ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଲିରେ ଶୁଖିଲା ରହିବ ପାଗ। ଆଜି ଓ ଆସନ୍ତାକାଲି ବର୍ଷାର ସମ୍ଭାବନା ବହୁତ କମ୍। ଏନେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ ବିଭାଗର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।
ଶରତ ସାହୁ ଆହୁରି ମଧ୍ୟ କହିଛନ୍ତି, ‘‘୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି।’’
୧୨ ତାରିଖ ଦିନ ଆଭ୍ୟନ୍ତରୀଣ ଓଡ଼ିଶା ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ କୁଆପଥର ବି ପଡ଼ିପାରେ। ପବନର ବେଗ ବି ଅଧିକ ରହିବ।
ମାର୍ଚ୍ଚ ମାସରୁ ଜୁନ୍ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ, କିନ୍ତୁ କାଁ ଭାଁ କାଳବୈଶାଖୀ ବର୍ଷା ସମ୍ଭାବନା ରହୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ପଟେ ଅପରାହ୍ଣରେ କାଳବୈଶାଖୀ ସମ୍ଭାବନା ଅଧିକ ରହିବ। ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା କମ୍ ରହିଛି।
ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରଭାବ ୪୦ ଡିଗ୍ରୀ ସେଲ୍ସିୟସ୍ ତଳେ ରହିବ। ହେଲେ ଏପ୍ରିଲ ମାସ ତୃତୀୟ ସପ୍ତାହ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି।