ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। କେବଳ ଗୋପାଳର ନୁହେଁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବ (ଏସଏଫଏସଏଲ) ରିପୋର୍ଟରେ ଦର୍ଶାଯାଇଛି।
ରିପୋର୍ଟ ଅନୁଯାୟୀ ନବ କିଶୋର ଦାସଙ୍କ ଗାଡ଼ି ଉପରକୁ ତିନି ଗୁଳି ଓ ତାଙ୍କ ଗାଡ଼ି ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ୫ଟି ଗୁଳିମାଡ଼ ହୋଇଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ଗୋପାଳ ବ୍ୟତୀତ ଅନ୍ୟ କେହି ମଧ୍ୟ ସମ୍ପୃକ୍ତ ଥିବା ନେଇ ସନ୍ଦେହ ବଢ଼ିଛି। ତେବେ ଏହି ହତ୍ୟାକାଣ୍ଡ ପରେ ଆଉ କାହାର ହାତ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।
ଗତ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ ନବ କିଶୋର ଦାଙ୍କ ଉପରକୁ ଗୁଳି କରିଥିଲା। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା।
କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରାଯାଇଥିଲା ଚାର୍ଜସିଟ ଏବଂ ଏସଏଫଏସଏଲର ରିପୋର୍ଟ ଅନୁଯାୟୀ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ କିଶୋର ଦାସଙ୍କର ଦୁଇଟି ଗାଡ଼ି ବ୍ରଜରାଜନଗର ଚାନ୍ଧୀଛକକୁ ଯାଇଥିଲା। ପ୍ରଥମ ଗାଡ଼ିରେ ନବ ଦାସ ବସିଥିଲେ ଓ ଦ୍ଵିତୀୟ ଗାଡ଼ିରେ ତାଙ୍କ ସହଯୋଗୀମାନେ ଥିଲେ।
ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ, ତିନିଟ ଅଫୁଟା ଗୁଳି ଜବତ ଜବତ ହୋଇଥିଲା। ଏହା ସହ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମି ଗୁଳି ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ ଫର୍ମରେ ଦର୍ଶାଯାଇଥିଲା। ଗୋଟିଏ ଗୋପାଳ ଗୋଟିଏ ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଗୋପାଳ ଦାସଙ୍କ ବନ୍ଧୁକରେ ଥିବା ୬ଟି ଗୁଳି ମଧ୍ୟରୁ ୩ଟି ଅଫୁଟା ଅବସ୍ଥାରେ ଜବତ ହୋଇଥିଲା। ଅନ୍ୟ ତିନିଟି ଗୁଳି ମଧ୍ୟରୁ ଗୋଟିଏ ନବ କିଶୋର ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଫାଙ୍କାରେ ମରାଯାଇଥିଲା।
ତେବେ ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବର ରିପୋର୍ଟରେ ଭିନ୍ନ କଥା ଉଲ୍ଲେଖ କରାଯାଇଛି। ଏସଏଫଏସଏଲ ରିପୋର୍ଟରେ ଦର୍ଶାଯାଇଛି ନବ ଦାସଙ୍କ ସହ ଯାଉଥିବା ଦ୍ଵିତୀୟ ଗାଡ଼ିଟି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଧଳା ରଙ୍ଗର ଇନୋଭା କାର ଥିଲା। ୨୦୨୩ ମସିହା ଫେବ୍ରୁଆରି ୨ ତାରିଖ ସକାଳେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଯାଞ୍ଚ କରିବା ସମୟରେ ଦ୍ଵିତୀୟ ଗାଡ଼ିରେ ଗୁଳି ଦ୍ଵାରା ୫ଟି କଣା ହୋଇଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଘଟଣାସ୍ଥଳରୁ କୌଣସି ଗୁଳି ଓ ଖୋକା ମିଳିନାହିଁ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ରିପୋର୍ଟରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇନାହିଁ।
ଉଭୟ କ୍ରାଇମବ୍ରାଞ୍ଚ ରିପୋର୍ଟ ଏବଂ ଏସଏଫଏସଏଲର ରିପୋର୍ଟରେ ଭିନ୍ନ ଭିନ୍ନ ତଥ୍ୟ ଉଲ୍ଲେଖ କରାଯାଇଥିବାରୁ ନବ କିଶୋର ଦାସଙ୍କ ହତ୍ୟା ଘଟଣା କେଉଁ ମୋଡ଼ ନେବ ତା’ ଉପରେ ରହିଛି ସମସ୍ତଙ୍କ ନଜର।
Tags: #NabaKishorDasMurderCase #CrimeBranchInvestigation #ChargeSheet #GopalDas #JharsugudaJMFCCourt