ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ମୁଣ୍ଡଳୀରେ ଫସି ରହିଥିବା ଦନ୍ତା ହାତୀ ଉଦ୍ଧାର ବେଳର ରିପୋର୍ଟ ସଂଗ୍ରହ କରିବା ସମୟରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ମୁତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, “କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତି କରିଛନ୍ତି। ସେ ଲେଖିଛନ୍ତି, “ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁଥର ଦେଖା ସାକ୍ଷାତ ହୋଇଛି। ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କର ଅକାଳ ବିୟୋଗ ଓଡ଼ିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।”

ଓଟିଭିର କୋ ଫାଉଣ୍ଡର ତଥା ଏମଡି ଜାଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡା ମଧ୍ୟ ଅରିନ୍ଦମଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅରିନ୍ଦମଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସେହିପରି ଅନେକ ବରିଷ୍ଠ ସାମ୍ବାଦିକ, ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।ଶୁକ୍ରବାର ସକାଳେ ପ୍ରାୟ ୧୭ଟି ହାତୀ ମହାନଦୀ ପାର ହେଉଥିବା ସମୟରେ ୭ଟି ପାଣିର ସ୍ରୋତରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଉଦ୍ଧାର ହୋଇଥିବାବେଳେ ଆଉ ଗୋଟିଏ ହାତୀ ମୁଣ୍ଡଳୀ ବ୍ୟାରେଜଠାରେ ଫସି ରହିଥିଲା। ସେହି ହାତୀକୁ ଉଦ୍ଧାର କରିବା ପାଇଁ ପୋଲିସ ପ୍ରଶାସନ, ଏନଡିଆଏଫ, ଓଡ୍ରାଫ ଏବଂ ଦମକଳ ବାହିନୀ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ହାତୀକୁ ଖାଦ୍ୟ ଦେଖାଇ କୂଳକୁ ଆଣିବା ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ହାତୀଟି ନ ଆସିବାରୁ ତାକୁ ଉଦ୍ଧାର କରିବା ପାଇଁ ଓଡ୍ରାଫର ଏକ ଟିମ  ରବର ବୋଟ ଜରିଆରେ ପାଣି ଭିତରକୁ ଯାଇଥିଲେ। ସେହି ଟିମରେ ସାମିଲ ଥିଲେ ଦୁଇ ଗଣମାଧ୍ୟମ ପତିନିଧି ଅରିନ୍ଦମ ଦାସ ଏବଂ ତାଙ୍କ ସହଯୋଗୀ ପ୍ରଭାତ ସିହ୍ନା। ଖବର ସଂଗ୍ରହ କରିବା ପାଇଁ ଓଡ୍ରାଫ ଟିମ ସହ ବୋଟରେ ନଦୀ ଭିତରକୁ ଯାଇଥିଲେ।

ହାତୀକୁ କୂଳକୁ ଘଉଡ଼ାଉଥିବା ସମୟରେ ଅଚାନକ ପାଣିର ସ୍ରୋତରେ ବୋଟଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ସମସ୍ତ ବ୍ୟକ୍ତି ପାଣିରେ ପଡ଼ିଯାଇଥିଲେ। ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସହଯୋଗୀ ଏବେବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏଥିସହ ତିନି ଜଣ ଓଡ୍ରାଫ କର୍ମଚାରୀଙ୍କର ମଧ୍ୟ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ସେହିପରି ଓଡ୍ରାଫର ଆଉ ଜଣେ କର୍ମଚାରୀ ନିଖୋଜ ଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here