ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ୍ ୨୦୨୨ରେ ଶୁକ୍ରବାର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚରେ ସେନେଗାଲ ୩-୧ ଗୋଲରେ କତାରକୁ ପରାସ୍ତ କରିଛି। ସେହିପରି ତୃତୀୟ ମ୍ୟାଚଟି  ନେଦରଲାଣ୍ଡ ଓ ଇକ୍ୱେଡର ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିବାବେଳେ ଆମେରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଗୋଲଶୂନ୍ୟରେ ଡ୍ର ରହିଛି।

ଶୁକ୍ରବାର ଦିନ ୩ଟା ୩୦ ମିନିଟରେ ଗ୍ରୁପ୍–ବି ରେ ଇରାନ ଓ ୱେଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି। ଖେଳର ୯୦ମିନିଟ ଯାଏଁ ଉଭୟ ଦଳ ବହୁତ ଭଲ ଖେଳି କାହାରିକୁ କୌଣସି ଗୋଲ କରିବାକୁ ମଉକା ଦେଇନଥିଲେ। ଇରାନ ୨୧ଟି ସୁଯୋଗ ସୃଷ୍ଟି କରିଥିବାବେଳେ ତାହାକୁ ଗୋଲରେ ବଦଳାଇ ପାରିନଥିଲା। ୮୬ ତମ ମିନିଟରେ ୱେଲ୍ସର ଗୋଲକିପରଙ୍କୁ ଫିଉଲ୍ ପାଇଁ ରେଡ୍ କାର୍ଡ ମିଳିଥିଲା। ଏହାର ଫାଇଦା ଉଠେଇ ଖେଳ ଶେଷ ସମୟ ଏକ୍ସଟ୍ରା ଟାଇମରେ  ଇରାନ ଲଗାତର ୨ଟି ଗୋଲ ଦେଇଥିଲା। ଇରାନ ପକ୍ଷରୁ ରୁଜବେ ଚେଜମି ପ୍ରଥମ ଗୋଲ୍ ଦେଇଥିବା ବେଳେ ରମିନ ରେଯାଏଁ ଦ୍ଵିତୀୟ ଗୋଲ ଦେଇଥିଲେ।

ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ୬ଟା ୩୦ ମିନିଟରେ ଗ୍ରୁପ୍-ଏ ରେ କତାର ଓ ସେନେଗାଲ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସେନେଗାଲ ୩-୧ ଗୋଲରେ କତାରକୁ ପରାସ୍ତ କରିଛି। ଏହି ପରାଜୟ ସହ କତାରର ବିଶ୍ଵକପ ଯାତ୍ରା ସମାପ୍ତ ହୋଇଛି। ଖେଳ ଆରମ୍ଭରୁ ସେନେଗାଲ, କତାର ଉପରେ ଚାପ ସୃଷ୍ଟି କରିଥିଲା। ଏହି ମ୍ୟାଚରେ ଉଭୟ କତାର ଓ ସେନେଗାଲ ବହୁତ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମାର୍ଦ୍ଧରେ ୪୧ତମ ମିନିଟରେ ସେନେଗାଲର ବୌଲଏ ଡିଆ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଦ୍ଵିତୀୟାର୍ଦ୍ଧରେ ସେନେଗାଲ ଆଉ ଦୁଇଟି ଗୋଲ ଦେଇଥିଲା ପରେ କାତର ୭୮ ତମ ମିନିଟରେ ଗୋଟେ ଗୋଲ ଦେଇଥିଲେ ମଧ୍ୟ ଏହା ବ୍ୟର୍ଥ ଯାଇଥିଲା।

ତୃତୀୟ ମ୍ୟାଚ୍ ଗ୍ରୁପ୍–ଏ ରେ ନେଦରଲାଣ୍ଡ ଓ ଇକ୍ୱେଡର ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯାଇଥିଲା।ଏହି ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଥିଲା। ମ୍ୟାଚର ୬ତମ ମିନିଟରେ ନେଦରଲାଣ୍ଡସ ପ୍ରଥମ ଗୋଲ ଦେଇଥିଲା  ଦ୍ଵିତୀୟାର୍ଦ୍ଧର ଅରମ୍ଭରେ ଇକ୍ୱେଡରର ଏନର ଭାଲେନସିଆ ଏକ ଗୋଲ ଦେଇ ମ୍ୟାଚ ବରାବର କରିଦେଇଥିଲେ। ଏହା ତାଙ୍କର ଏହି ବିଶ୍ଵକପରେ ତୃତୀୟ ଗୋଲ ଥିଲା। ମ୍ୟାଚ ଡ୍ର ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

ରାତି ୧୨ଟା ୩୦ ମିନିଟରେ ଶେଷ ମ୍ୟାଚ୍ ଗ୍ରୁପ୍ –ବି ରେ ଆମେରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉଭୟ ଦଳ କୌଣସି ଗୋଲ କରିପାରିନଥିଲେ । ଫଳରେ ମ୍ୟାଚଟି ଡ୍ର ରହିଥିଲା। ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ।

ଶନିବାର  ଫିଫା ବିଶ୍ଵକପରେ ୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍–ଡି ରେ ଟ୍ୟୁନେସିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ସି ରେ ପୋଲାଣ୍ଡ  ଓ ସାଉଦି ଆରବ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍–ଡି ରେ ଫ୍ରାନ୍ସ ଓ ଡେନମାର୍କ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ ଗ୍ରୁପ୍–ସି ରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହରିଥିବା ଆର୍ଜେଣ୍ଟିନା ପାଇଁ ଏହା କର ବା ମର ମୁକାବିଲା ହେବ।

Tags: #FIFAWorldCup2022 #Qatar #Iran #Ecuador #Football #FIFA #OdishaLive #Sports

Comment