ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଦୈନିକ ସମ୍ବାଦପତ୍ର ‘ସମ୍ବାଦ କଳିକା’ର ଦିବଙ୍ଗତ ବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମ ଜଣେ ଅନନ୍ୟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ବୋଲି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି।
‘ଅନ୍ତରଙ୍ଗ ପରିବାର’ ପକ୍ଷରୁ ରବିବାର ଅପରାହ୍ଣରେ ୟୁନିଟ-୯ ସ୍ଥିତ ଉତ୍କଳ କରାଟେ ସ୍କୁଲ ସଭାଗୃହରେ ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ସ୍ଵର୍ଗତ କଲିମଙ୍କ ପାଇଁ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ଭାରତ ଭୂଷଣ ଜଗଦେବ କଲିମଙ୍କୁ ଏ ଯୁଗର ଭକ୍ତ ସାଲବେଗ ଭାବେ ବର୍ଣ୍ଣନା କରିଥିଲେ।
ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କଲିମ ବାବୁଙ୍କ ସହିତ ଏକାଠି କାମ କରିବା ସମୟର ସ୍ମୃତି ଚାରଣ କରିଥିଲେ। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କହିଥିଲେ ଯେ, କଲିମ ବାବୁଙ୍କ ଅସମୟରେ ଚାଲିଯିବା ବିଶ୍ଵାସ କରି ହେଉନି। କନିଷ୍ଠ ସାମ୍ବାଦିକମାନଙ୍କ ପାଇଁ ସେ ବଡ଼ ଭାଇ ଭଳି ଥିଲେ।
ଏହି ଅବସରରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଫକୀର କୁମାର ଉଦଗାତା, ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ସାହୁ, ଭାଗବତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଶୁଭମୟ ପଣ୍ଡା, ବିଶିଷ୍ଟ କବି ଦୁର୍ଗା ଷଡ଼ଙ୍ଗୀ, ପଦ୍ମନାଭ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ବିବେକ ଜେନା, ନୀଳାମ୍ବର ରଥ, ଆଲୋକ ନାୟକ, ପ୍ରକାଶ ସେଠୀ, ବିଘ୍ନେଶ୍ୱର ସାହୁ, ଇପ୍ସିତ ପ୍ରତିହାରୀ, ଦୁର୍ଗା ପ୍ରସାଦ ସାମନ୍ତରାୟ, ପଲିଟିକାଲ ମହାନ୍ତି, ଧୃତିକାମ ମହାନ୍ତି, ପର୍ଶୁରାମ ଦାସ, ଅପୂର୍ବ ମହାନ୍ତି, ପ୍ରଶାନ୍ତ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏସ୍ ଏ କଲିମଙ୍କ ପୂର୍ବତନ ସହକର୍ମୀ ତଥା ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଏସ୍ ଏ କଲିମଙ୍କ ସ୍ମୃତିରେ ଜଣେ ଡେସ୍କ ସାମ୍ବାଦିକଙ୍କୁ ପ୍ରତିବର୍ଷ ପୁରସ୍କାର ପ୍ରଦନା କରିବାକୁ ଘୋଷଣା କରିଥିଲେ।
Tags: #SAKalim #Tributes #SeniorJournalist #AntarangaPariwar #Odisha