ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବର୍ଷ ୨୦୨୪ ପାଇଁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର। ଏଥିରେ ୪ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିବ। ଏହାସହ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ।
ପ୍ୟାରିସ ଅଲିମ୍ପିକରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭାକର, ବିଶ୍ଵ ଚେସ୍ ଚାମ୍ପିୟନ ଡି ଗୁକେଶ, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରିତ ସିଂହ ଓ ପାରା ଅଥଲେଟ୍ ପ୍ରବୀଣ କୁମାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ସେହିପରି ଆଥଲେଟ୍ ଜ୍ୟୋତି ୟାରାଣୀ, ଅନ୍ନୁ ରାଣୀ, ଚେସ୍ ଖେଳାଳି ବନ୍ତିକା ଅଗ୍ରୱାଲ, ହକି ଖେଳାଳି ସଲିମା ଟେଟେ, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହଙ୍କ ସମେତ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଏହାସହ ତିନିଜଣ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ।
ଜାନୁଆରି ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ଏହି କ୍ରୀଡ଼ା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିମାନଙ୍କୁ ପୁରସ୍କାର ଦେବେ।
କ୍ରୀଡ଼ାବିତମାନଙ୍କୁ ସେମାନଙ୍କ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ହକି, କ୍ରିକେଟ, ଆଥଲେଟିକ୍ସ, ଆର୍ଚେରି, କବାଡି ତଥା ବନ୍ଧୁକ ଚାଳନା ଭଳି ବିଭିନ୍ନ କ୍ରୀଡ଼ାର ଖେଳାଳିମାନେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
Tags: #Nationalsportsawards #KhelratnaAward #ArjunAward #Players #Sports #MYAS #India