ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ଵର ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ (ବିଏସଏବିଟି) ରେ ୧୧୨ଟି ଦୋକାନ ଗୃହର ଆବଣ୍ଟନ ପାଇଁ ଗୁରୁବାର ଦିନ ଏକ ଲଟେରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କେ-୭ କଳିଙ୍ଗ ବିହାର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଲଟେରି ଉଠାଣ କାର୍ଯ୍ୟକ୍ରମ ହୋଇଥିଲା। ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ଉପସ୍ଥିତିରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଲଟେରି ଜରିଆରେ ଦୋକାନ ଘର ଦେବା ଲାଗି ଚୟନ କରାଯାଇଛି।
ମାସିକ ଭଡ଼ା ଭିତ୍ତିରେ ପ୍ରାୟ ୧୧୨ଟି ଦୋକାନ ଆବଣ୍ଟନ ପାଇଁ ଲଟେରି ପ୍ରକ୍ରିୟା କରାଯାଇଥିଲା। ବିଏସଏବିଟିର ନିର୍ମାଣ ପୂର୍ବରୁ ପୁରୁଣା ବରମୁଣ୍ଡା ବସ ଟର୍ମିନାଲ ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଦ୍ୱାରା କରାଯାଇଥିବା ଏକ ବିସ୍ତୃତ ସର୍ଭେ ଆଧାରରେ ହିତାଧିକାରୀମାନଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା।

ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଲଟେରି ବ୍ୟବସ୍ଥା ହୋଇଥିଲା। ପର୍ଯ୍ୟବେକ୍ଷକ ଭାବେ ସ୍ମାର୍ଟସିଟି ଲିମିଟେଡର ଜେନେରାଲ ମ୍ୟାନେଜର ପୁରନ୍ଦର ନନ୍ଦ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ହିତାଧିକାରୀମାନେ ଲଟେରି ବାକ୍ସରୁ କାଗଜ ଉଠାଇ ଥିଲେ। ଯେଉଁମାନେ ଯେଉଁ ଦୋକାନ ଘର ନମ୍ୱର ଉଠାଇଥିଲେ ସେହି ଅନୁସାରେ ସେମାନଙ୍କୁ ଦୋକାନ ଘର ଆବଣ୍ଟନ ପାଇଁ ଚୟନ କରାଯାଇଛି।
ସ୍ୱଚ୍ଛତା ବଜାୟ ରଖିବା ସହ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ଯାତ୍ରୀ ଅନୁକୂଳ ପରିବେଶ ପ୍ରତି ଗୁରୁତ୍ଵ ଦେବାକୁ ବିଡିଏ ଉପାଧ୍ୟକ୍ଷ ଡକ୍ଟର ଏନ ତିରୁମାଲା ନାଏକ ଦୋକାନ ପାଇଥିଲା ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଦୋକାନଗୁଡ଼ିକ ନିମନ୍ତେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାଣି ସଂଯୋଗ ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ରହିଛି। ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଡିଏ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
Tags: #BDA #Lottery #ShopAllotment #ShopsatBSABT #Baramunda #Bhubaneswar


















