ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସ୍ତୁତ ୱେବ୍ ସିରିଜ୍‌ -‘ମଣିଷ ଗାନ୍ଧୀ’।

‘‘୧୯୨୧ରେ ଗାନ୍ଧୀ ପ୍ରଥମଥର ପାଇଁ ଓଡ଼ିଶା ଆସିଥିଲେ। ସେତେବେଳେ ସେ ଓଡ଼ିଶାର ଦାରିଦ୍ର୍ୟ ରୂପ ଦେଖି ବିଚଳିତ ହୋଇପଡ଼ିଥିଲେ। ଏଥିପାଇଁ ସେ ଲେଖିଥିଲେ ଯେ, ଦାରିଦ୍ର୍ୟ ମୁଁ ଦେଖିଛି ହେଲେ ଓଡ଼ିଶାରେ ଦାରିଦ୍ର୍ୟର ନଗ୍ନ ବିଭତ୍ସ ରୂପ ମୁଁ କେବେ ଦେଖି ନଥିଲି। ସେବେଠୁ ଗାନ୍ଧୀ ଓଡ଼ିଶା ସହ ଜଡ଼ିତ ହୋଇ ଯାଇଥିଲେ। ସେତେବେଳେ ସେ ଭାବିଲେ ଏହି ଦଳିତମାନଙ୍କ ଉତ୍‌ଥାନ ହେଉଛି ମୋର ପ୍ରଥମ କାର୍ଯ୍ୟ। ସେବେଠୁ ଓଡ଼ିଶା ତାଙ୍କର ପ୍ରିୟ ତୀର୍ଥ ସ୍ଥାନ ପାଲଟିଯାଇଥିଲା’’, ଦାଶ ବେନହୁର ମଣିଷ ଗାନ୍ଧୀ ଓ୍ୱେବ୍‌ ସିରିଜ୍‌ରେ ବର୍ଣ୍ଣନା କହିଛନ୍ତି।

ମହାତ୍ମା ଗାନ୍ଧୀ ଓଡ଼ିଶାରେ ବୁଲି ବୁଲି ଅନେକ ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇଥିଲେ। ଗାନ୍ଧୀଙ୍କର କିଛି ଅନୁଭୂତିକୁ ଦାଶ ବେନହୁର ମଣିଷ ଗାନ୍ଧୀ ଓ୍ଵେବ୍ ସିରିଜ୍‌ରେ ବର୍ଣ୍ଣନା କରିଛନ୍ତି।

୧୯୩୪ ଗାନ୍ଧୀଙ୍କ ହରିଜନ ପଦଯାତ୍ରା ସମୟର ଘଟଣା। ହରିଜନ ପଦଯାତ୍ରାରେ ଗାନ୍ଧୀଙ୍କ ସହ ଓଡ଼ିଶାର ଅନେକ ତୁଙ୍ଗ ନେତା ସାମିଲ ଥିଲେ। ସେତେବେଳେ ବଙ୍ଗଳାର ହରିଜନ ଆନ୍ଦୋଳନର ମୁଖ୍ୟ ଥିଲେ ହରିଶ୍ଚନ୍ଦ୍ର ଦାସଗୁପ୍ତ। ସେ ବି ଏହି ପଦଯାତ୍ରାରେ ସାମିଲ ଥିଲେ। ଖରାକୁ ଖାତିର ନକରି ହରିଜନ ପଦଯାତ୍ରାରେ ଲାଗିଥା’ନ୍ତି ମହାତ୍ମା ଗାନ୍ଧୀ। ଦିନକୁ ପ୍ରାୟ ୩ମାଇଲ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିଲା। ହରିଜନ ପଦଯାତ୍ରାରେ ୩ମାଇଲ ରାସ୍ତା ଅତିକ୍ରମ କରି ସେମାନେ ପହଞ୍ଚିଥାନ୍ତି ସିଉଳା ଛକରେ।

ସେଠାରେ କିଛି ସମୟ ବିଶ୍ରାମ ଓ ଭୋଜନ କରି ପୁଣି ଯିବାକୁ ନିଷ୍ପତି ନେଇଥିଲେ। ଗାନ୍ଧୀଜୀ ପାଖ ତୋଟାରେ ବିଶ୍ରାମ ନେଲେ।

ଖରା ସମୟରେ ଖାଇବା ପାଇଁ ଆୟୋଜନ କରାଯାଇଥିଲା। ଗାନ୍ଧୀଜୀଙ୍କ ନିର୍ଦ୍ଦେଶ ଥିଲା କୌଣସି ଖାଦ୍ୟ ବାହାରୁ ଅଣାଯିବ ନାହିଁ କି କୌଣସି ଖାଦ୍ୟ ନଷ୍ଟ ହେବ ନାହିଁ। କାରଣ ପୂର୍ବରୁ ମଧ୍ୟ ଗାନ୍ଧୀ ଖାଦ୍ୟ ନଷ୍ଟ ହେବା କାରଣରୁ ଉପାସ ରହିଥିଲେ। ଏଥିପାଇଁ ସମସ୍ତଙ୍କର ଭୟ ଥାଏ କି ଯଦି ଖାଦ୍ୟ କିଛି ନଷ୍ଟ ହୁଏ, ତେବେ ଗାନ୍ଧୀ ପୁଣି ଉପାସ ରହିବେ।

ସେଦିନ ସିଉଳା ଛକରେ ସମସ୍ତ କର୍ମୀ ରୋଷେଇ ବାସ କରୁଥାନ୍ତି। ହଠାତ୍ ଝଡ଼ତୋଫାନ ଓ ବର୍ଷା ମାଡ଼ିଆସିଥିଲା। ବର୍ଷା କାରଣରୁ ଖାଇଲା ବେଳକୁ ଅନେକ କର୍ମୀ ନିଜ ନିଜ ଘରକୁ ଫେରିଯାଇଥିଲେ। ଫଳରେ କର୍ମୀଙ୍କ ପାଇଁ ତିଆରି ହୋଇଥିବା ଖାଦ୍ୟ ସବୁ ବଳି ପଡ଼ିଥିଲା। ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ। ଯେହେତୁ ଖାଦ୍ୟ ସବୁ ବଳିପଡ଼ିଲା। ମହାତ୍ମା ଗାନ୍ଧୀ ଆଜି ପୁଣି ଉପାସ ରହିବେ।

ସେତେବେଳେ ରମାଦେବୀଙ୍କ ମୁଣ୍ଡକୁ ବୁଦ୍ଧି ଝୁଟିଲା। ସେ ଗାନ୍ଧୀଙ୍କୁ କହିଲେ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାପରେ ଗାନ୍ଧୀ ବିଶ୍ରାମ ନେଇଥିଲେ।

ବିଶ୍ରାମରୁ ଉଠିବା ପରେ ଗାନ୍ଧୀ ଦେଖିଲେ ଯେ ଧାଡ଼ି ହୋଇ ବସିଛନ୍ତି ଲୋକ। ତାଙ୍କ ଆଗରେ ପତ୍ର ଠୋଲାରେ କିଛି ପାଣି ଭାତ ଓ ଡାଲି ରଖାଯାଇଛି। ଏହା ଦେଖି ଗାନ୍ଧୀ ଚକିତ ହୋଇଯାଇଥିଲେ। କାରଣ ସେ ପଖାଳ କ’ଣ ଜାଣି ନଥିଲେ।

ଗାନ୍ଧୀ ପଚାରି ବୁଝିଲେ ସେମାନେ କ’ଣ ଖାଉଛନ୍ତି। ତା’ପରେ ସେମାନେ କହିଥିଲେ ଏହା ହେଉଛି ପଖାଳ। ଓଡ଼ିଶାରେ ଭାତ ବଳି ପଡ଼ିଲେ ଏଭଳି ପ୍ରସ୍ତୁତ କରାଯାଏ।

କାରଣ ରମାଦେବୀ ଯେଉଁ ଭାତ ବଳି ପଡ଼ିଥିଲା ତାକୁ ପଖାଳି ଦେଇଥିଲେ। ଯେଉଁ ଡାଲି ବଳି ପଡ଼ିଥିଲା ତାକୁ ପୁଣି ବଘାରି ଗରମ କରି ଦେଇଥିଲେ। ଫଳରେ ଡାଲି ବହଳିଆ ହୋଇଯାଇଥିଲା। ଏହାପରେ ବଡ଼ ପତ୍ର ଠୋଲାରେ ପଖାଳ ଓ ଛୋଟରେ ଡାଲି, ଲଙ୍କା ଓ ଲୁଣ ଦେଇଥିଲେ।

ରମାଦେବୀ କହିଥିଲେ ଆମେ ଦୁଇବେଳା ଏଭଳି ଖାଉ। ଭାତ ବଳି ପଡ଼ିଲେ ନଷ୍ଟ ନ କରି ପଖାଳ କରି ଦୁଇଥର ଖାଉ।

ଗାନ୍ଧୀ ସେତେବେଳେ ପ୍ରଶ୍ନ କରିଥିଲେ, ତାହେଲେ ଓଡ଼ିଆ ଜାତି ଦରିଦ୍ର ହେଲା କେମିତି? କାରଣ ଯେଉଁ ଜାତି ବଳି ପଡ଼ିଥିବା ଖାଦ୍ୟକୁ ଏଭଳି ଭାବେ ଉପଯୋଗ କରେ, ତା’ର ବୁଦ୍ଧିମତାକୁ ଆମେ ସମ୍ମାନ ଦେବା ଉଚିତ୍‌। ଏଭଳି ପ୍ରଂଶସା କରି ଗାନ୍ଧୀ ଓଡ଼ିଆ ଜାତିର ସମ୍ମାନ କରିଥିଲେ।

ଓଡ଼ିଶାର ପଖାଳକୁ ଏଭଳି ଭାବରେ ପ୍ରଶଂସା କରିବାରେ ଗାନ୍ଧିଜୀ ଥିଲେ ପ୍ରଥମ।

LEAVE A REPLY

Please enter your comment!
Please enter your name here