ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ୍ ଅର୍ନ୍ତଗତ ଈଷାଣୀ ଗାଁର ପ୍ରଶାନ୍ତ କୁମାର ଶତପଥୀ। ଗୁରୁବାର ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମୃତ ଦେହ। ଶୋକାକୁଳ ପରିବେଶ ସହ କାନ୍ଦ ବୋବାଳିରେ ଫାଟି ପଡୁଥିଲା ସମଗ୍ର ଗାଁ।

ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଗାଁ ମଶାଣିରେ ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଗସ୍ତ କରି ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ।

ପ୍ରଶାନ୍ତଙ୍କ ଅକାଳ ବିୟୋଗରେ ତାଙ୍କର କେତେ ଯେ ସ୍ଵପ୍ନ ଅଧା ରହିଗଲା। ଅଧା ରହିଗଲା ଗାଁରେ ତାଙ୍କ ଦ୍ଵାରା ଶିବ ମନ୍ଦିର ନିର୍ମାଣ। ପ୍ରଶାନ୍ତଙ୍କ ଭଳି ପିଲା ଏ ଗାଁ କ’ଣ ଦୁନିଆରୁ ସବୁ ଦିନ ପାଇଁ ଚାଲିଗଲା। ଆଉ ସେଇ ସୁନା ପୁଅ ପାଇଁ ଏବେ ଅଧା ଗାଁ ଆଜି ଉପାସରେ ରହିଛନ୍ତି। ଖବର ପାଇବା ଠାରୁ ଆଜି ପର୍ଯ୍ୟନ୍ତ ଗାଁ’ର ଅଧା ଲୋକଙ୍କ ଘରେ ଚୁଲି ଜଳିନି। ସମସ୍ତେ ତାଙ୍କୁ ମନେ ପକାଇ ଝୁରି ହେଉଛନ୍ତି। ଗାଁ ଦାଣ୍ଡ ଶୂନଶାନ ହୋଇଯାଇଛି।

ଗାଁର ସବୁ ପ୍ରକାର ପର୍ବପର୍ବାଣୀରେ ସାହଯ୍ୟ ସହ‌ଯୋଗଠାରୁ ଆରମ୍ଭ କରି ଆଖପାଖ ଗାଁର ଲୋକମାନଙ୍କର ଦୁଃଖ ସୁଖର ଭାଗୀଦାର ଥିବା ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି ବି ଗ୍ରହଣ କରି ପାରୁନାହାନ୍ତି। ଏପ୍ରିଲ ୧୯ ତାରିଖରେ ସେ କହି ଯାଇଥିଲେ ଯେ ତାଙ୍କ ଅଫିସର କର୍ମଚାରୀଙ୍କ ସହିତ ସେ ଜମ୍ମୁ କାଶ୍ମୀର ବୁଲିବାକୁ ଯାଉଛନ୍ତି। ସେଠାରୁ ଶୀଘ୍ର ଫେରି ଆସିବେ ବୋଲି କହିଥିଲେ। ସେ ଫେରିଲେନି, ଫେରିଲା ତାଙ୍କର ମୃତ ଦେହ।

“ଗୋଟିଏ ଭାଇ ଏକ ବର୍ଷ ପୂର୍ବରୁ ଅନ୍ୟ ଏକ ସ୍ଥାନରେ ଘର କରିବାକୁ ଯାଉଥିଲେ। ହେଲେ ପ୍ରଶାନ୍ତ ତାଙ୍କୁ କହିଥିଲେ ଆମେ ଜନ୍ମ ହୋଇଛେ ତିନି ଭାଇ। ଆମେ ଗୋଟିଏ ପରିବାର। ଆମ ପିଲାମାନେ ବଡ଼ ହେଲେ ସେମାନେ ଅଲଗା ହୋଇପାରନ୍ତି କିନ୍ତୁ ଆମେ ତିନି ଭାଇ ଗୋଟିଏ ଜାଗାରେ ରହିବା। ପରିବାରକୁ ଏକତ୍ର ବାନ୍ଧି ରଖିବାର ମନ୍ତ୍ର ଶିଖାଉଥିବା ସେଇ ଭାଇ ଆଜି ମୋ ଠାରୁ ଦୂରେଇ ଯାଇଛି”, କୋହଭରା କଣ୍ଠରେ ଏ କଥା କହିଛନ୍ତି ପ୍ରଶାନ୍ତଙ୍କ ବଡ଼ ଭାଇ ସିଦ୍ଧାନ୍ତ ଶତପଥୀ।

ଆଖି ସାମ୍ନାରେ ସ୍ଵାମୀଙ୍କ ମୃତ୍ୟୁକୁ ଦେଖିଥିବା ପତ୍ନୀ ବି ଏବେ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ତାଙ୍କ ସ୍ଵାମୀ ଆଉ ନାହାନ୍ତି।

Tags: #PahalgamTerroristAttack #PrashantKumarSatpathy #Baleswar #Tourists #JammuKashmir

Comment