ଘାସିରାମ ପଣ୍ଡା

ଏବେ ବି ୧୮ ବର୍ଷରୁ କମ୍ ବୟସର ଝିଅ ଓ ୨୧ରୁ କମ୍ ବୟସର ପୁଅଙ୍କ ବିବାହ ବହୁସଂଖ୍ୟାରେ ହେଉଛି। ଅଥଚ ବାଲ୍ୟ ବିବାହ ନିଷେଧ ଆଇନଗତ ମାମଲାର ସଂଖ୍ୟା ହାତ ଗଣତି । ଏହା ପ୍ରମାଣିତ କରୁଛି କେବଳ ବିବାହ ବୟସର ସୀମା ବଢ଼େଇଲେ ବାଳିକାଙ୍କ ସ୍ଥିତି ବଦଳିବନି। ବାଲ୍ୟ ବିବାହ ରୋକିବା ପାଇଁ ଆମ ଝିଅମାନଙ୍କୁ ସ୍ୱପ୍ନ ଦେଖିବା ଶିଖେଇବାକୁ ପଡ଼ିବ।

ଜାତିସଂଘ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ଅକ୍ଟୋବରରେ ଉଦ୍‌ବୋଧନ ଦେଇ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ କେତେ ହେବା ଉଚିତ, ସେନେଇ ବିମର୍ଶ ଜାରି ରହିଛି ଓ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦୋହରାଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ପ୍ରସଙ୍ଗ ରହିବା ପରେ ଦେଶରେ ବାଲ୍ୟ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଗୁରୁତ୍ୱ ମିଳିଛି।

ଗତ ବଜେଟ (୨୦୨୦ – ୨୧) ଅଭିଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଏକ କମିଟି ଗଠନ କରାଯିବାକୁ ସେ ଘୋଷଣା କରିଥିଲେ। ତାଙ୍କ କହିବା କଥା ଥିଲା ଶାରଦା ଆଇନ ୧୯୨୯କୁ ୧୯୭୮ ମସିହାରେ ପରିବର୍ତ୍ତନ କରାଯାଇ ବିବାହ ବୟସକୁ ୧୫ରୁ ୧୮ ବର୍ଷ କରାଯାଇଥିଲା। ଏହା ଭିତରେ ଆମେ ଅନେକ ପ୍ରଗତି କରିଛୁ। ମହିଳାଙ୍କ ପାଇଁ ଉଚ୍ଚଶିକ୍ଷା ଓ ବୃତ୍ତି ଚୟନର ସୁଯୋଗ ବ୍ୟାପକ ହୋଇଛି। ମାତୃ ମୃତ୍ୟୁ ହାର ଓ ପୋଷଣର ସ୍ଥିତିକୁ ନିୟନ୍ତ୍ରଣ କରିବା ମଧ୍ୟ ଆମ ପାଇଁ ଅନିବାର୍ଯ୍ୟ ହେଉଛି। ଝିଅଟିଏ ମା’ ହେବାର ବିଷୟକୁ ଏହି ହିସାବରେ ଆମକୁ ଦେଖିବାକୁ ହେବ। ଏଣୁ ଏକ ଟାସ୍କ ଫୋର୍ସ ଗଠନ ପାଇଁ ମୁଁ ପ୍ରସ୍ତାବ ଦେଉଛି (ବଜେଟ ଅଭିଭାଷଣ ପାରା-୬୭)।

ସେହି ଅନୁଯାୟୀ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ  ଗଠନ ପୂର୍ବକ ଜୁନ ୪ରେ ଏନେଇ ଭାରତ ସରକାର ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ମୁତାବକ ଏହି କମିଟି ମାତୃତ୍ୱ ଓ ବିବାହ ବୟସର ସମ୍ପର୍କକୁ ଅନୁଧ୍ୟାନ କରିବ। ଏଥିରେ ସ୍ୱାସ୍ଥ୍ୟ ଓ ପୋଷଣର ବିଭିନ୍ନ ଦିଗ ଯଥା- ମାତୃ ଓ ଶିଶୁ ମୃତ୍ୟୁହାର, ଲିଙ୍ଗୀୟ ଅନୁପାତ, ଗର୍ଭାବସ୍ଥାରୁ ଶୈଶବର ବିଭିନ୍ନ ସ୍ତରରେ ମା’ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୋଷଣର ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ। ମହିଳାଙ୍କ ଭିତରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ପଦକ୍ଷେପ, ଆଇନରେ ସଂଶୋଧନ ଅବା ନୂତନ ଆଇନ ପ୍ରଣୟନ ପାଇଁ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇପାରିବେ। ଏ ସମସ୍ତ ପ୍ରକ୍ରିୟା ୩୧ ଜୁଲାଇ ସୁଦ୍ଧା ସରିବ ଓ ନୀତି ଆୟୋଗ ନିକଟରେ କମିଟି ମତାମତ ଦାଖଲ କରିବେ।

ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଅନୁଯାୟୀ ୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅଙ୍କ ବିବାହକୁ ବାରଣ କରାଯାଇଛି । ବିବାହ ପାଇଁ ଧାର୍ଯ୍ୟ ଏହି ବୟସକୁ ନେଇ ଆଗରୁ ଚର୍ଚ୍ଚା ହୋଇ ଆସୁଛି। ଯେପରିକି ଝିଅ ଓ ପୁଅର ବୟସରେ କାହିଁକି ପାର୍ଥକ୍ୟ ରହିଛି? ୧୮ ପୂରିଲା ମାତ୍ରେ ବାହା କରେଇଦେଲେ କ’ଣ ସବୁ ଅସୁବିଧା ଦୂର ହେଇଯିବ? ଅନ୍ତର୍ଜାତୀୟ ସ୍ତରରେ ଓ ଆମ ଦେଶର ଅନ୍ୟାନ୍ୟ ସବୁ ଆଇନରେ ୧୮ ବର୍ଷରୁ କମ ବୟସର ସମସ୍ତଙ୍କୁ ଶିଶୁ କୁହାଯାଉଥିବା ବେଳେ ଶିକ୍ଷା ଅଧିକାର ଆଇନ, ବାଲ୍ୟ ବିବାହ ନିଷେଧ ଆଇନ ଓ ସରିୟାତ ଆଇନରେ କାହିଁକି ବିସଙ୍ଗତି ଅଛି?

ଏହି ସବୁ ପ୍ରଶ୍ନକୁ ନେଇ ନୀତି ନିର୍ଦ୍ଧାରକ ଅନୁଷ୍ଠାନମାନେ ନିଷ୍ପତ୍ତି ମଧ୍ୟ ଶୁଣେଇଛନ୍ତି। ଜାତୀୟ ଆଇନ କମିଶନ ଉଭୟ ପୁଅ ଓ ଝିଅଙ୍କ ବୟସ  ୧୮ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଏକ ଯାଚିକାକୁ ଉଚ୍ଚତମ ନ୍ୟାୟାଳୟ ଖାରଜ ମଧ୍ୟ କରିଛନ୍ତି। ଅତୀତରେ ଝିଅର ବୟସକୁ ୨୧ କରିବାକୁ ଦାୟର ଏକ ଯାଚିକାକୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ନାପସନ୍ଦ କରିଥିଲେ। ଟାସ୍କ ଫୋର୍ସ ଗଠନ ପରେ ଏହି ସବୁ ପ୍ରଶ୍ନ ପୁନର୍ଜ୍ଜୀବିତ ହୋଇଛି।

ବଜେଟ୍ ଅଭିଭାଷଣକୁ ଅନୁଧ୍ୟାନ କଲେ କମ୍ ବୟସରେ ମାତୃତ୍ୱକୁ ନେଇ ମନ୍ତ୍ରୀ ଚିନ୍ତିତ ଥିବା ସ୍ପଷ୍ଟ ହେଉଛି। ଏଣୁ ବିବାହ ବୟସକୁ ବଢେଇବା ପାଇଁ ସରକାରଙ୍କ ଇଚ୍ଛାକୁ କମିଟି ମାଧ୍ୟମରେ ପରୀକ୍ଷଣ, ପ୍ରସ୍ତାବନା ଓ ଅନୁମୋଦନର ଏହି ପ୍ରକ୍ରୟା ଆରମ୍ଭ ହୋଇଥିବା ଅନୁମେୟ। ହେଲେ ବିବାହର ଆଇନଗତ ବୟସ ବଢ଼େଇ ଦେଲେ ବାଲ୍ୟ ବିବାହ ବନ୍ଦ ହୋଇଯିବ କି? ଏବେ ବି ୧୮ ବର୍ଷରୁ କମ୍ ବୟସର ଝିଅ ଓ ୨୧ରୁ କମ୍ ବୟସର ପୁଅଙ୍କ ବିବାହ କିଛି କମ୍ ସଂଖ୍ୟାରେ ହେଉନାହିଁ। ଅଥଚ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦାୟର ଅଭିଯୋଗର ମାତ୍ରା ହାତ ଗଣତି।

ଏହା ପ୍ରମାଣିତ କରୁଛି ଯେ, ଆଇନଗତ ସଂଶୋଧନ ମାଧ୍ୟମରେ କେବଳ ବିବାହ ବୟସର ସୀମା ବଢ଼େଇଲେ ବାଳିକାଙ୍କ ସ୍ଥିତି ପରିବର୍ତ୍ତିତ ହେବନାହିଁ। ବାଲ୍ୟ ବିବାହକୁ ଦୂର କରିବାକୁ ହେଲେ ଆମ ଝିଅମାନଙ୍କୁ ସ୍ୱପ୍ନ ଦେଖିବା ଶିଖେଇବାକୁ ପଡ଼ିବ। ସେହି ସବୁ ସ୍ୱପ୍ନକୁ ସାକାର କରିବା ପାଇଁ ଭିତ୍ତିଭୂମି ଓ ସହାୟତାର ହାତ ସବୁସ୍ତରରେ ବଢ଼େଇବାକୁ ହେବ। ଯେତେ ଅଧିକ ସଂଖ୍ୟାରେ ସେମାନେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଦ ଦେବେ, ସେତେ ଅଧିକ ମାତ୍ରାରେ ବାଲ୍ୟ ବିବାହ ପ୍ରତିହତ ହେବ। ପିତୃସତ୍ତାତ୍ମକ ଚଳଣି ପାଇଁ ସାମାଜିକ ସ୍ତରରେ ଝିଅ ପିଲାଙ୍କ ଅବମୂଲ୍ୟାୟନ ହେଉଛି। ବିବାହ ହିଁ ସେମାନଙ୍କ ପାଇଁ ଜୀବନ ଜିଇବାର ଏକମାତ୍ର ଓ ଶ୍ରେଷ୍ଠ ଉପାୟ ବୋଲି ଧରି ନିଆଯାଇଛି।

ସାମାଜିକ ସ୍ତରରେ ବ୍ୟାବହାରିକ ପରିବର୍ତ୍ତନ ପାଇଁ ବ୍ୟାପକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲେ ଯାଇ ଏହି ମାନସିକତାରେ ପରିବର୍ତ୍ତନ ଆସିବ। ଏଣୁ କେବଳ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ଗୁରୁତ୍ୱ ଦିଆ ନଯାଇ ପ୍ରତିକାର ପାଇଁ ପଦକ୍ଷେପ ହେତୁ ରାଷ୍ଟ୍ରର ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବୟସ ଆଧାରରେ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ କରିବା ବଦଳରେ ଶିଶୁଙ୍କ ଅଧିକାରର ସୁରକ୍ଷା, ବିକାଶ ପାଇଁ ସୁଯୋଗ ସୃଷ୍ଟିର ଆଇନଗତ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦିଆଗଲେ ଅଧିକ ସୁଫଳ ମିଳିବ। ବୟସ ନିର୍ବିଶେଷରେ ଝିଅମାନଙ୍କ ଅନିଚ୍ଛାରେ ବିବାହକୁ ବଳପୂର୍ବକ ବିବାହ ବୋଲି ଧରିନିଆଯିବା କଥା। ଝିଅଙ୍କ ସହମତି ବିନା ବିବାହକୁ ଆଇନଗତ ଅପରାଧ ଭାବେ ଗ୍ରହଣ କରାଯାଉ। ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ହେତୁ ଯେଉଁ ଦିନ ନିଜ ଇଚ୍ଛାରେ ଝିଅଟିଏ ବିବାହ କରିବ, ସାଥି ବାଛିବାର ଯୋଗ୍ୟତା ହାସଲ କରିବ ଓ ସ୍ୱାଧୀନତା ପାଇବ, ସେଦିନ ଆଇନ ସଫଳ ହେବ।

(ଲେଖକ ଏକ୍ସନଏଡରେ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ। ମତାମତ ନିଜସ୍ୱ।)

Comment