ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ବାଜିଲା କରୋନା ସତର୍କ ଘଣ୍ଟି। ଚିହ୍ନଟ ହେଲେ ପ୍ରଥମ କରୋନା ରୋଗୀ। ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନିରେ ରହୁଥିବା ଜଣେ ଯୁବକ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର ମଧ୍ୟ ରାତିରେ ଏନେଇ ଖବର ଆସିବା ପରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା।

୩୧ବର୍ଷୀୟ ଏହି ଯୁବକ କିଛି ଦିନ ତଳେ ଇଟାଲୀରୁ ଫେରିଥିଲେ। ଦିଲ୍ଲୀ ବିମାନବନ୍ଦରର ସ୍କ୍ରିନିଂ ରିପୋର୍ଟରେ ତାଙ୍କୁ କ୍ଲିନଚିଟ୍‌ ମିଳିଥିଲା। ତେବେ ଇଟାଲିରୁ ଫେରିବା ପରେ ଦିଲ୍ଲୀରେ କିଛି ଦିନ ଧରି ସେ କ୍ୱାରେଣ୍ଟାଇନରେ ରହିଥିଲେ। ପରେ ସେ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସିଥିଲେ।

ଦିଲ୍ଲୀରୁ ଟ୍ରେନରେ ଆସି ୧୨ ତାରିଖରେ ସେ ଭୁବନେଶ୍ଵରରେ ପହଞ୍ଚିଥିଲେ। ୧୩ ତାରିଖ ଦିନ ତାଙ୍କଠାରେ ଥଣ୍ଡା କାଶ ଭଳି ଲକ୍ଷଣ ଦେଖାଦେଇଥିଲା। ଔଷଧ ଖାଇବା ପରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା।

୧୪ ତାରିଖ ଦିନ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ଲକ୍ଷଣ ସହ ବିଦେଶରୁ ଫେରିଥିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଏହାସହ ରକ୍ତ ଓ ସ୍ୱାବ ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଇଥିଲା। ରବିବାର ଦିନ ବିଳମ୍ବିତ ରାତିରେ ଜଣାପଡିଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି।।

ଓଡ଼ିଶାର ଏହି ପ୍ରଥମ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି। ସଂକ୍ରମଣ ଆଶଙ୍କା କରି ଯୁବକଙ୍କ ପରିବାର ସଦସ୍ୟମାନଙ୍କ ଉପରେ ବି ନଜର ରଖାଯାଇଛି।

ସେପଟେ ଏହି ଯୁବକଙ୍କ ସହ ବିମାନ ଓ ଟ୍ରେନରେ ଯାତ୍ରା କରିଥିବା ଅନ୍ୟଯାତ୍ରୀଙ୍କୁ ସଂକ୍ରମଣର ଆଶଙ୍କା ବଢିଯାଇଛି। ତେଣୁ କରୋନା ଆକ୍ରାନ୍ତ ଓଡ଼ିଆ ଯୁବକଙ୍କ ସହଯାତ୍ରୀମାନଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚି।

ରବିବାର ସୁଦ୍ଧା ଓଡ଼ିଶାରେ ୧୪୨ ଜଣଙ୍କୁ କରୋନା ସ୍କାନରରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ୨୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ତାହା ନେଗେଟିଭ୍‌ ଆସିଥିଲା। ପରେ ପଠାଯାଇଥିବା ୮ଟି ନମୁନା ମଧ୍ୟରୁ ଇଟାଲି ଫେରନ୍ତା ଯୁବକଙ୍କ କେସ୍‌ ପଜିଟିଭ୍ ବାହାରିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here