ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର। ୨୦୨୪ ମସିହା ପାଇଁ ଓଡ଼ିଆ ଭାଷା ଲାଗି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ। ରସ୍କିନ ବଣ୍ଡଙ୍କ ଆତ୍ମଜୀବନୀ ‘ଲୋନ ଫକ୍ସ ଡ୍ୟାନ୍ସିଂ’ ର ଓଡ଼ିଆ ଅନୁବାଦ ‘କୋକିଶିଆଳିର ଏକକ ନୃତ୍ୟ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏକାଡେମୀ ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ଏହି ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି।

ଚଳିତ ଥର ଓଡ଼ିଆ ଭାଷା ପାଇଁ ଅନୁବାଦ ପୁରସ୍କାର ପାଇବା ଲାଗି ବିଶିଷ୍ଟ ଲେଖକ ସୁଭାଷ ଶତପଥୀ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦକୁ ୫୦ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଏକାଡେମୀ ପ୍ରଶସ୍ତି ଫଳକ ପ୍ରଦାନ କରାଯିବ।

ଏହା ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସୁଭାଷ ଶତପଥୀଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ‘ସଂସାର’, ‘ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ’, ‘ସମୁଦ୍ର କୂଳର ଗାଁ’, ‘ଖୁଶୱନ୍ତ ସିଂହଙ୍କ ଗଳ୍ପ’, ‘ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ’, ‘ବିଭାଜନ’ ଆଦି। ବର୍ତ୍ତମାନ ସେ ସେ ଓଡ଼ିଆ ଦୈନିକ ଖବରକାଗଜ ‘ପ୍ରମେୟ’ର ଫିଚର ସମ୍ପାଦନା  ବିଭାଗରେ କାର୍ଯ୍ୟରତ।

ଏଥର ଓଡ଼ିଆ ଭାଷାର ଅନୁବାଦ ପୁରସ୍କାର ପାଇଁ ବିଶିଷ୍ଟ ବିଚାରକ ମଣ୍ଡଳୀରେ ଥିଲେ କବି ଅମରେଶ ପଟ୍ଟନାୟକ, କବି ପ୍ରବାସିନୀ ମହାକୁଡ଼ି ଏବଂ ଅନୁବାଦିକା ମୋନାଲିସା ଜେନା।

Tag: #KendraSahityaAcademyPrize #TranslationPrize #SuvashSatapathy #LiteraryHonour #OdiaLanguage #Odisha

LEAVE A REPLY

Please enter your comment!
Please enter your name here