ଓଡ଼ିଶାଲାଇଭ୍ ବ୍ୟୁରୋ

କେଉଁ ମୋଡ଼ ନେବ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା। ହତ୍ୟା ଘଟଣାର ଗୁମର ଖୋଲିବାକୁ ପୁଣି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡ଼ାସ୍ଥିତ ସ୍ଵର୍ଗତ ନବ ଦାସଙ୍କ ବାସଭବନରେ ମଙ୍ଗଳବାର ଦିନ ଦୁଇଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କ ପତ୍ନୀ ମିନତୀ ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କର ବୟାନ ରେକର୍ଡ କରିଥିଲେ। ଆଜି, ବୁଧବାର ଦିନ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଅଧିକାରୀ।
କ୍ରାଇମବ୍ରାଞ୍ଚର ନୂଆ ଅଧିକାରୀଙ୍କ ହାତକୁ ଯାଇଛି ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସିପି ବିଜୟ ମଲ୍ଲିକ ଓ ଡିଏସପି ଦୀପ୍ତିମୟୀ ମଲ୍ଲିକ ପୁଣି ତଦନ୍ତ ଆରମ୍ଭ କରିଛନ୍ତି।
ନବ କିଶୋର ଦାସଙ୍କୁ ଗଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵରକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ କେଉଁ ସମୟରେ ଏୟାରଲିଫ୍ଟ କରାଯାଇଥିଲା, ସେହି ସମୟରେ ସେଠାରେ କିଏ ଉପସ୍ଥିତ ଥିଲେ, କେଉଁ ଡାକ୍ତର ସାଙ୍ଗରେ ଆସିଥିଲେ, ଏୟାରଲିଫ୍ଟ ସମୟର ସିସିଟିଭି ଫୁଟେଜ ଏବଂ କେଉଁ ପ୍ରକାର ମେଡିକାଲ ଫାସିଲିଟି ଦିଆଯାଇଥିଲା ସେ ସବୁର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ଏପଟେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ପୁନର୍ବାର ତଦନ୍ତ ଆରମ୍ଭ କରାଯାଇଥିବା ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ମନ୍ତ୍ରୀ କହିଥିଲେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଗୁଳି କରି ହତ୍ୟା କରାଗଲା। କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି ବୋଲି ସେ କହିଥିଲେ।
ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବା ଲାଗି ତାଙ୍କ ପରିବାର ଚାହୁଁଛନ୍ତି। ଏଥିପାଇଁ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ଲାଗି ଚିଠି ଲେଖିଥିଲେ ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଏହା ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ ସିବିଆଇ ତଦନ୍ତ ପାଇଁ ଚାହୁଁଥିଲେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇବାକୁ ପଡ଼ିଥାଏ। ଏହା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।
ଇତି ମଧ୍ୟରେ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ଦୁଇ ବର୍ଷ ବିତି ଯାଇଛି। ଗତ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧୀ ଛକଠାରେ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାରଲିଫ୍ଟ କରି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟା ମାମଲାରେ ଗୋପାଳ ଦାସ ଗିରଫ ହୋଇ ଜେଲ ହାଜତରେ।
Tags: #NabaKishorDasMurderCase #CrimeBranchInvestigation #GopalDas #Jharsuguda #Odisha

















