ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ପହଞ୍ଚିଛି। ଦିଲ୍ଲୀବାସୀ ଯେମିତି ବିଷାକ୍ତ ବାଷ୍ପ ନିଃଶ୍ୱାସରେ ନେଉଛନ୍ତି। ସୋମବାର ଚଳିତ ବର୍ଷର ସବୁଠାରୁ ଅଧିକ ପ୍ରଦୂଷଣ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ହାରାହାରି ଏୟାର କ୍ଵାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସକାଳେ ୪୮୧ରେ ଥିବା ଜଣାଯାଇଛି। ବାୟୁ ପ୍ରଦୂଷଣ କ୍ରମାଗତ ଭାବେ ବଢ଼ିଚାଲିଥିବାରୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଗ୍ରେଡେଡ୍ ରେସପନ୍ସ ପ୍ଲାନ (ଗ୍ରାପ-୪) କଟକଣା ଲାଗୁ କରାଯାଇଛି।
ଦିଲ୍ଲୀରେ ଗ୍ରାପ-୪ କଟକଣା ସୋମବାର ସକାଳ ୮ଟାରୁ ଲାଗୁ ହୋଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିହାତି ଦରକାର ନପଡିଲେ ଘରୁ ବାହାରିବାକୁ ମନା କରାଯାଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଅନ୍ୟ ସମସ୍ତ ଶ୍ରେଣୀର କ୍ଲାସରେ ଅନଲାଇନ ପାଠପଢ଼ା ଜାରି ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥିତି ଏବଂ ଅନ୍ୟ ଜରୁରୀକାଳୀନ ଉପାୟ ଫଲୋ କରିବାକୁ କହିଛନ୍ତି।
ସୋମବାର ଦିଲ୍ଲୀରେ ହାରାହାର ଏକ୍ୟୁଆଇ ହାର ୪୮୧ ଥିବାବେଳ ନୋଏଡାରେ ୩୮୪, ଗାଜିଆବାଦରେ ୪୦୦, ଗୁରୁଗ୍ରମରେ ୪୪୬, ଫରିଦାବାଦରେ ଏକ୍ୟୁଆଇ ୩୨୦ ଥିବା ଜଣାଯାଇଛି। ସୋମବାର ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଅଞ୍ଚଳରେ ଭିଜିବିଲିଟି ୧୫୦ ମିଟର ଥିଲା। ଏନେଇ ଅନେକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା।
ଦିଲ୍ଲୀର ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ପକ୍ଷରୁ ରବିବାର ଏକ ଜରୁରୀକାଳିନ ବୈଠକ ଡକା ଯାଇଥିଲା। ଏଥିରେ ବାୟୁର ଗୁଣବତ୍ତା ଏବଂ ପାଣିପାଗ ସମ୍ବନ୍ଧୀୟ ସ୍ଥିତି ଉପରେ ବ୍ୟାପକ ସମୀକ୍ଷା କରାଯାଇଥିଲା।
ଗ୍ରାପ-୪ ନିର୍ଦ୍ଦେଶନାମା ଅନୁସାରେ ସୋମବାରରୁ କେଉଁ କେଉଁ କାର୍ଯ୍ୟ ଉପରେ ଏନସିଆରରେ କଟକଣା ଜାରି କରାଯାଇଛି ଆସନ୍ତୁ ଜାଣିବା।
- ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ ଦିଲ୍ଲୀରେ ପ୍ରବେଶ କରପାରିବ। ତା’ଛଡା ସିଏନଜି ଏବଂ ଇଲେକ୍ଟ୍ରିକ ଟ୍ରକ ମଧ୍ୟ ପ୍ରବେଶ କରିବାର ଅନୁମତି ରହିଛି।
- ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବ୍ୟାବସାୟିକ ଯାନବାହନ ପ୍ରବେଶ ଉପରେ କଟକଣା ରହିବ।
- ବିଏସ-୪ ଏବଂ ତା’ଠାରୁ କମ ମାନର ଡିଜେଲରେ ଚାଲୁଥିବା ମଧ୍ୟମ ଓ ଭାରୀ ମାଲବାହୀ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ରହିବ।
- ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ରହିବ। ରାଜପଥ, ଫ୍ଲାଏଓଭର ପରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
- ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରେ ଷଷ୍ଠ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ଅଫଲାଇନ କ୍ଲାସ ବନ୍ଦ କରାଯାଇଥିଲା। ସୋମବାରଠାରୁ ନବମ ଶ୍ରେଣୀର ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Tags: #AirPollution #GRAP-4 #AQI #DelhiNCR