାଇଁ ଆମେରିକାର ସୈନ୍ୟ କ୍ୟାମ୍ପ ଓ ଏୟାରବେସରେ ଲଗାତାର ଦୁଇ ଦୁଇଥର ଆକ୍ରମଣ କରିବା ସହ ଚ୍ୟାଲେଞ୍ଜ ଦେଇଛି ଇରାନ।

Comment