ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୫ ବର୍ଷ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’। ୨୦୦୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ କାରଣରୁ ବର୍ଷକୁ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ବାୟୁ ପ୍ରଦୂଷଣ ପାଇଁ ହେଉଥିବା ଫୁସଫୁସ ଜନିତ ରୋଗ ନିୟନ୍ତ୍ରଣ କରିବା ଓ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଗାଇଡଲାଇନ ଜାରି କରିଛି।

ମିଳିତ ଜାତିସଂଘର ୧୯୪ ଦେଶକୁ ଡବ୍ଳ୍ୟୁଏଚଓ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରିବା ପାଇଁ କୁହାଯାଇଛି। ନୂଆ ମାର୍ଗଦର୍ଶିକାରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ଓ ନାଇଟ୍ରୋଜେନ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି। ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବାରୁ ଏହାକୁ ହ୍ରାସ କରିବା ସକାଶେ ଡବ୍ଳ୍ୟୁଏଚଓ ଏଭଳି ପଦକ୍ଷେପ ନେଇଛି। ବିଶ୍ୱ ତମାମ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବାୟୁ ପ୍ରଦୂଷଣ ସବୁଠାରୁ ବଡ଼ ବିପଦ ବୋଲି ସଙ୍ଗଠନ ଉଦବେଗ ପ୍ରକାଶ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାର୍ଟି କୁଲେଟ ମ୍ୟାଟର(ପିଏମ)ର ବାର୍ଷିକ ହାରାହାରି ପିଏମ ୨.୫ ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟରରୁ ୫କୁ ହ୍ରାସ କରିଛି। ସେହିପରି ପିଏମ ୧୦ର ସ୍ତରକୁ ୨୦ମାଇକ୍ରୋଗ୍ରାମରୁ ୧୫କୁ ହ୍ରାସ କରାଯାଇଛି। ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହିଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ହେଲେ ପିଏମ ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦ ପ୍ରତିଶତ ହ୍ରାସ କରାଯାଇପାରିବ।

ପାର୍ଟିକୁଲେଟ ମ୍ୟାଟର ନିଃଶ୍ୱାସପ୍ରଶ୍ୱାସ ଦ୍ୱାରା ସିଧା ଫୁସଫୁସରେ ପହଞ୍ଚିଥାଏ। ସେଠାରୁ ଏହା ରକ୍ତରେ ମିଶି ଯାଏ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ପରିବହନଠାରୁ ଆରମ୍ଭ କରି କୃଷି କ୍ଷେତ୍ର ଓ ଶିଳ୍ପ କାରଖାନାରୁ ଏହି ପିଏମ ନିର୍ଗତ ହୋଇଥାଏ। ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା। ବାୟୁର ଗୁଣବତ୍ତା କମୁଥିବାରୁ ହୃଦୟ ଓ ଫୁସଫୁସ ଜନିତ ରୋଗ ହୁ ହୁ ହୋଇ ବଢୁଛି। ବର୍ଷକୁ ବିଶ୍ଵରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ଜୀବନ ନେଉଛି ପ୍ରଦୂଷିତ ବାୟୁ। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ଡବ୍ଳ୍ୟୁଏଚଓ ବା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ।

୨୦୦୫ରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା ଯେ ବାୟୁ ପ୍ରଦୂଷଣର ଛଅଟି ମୁଖ୍ୟ ପ୍ରଦୂଷକାରୀ ସ୍ତର ହେଉଛି ପିଏମ ୨.୫, ପିଏମ ୧୦, ଓଜୋନ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର୍ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ।

ବାୟୁରେ ପିଏମ ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି କୁହାଯାଏ। ପୂର୍ବରୁ ଏହି ସ୍ତର ୨୦ ଥିଲା। ସେହିପରି ବାୟୁରେ ନାଇଟ୍ରୋଜେନ ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ। ପୂର୍ବରୁ ଏହା ୪୦ ରହିଥିଲା। ‘ହୁ’ର ତଥ୍ୟ ଅନୁସାରେ ସବୁଠୁ ଚିନ୍ତାଜନକ କଥା ହେଲା, ସମଗ୍ର ଭାରତ ବର୍ଷ ପ୍ରଦୂଷିତ ଅଞ୍ଚଳରେ ରହୁଛି। କେବଳ ଭାରତବର୍ଷ ନୁହେଁ ବିଶ୍ଵର ୯୦ ପ୍ରତିଶତ ଲୋକ ରହୁଥିବା ଅଞ୍ଚଳର ବାୟୁ ପ୍ରଦୂଷିତ। ମାର୍ଗଦର୍ଶିକାରେ ଯାହା କୁହାଯାଇଛି ସେଥିପ୍ରତି ବିଭିନ୍ନ ଦେଶ ପକ୍ଷରୁ ଆବଶ୍ୟକୀୟ ଦୃଷ୍ଟି ଦିଆଯିବା ଦରକାର।

Comment