ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯୋଗୁଁ ମାତ୍ର ଜଣଙ୍କୁ ଛାଡ଼ି ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ନିଧନ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ପୋଲିସ କମିଶନର।
ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବିମାନ ୧୨ ଜଣ କ୍ରୁ ମେମ୍ବର ଓ ୨୩୦ ଜଣ ଯାତ୍ରୀ ମୋଟ ୨୪୨ ଜଣଙ୍କୁ ଧରି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତର ହଷ୍ଟେଲ ଉପରେ ପିଟି ହୋଇଥିଲା ଏୟାର ଇଣ୍ଡିଆ ବିମାନ। ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ହଷ୍ଟେଲ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା।
ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ହଷ୍ଟେଲରେ ଥିବା ଅନେକ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ନିଆଁର ବ୍ୟାପକତା ଏତେ ଥିଲା ଯେ ହଷ୍ଟେଲ କୋଠା ପରିସରରେ ଥିବା କାର ଏବଂ ବାଇକଗୁଡ଼ିକ ଜଳିଯାଇଛି। ଏହି ଦୁର୍ଘଟଣା ଯୋଗୁଁ ୫୦ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ବିମାନ ଦୁର୍ଘଟଣା ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Tags: #PlaneCrash #AhmedabadPlaneCrash #AirIndiaFlight #India

















