ଡକ୍ଟର ଭାଗ୍ୟଲିପି ମଲ୍ଲ
ମା’ ଖାଲି ଗୋଟିଏ ଶବ୍ଦ ନୁହେଁ ଏହା ଏକ ଅନୁଭବା ଏହାକୁ କେବେ ବାଖ୍ୟା କରିହୁଏ ନାହିଁ। ଦୁନିଆର ସବୁ ପିଲାଙ୍କ ପାଇଁ ଏହା ଏକ ନିଆରା ସମ୍ପର୍କା ମା’ କାନିରେ ଥାଏ ସ୍ୱର୍ଗ ସୁଖା ଆଜି ସେହି ମା’ ପାଇଁ ଦିନ ଟିଏ ଅର୍ଥାତ୍ ମାତୃତ୍ୟ ଦିବସ। ପ୍ରତି ବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମାତୃତ୍ୱ ଦିବସ ପାଳନ କରାଯାଏ।
ମା’ର କ’ଣ ନାଁ ଥାଏ? ନା, ମାତୃତ୍ୱର ମୂଲ ଥାଏ? ବିଶ୍ୱ ମାତୃତ୍ୱ ଦିବସ ଏଇ କଥା କହୁନି ତ? କହୁନି ତ ମା’ମାନେ କେବଳ ମା’। ଘରର ସବୁଲୋକ ଖାଇସାରିବା ପରେ ଯିଏ ଖାଏ, ସବୁଠୁ ଶେଷରେ ଯିଏ ଶୁଏ, କାଉ କା’ କରିବା ଆଗରୁ ଯିଏ ଉଠେ, ଘର ସଫା କରେ, ଅଗଣାରେ ଗୋବର ପାଣି ଛିଞ୍ଚେ ଓ ଲକ୍ଷ୍ମୀପାଦର ଝୋଟି ଆଙ୍କିଦିଏ, ତୁଳସୀ ଚଉରାରେ ପାଣି ଢାଳି ସଭିଙ୍କର ଶୁଭ ମନାସେ, ସେ ମା’। ପୁଣି ସବୁବେଳେ ତା’ ପିଲାମାନଙ୍କ ଉପରେ ତା’ର ଆଖି, ତେଣୁ ସେ କାଳେ ଡାଆଣୀ। ସଚରାଚରରେ ମା’ମାନେ ଏମିତି ।
ଖାଲି ଜୀବନଶୈଳୀରେ କୋଉଠି କେମିତି ଭିନ୍ନତା। ତେଣୁ ମା’କୁ ନେଇ କେତେ ଲେଖା, କେତେ ନିରବ ଅନୁଭବ, କେତେ ପାଗଳପଣ, କେତେ ଗୀତ, କେତେ ସ୍ଥାପତ୍ୟ, କେତେ ଚିତ୍ର ତା’ର ହିସାବ ନାହିଁ। ମା’ ସବୁବେଳେ ତ୍ୟାଗର ମୂର୍ତ୍ତିମନ୍ତ ଚରିତ୍ରଟିଏ।
ସେହିଭଳି ଏକ ଚିତ୍ର-ଚରିତ୍ର କଥା ଆସିଛି ଆମ ପାଖକୁ। ଚିତ୍ରଟିକୁ ଦେଖିଲେ ମନେ ପଡିଯାଉଛି ବାପାଙ୍କର ସେହି ମଧୁର ଡାକ – ମା’! ଆଜି ଉଠିବୁନି କି? ଅର୍ଥାତ୍ ଝିଅ ଭିତରେ ବାପା ଅନୁଭବ କରୁଛନ୍ତି ମା’କୁ। ତେଣୁ କୁନି ଝିଅଟିକୁ ଶ୍ରଦ୍ଧାରେ ମା’ ବୋଲି ସମ୍ବୋଧନ କରୁଛନ୍ତି।
ସେ ଚିତ୍ରଟି ବି କହୁଛି ସେହି କଥା, ଝିଅଟିଏ ମା’ ହେଇଯିବାର କଥା ।
ହଁ, ଝିଅଟିଏ ମା’ ହୋଇଯାଇଛି। ଏହିଭଳି ଏକ ଅନନ୍ୟ କଳାତ୍ମକ ଚିତ୍ର ସୋସିଆଲ ମିଡିଆରେ ପ୍ରାୟ ସମସ୍ତେ ଦେଖିଥିବେ। ଚିତ୍ରଟିର କାହାଣୀରେ ରହିଛି ଏକ ସମ୍ବେଦନଶୀଳ ଅନୁଭବ। ଅସହାୟ, ରୁଗ୍ଣ, ଅନାହାର ଯନ୍ତ୍ରଣାରେ ଜର୍ଜରିତ ମୁମୂର୍ଷୁ ଜଣେ ବାପା, ଝିଅର ସ୍ତନ୍ୟପାନ କରୁଥିବାର ଚିତ୍ର। ହଠାତ୍ ଚିତ୍ରଟିକୁ ଦେଖିଲେ କେମିତି କେମିତି ଲାଗିବ। ପରେ ଚିତ୍ରର କରୁଣ ଗାଥା ହୃଦୟକୁ ମାତୃତ୍ୱର ମମତାରେ ସିକ୍ତ କରିଦେବ।
କଥାଟି ଏମିତି– ଜଣେ ବାପା କୌଣସି ଦଣ୍ଡରେ ଦଣ୍ଡିତ ହୋଇ କାରାଗାରରେ ବନ୍ଦୀ। ଦଣ୍ଡ- ବିନା ଖାଦ୍ୟ ଓ ପାନୀୟରେ କାରାଗାରରେ ସେ ଯେତେଦିନ ବଂଚି ପାରିବ। ଏହିଭଳି ଏକ କଠୋର ଜୀବନ ଜୀଉଁଥିବା ବାପାଙ୍କୁ ଭେଟିବାକୁ କାରାଗାରକୁ ଆସିଛି ଝିଅ। କାରଗାରର କର୍ମଚାରୀମାନେ ଝିଅର ତନଖି ନେଇଛନ୍ତି। ଯେପରି କୌଣସି ଖାଦ୍ୟ-ପାନୀୟ ଝିଅପାଖରେ ନଥିବ। ରିକ୍ତ ହସ୍ତରେ କାରଗାର କୋଠରୀ ଭିତରକୁ ପଶିଛି ଝିଅ। ଦେଖିଛି ଭୋକରେ ଆଉଟୁ ପାଉଟୁ ବାପାଙ୍କୁ। ଦୁହିଁଙ୍କ ଆଖିରୁ ଝରଝର ହୋଇ ଝରିପଡିଛି ଲୁହ। ବିକଳ ବାପା- ଟିକିଏ ଖାଦ୍ୟ ପାଇଁ, ବିକଳ ଝିଅ ବାପାଙ୍କୁ ବଞ୍ଚାଇବା ପାଇଁ। କିନ୍ତୁ ଉପାୟ କ’ଣ?
ହଠାତ୍ ଝିଅ ଭିତରେ ମାତୃତ୍ୱ ବିଳାପ କରି ଉଠିଛି। ବାପା ଆଉ କିଏ କି? ସ୍ରଷ୍ଟା ଏବେ ସୃଷ୍ଟି ପାଖରେ ସମର୍ପିତା ଏବଂ ସୃଷ୍ଟି ସ୍ରଷ୍ଟାକୁ ବଞ୍ଚାଇବାରେ ସମର୍ପିତ। ସୃଷ୍ଟିସ୍ରଷ୍ଟାକୁ ଆଉଜେଇ ଆଣିଛି ଛାତିକୁ, ଶୁଖିଲା ମୁହଁକୁ ସାଉଁଳେଇ ଦେଇଛି। ଗେଲ କରି ଦେଇଛି, ଛାତିର ଆବରଣ ଆପେ ଅପସରି ଯାଇଛି। ସ୍ରଷ୍ଟାର ଓଠ ଏଥର ସୃଷ୍ଟିର ଚିରନ୍ତନ ମାତୃତ୍ୱ ପାଖରେ ସମର୍ପିତ। ଏମିତି ବିତିଯାଇଛି କିଛି ଦିନ। ବୃଦ୍ଧ ବନ୍ଦୀ ମରିବା ପରିବର୍ତ୍ତେ ଅଧିକ ଜୀବନ୍ତ ହୋଇଉଠିଛି। ଆଶ୍ଚର୍ଯ୍ୟ କାରଗାର ରକ୍ଷୀ। ଲୁଚିଲୁଚି ଏହାର ରହସ୍ୟ ଭେଦ କରିଛନ୍ତି। ମାତୃତ୍ୱ ଓ ପିତୃତ୍ୱର ଏ ବିରଳ ଘଟଣାରେ ସମସ୍ତେ ସ୍ତବ୍ଧ ଓ ଚକିତ। ଏବେ ପିତା ଏବଂ ପୁତ୍ରୀ ଉଭୟେ ଦୋଷୀ ସାବ୍ୟସ୍ତ। ବିଚାରପତିଙ୍କ ପାଖରେ ବିଚାର ହୋଇଛି। ଅନାବିଳ ମାତୃତ୍ୱ ପାଖରେ ଅସହାୟ ବିଚାରପତି। ଉଭୟେ ଏବେ ମୁକ୍ତ। ମାତୃତ୍ୱର ଆବେଗ ଯେ କେତେ ଶକ୍ତିଶାଳୀ- ଏ ଚିତ୍ରଟି ତ ଏଇ କଥା କୁହେ। ଏବଂ, ଝିଅଟିଏ ଭିତରେ ବି ମାତୃତ୍ୱଟିଏ ନିରବରେ ଥାଏ, ଏ ଚିତ୍ର ତାହାର ଏକ ସୁନ୍ଦର ଉଦାହରଣ।
ଦ୍ୱିତୀୟ କଥାର ଚିତ୍ର ଟିକିଏ ଅଲଗା। ବଜାର ସଭ୍ୟତାଠାରୁ ସ୍ୱତନ୍ତ୍ର
ମା’ର ଆଶୀର୍ବାଦ ସନ୍ତାନପାଇଁ ସବୁ କାଳରେ ଉଦାହରଣ ହୋଇ ରହିଛି। ମାତ୍ର ଆଜିର ବଜାର ସର୍ବସ୍ୱ ସଂସ୍କୃତିରେ ବି ଏମିତି ଏକ କଥା ମନକୁ ପ୍ରଭାବିତ କରିପାରେ ତା’ର ମଧ୍ୟ ଏକ ସୁନ୍ଦର କାହାଣୀ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କଥାଟି ଏମିତି। ଜଣେ ଭଦ୍ରବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ଏକ ପରିବା ଦୋକାନ ଉପରେ ନଜର ପଡିଛି। ଦୋକାନରେ ଦୋକାନୀ ନାହିଁ। ଫଳକଟିଏ ଝୁଲୁଛି। ଲେଖା ହୋଇଛି ଘରେ ମୋର ରୋଗିଣା ମା’। ତାକୁ ଦେଖିବାକୁ ଆଉ କେହି ନାହିଁ। ମୁଁ ଏକା। ତେଣୁ ଆପଣ ପରିବା ତଉଲି ନେଇ ଉପଯୁକ୍ତ ପ୍ରାପ୍ୟ ଦୋକାନରେ ଥୁଆ ହୋଇଥିବା ଅଖା ତଳେ ରଖିଦେବେ। ପଇସା ନଥିଲେ ଚିନ୍ତା ନାହିଁ, କାଲି ଦେବେ। ଭଦ୍ରବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହେଲେ। ତଥାପି କିଛି ପରିବା ତଉଲିନେଇ ପଇସା ନିର୍ଦ୍ଧାରିତ ଅଖାତଳେ ରଖିଦେଲେ। ସେ ଅଖାତଳେ ଆହୁରି କିଛି ଟଙ୍କା ପୂର୍ବରୁ ରହିଥିଲା। ଭଦ୍ରବ୍ୟକ୍ତିଙ୍କୁ ଏ କଥା କେମିତି ଅଜବ ଲାଗିଲା।
ସନ୍ଧ୍ୟାରେ ପତ୍ନୀଙ୍କ ସହ ସେଇବାଟେ ଆସିଛନ୍ତି। ଦେଖିଛନ୍ତି ଏକ ମଧ୍ୟବୟସ୍କ ଜୀର୍ଣ୍ଣଶୀର୍ଣ୍ଣ ମଣିଷକୁ। ଦୋକାନ ସଫା କରୁଛି। ଦେହରେ ଛିଣ୍ଡା ମଇଳା ବସ୍ତ୍ର। ଭଦ୍ରବ୍ୟକ୍ତିଙ୍କୁ ଦେଖି ସେ ମଣିଷ ଜଣକ କହିଛି – ସବୁ ପରିବା ଆଜି ସରିଯାଇଛି। ଆପଣ କାଲି ଆସିବେ। ଭଦ୍ରବ୍ୟକ୍ତି ଜଣକ ପରିବା ନୁହେଁ, ଫଳକ ବିଷୟରେ ଜାଣିବାକୁ ଚାହିଁଛନ୍ତି।
ସେ ତା’ କାହାଣୀ କହିଛି – ଘରେ ମୋର ରୋଗିଣା ମା’। ତା’ର ସେବା ପାଇଁ କେହି ନାହାନ୍ତି। କିଛି ଦିନ ତଳେ ପତ୍ନୀ ମଧ୍ୟ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଘରେ କେବଳ ମା’ ଓ ମୁଁ। ମା’ର ସେବାଯତ୍ନ କରିବାକୁ ମୋର ପ୍ରଗାଢ଼ ଇଚ୍ଛା। ମାତ୍ର ପାଖରେ ପଇସା ନାହିଁ। ମା’ ବୁଝି ପାରିଛି ମୋ ମନକଥା। କହିଛି ତୁ ଏଇଭଳି ଦୋକାନ ଟେ ଦେ। ଦେଖିବୁ ମା’ର ଡାକ କେବେ ଅନ୍ୟଥା ଯିବନି। ସତକୁ ସତ ମୁଁ ଏମିତି ଦୋକାନଟେ କଲି। ଦେଖିଲି ମୋ ଭଳି ମା’କୁ ଭଲ ପାଇବା ବ୍ୟକ୍ତି ଏ ସଂସାରରେ ଅନେକ ଅଛନ୍ତି।
ସମସ୍ତେ ପରିବା ନେଉଛନ୍ତି, ମା’ କଥା ପଢୁଛନ୍ତି ଏବଂ ଆବଶ୍ୟକତା ଠାରୁ ଅଧିକ ପଇସା ମଧ୍ୟ ଅଖାତଳେ ରଖି ଯାଉଛନ୍ତି, କାଳେ ମା’ର ଖର୍ଚ୍ଚରେ ଲାଗିବ। ହଁ, କାଲି ଜଣେ ଝିଅ ଦୁଇଖଣ୍ଡ ରୁଟି ଓ ଗୁଡ଼ ଅଖାତଳେ ରଖି ଲେଖି ଦେଇଥିଲା- ମା’ ପାଇଁ। ଆଉ ଜଣେ କିଛି ଫୁଲ ରଖି ଲେଖି ଥିଲା- ମା’ ପାଇଁ। ଏବଂ, ଆଉ ଜଣେ ଡାକ୍ତରବାବୁ ତାଙ୍କ କାର୍ ଚାବି ସହ ରଖି ଲେଖି ଦେଇଛନ୍ତି ମା’ଙ୍କ ପାଇଁ। ଏସବୁ ଦେଖି ମୋ ଆଖି ଆନନ୍ଦର ଅଶ୍ରୁରେ ପୂରି ଉଠିଛି। ଭାବୁଛି ମା’ର ନାଁ କେତେ ଶକ୍ତିଶାଳୀ। ତେଣୁ ମୋ ମା’ ସେବାର ମୁଁ ନୁହେଁ, ଏଇମାନେ ତ ଅସଲ ହକଦାର ।
ତୃତୀୟ କଥାଟି ବେଶ୍ ବିସ୍ମୟ କର
ବର୍ଷୁକୀ ରାତି। ଝଡ଼-ବତାସରେ ଭୟଙ୍କର ଦିଶୁଛି। ଘଡ଼ଘଡ଼ି ବିଜୁଳିରେ ମୁହଁକୁ ମୁହଁ ଦିଶୁନି। ଗଛ ଡାଳ ଭାଙ୍ଗି ଠାଏ ଠାଏ ରାସ୍ତାକୁ ବନ୍ଦୀ କରିଦେଇଛି। ସେଇବାଟେ ଯାଉଥିବା ଜଣେ କାର୍ ଆରୋହୀଙ୍କ ଆଖି ବିଜୁଳିର ଆଲୁଅରେ ଚମକି ଉଠିଛି। ସାମ୍ନାରେ ଜଣେ ନାରୀ, ବର୍ଷାରେ ଭିଜିଭିଜି ତାଙ୍କ ଗାଡ଼ିକୁ ହାତଠାରି ଅଟକାଉଛି। ଦୃଶ୍ୟଟି ଥିଲା ତାଙ୍କ ପାଇଁ ଅଭାବିତ। ଏ ବର୍ଷା ରାତିରେ କିଏ ଏଇ ରହସ୍ୟମୟୀ ନାରୀ? ଭୟରେ ତାଙ୍କ ଛାତି ଥରି ଉଠିଛି। ତଥାପି ଗାଡ଼ି ଅଟକାଇ ସେ ପଦାକୁ ଆସିଛନ୍ତି। ଏବେ ନାରୀଜଣକ ତାଙ୍କୁ ବାଟ କଢ଼ାଇ କଢ଼ାଇ ଆଗକୁ ଆଗକୁ ଚାଲିବାକୁ ଲାଗିଲା। ସେ ଚାଲିରେ କି ସମ୍ମୋହନ ଥିଲା କେଜାଣି, ତାଙ୍କ ଭିତରୁ ସବୁ ଭୟ ଦୂରେଇଗଲା।
କିଛି ଦୂର ଯିବାପରେ ଦେଖିଲେ ଦୁର୍ଘଟଣାରେ ଗାଡ଼ିଟିଏ ଭାଙ୍ଗି ଚୁରମାର ହେଇପଡିଛି। ଗାଡ଼ି ପାଖରେ ସେ ଅଟକିଗଲେ। ଆଗ ଦରଜା ଖୋଲିଲେ। ଦେଖିଲେ ଶିଶୁଟିଏ। ଚାପି ହୋଇ ପଡିରହିଛି ତା’ର ନିସ୍ତେଜ ଦେହ, ବହୁ ପରିଶ୍ରମ କରି ଶିଶୁଟିକୁ ବାହାରକୁ ଆଣିଲେ। ଚେତା ଶୂନ୍ୟ, ମାତ୍ର ଜୀବନ୍ତ। ଶିଶୁଟିକୁ ଧରି ଏବେ ଚାହିଁଲେ ଚାଳକ ସିଟ୍କୁ। ମାତ୍ର ଏ କ’ଣ ଦେଖୁଛନ୍ତି ସେ? ଆଖିକୁ ବିଶ୍ୱାସ କରିପାରୁନାହାନ୍ତି। ଷ୍ଟିଅରିଂ ମଝିରେ ଚାପି ହୋଇ ବଣ୍ଡୁଳାଟିଏ ହୋଇଯାଇଛି ନାରୀଟିଏ। ଦେହ ଓ ମୁହଁରୁ ଝରିଯାଇଛି ଧାରଧାର ରକ୍ତ। ସେଇଠି ଅଟକି ଗଲେ ସେ। ପଛକୁ ଫେରିଚାହିଁଲେ। କାହିଁ କେହି ନାହିଁ ତ! ଚାରି ଆଡ଼କୁ ଆଖି ବୁଲାଇ ଆଣିଲେ।
ନା! କେହି କେଉଁଠି ନାହାନ୍ତି! ସବୁଆଡ଼େ କେବଳ ବର୍ଷା ଆଉ ବର୍ଷା। ପବନ, ଘଡ଼ଘଡ଼ି, ବିଜୁଳି। ପିଲାଟିକୁ ଯତ୍ନରେ ଧରି ନିଜ ଗାଡ଼ି ପାଖକୁ ଫେରିଲେ। ଭାବୁଥିଲେ- କିଏ ତାହେଲେ ସେଇ ରହସ୍ୟମୟୀ ନାରୀ? ମନେ ମନେ କହୁଥିଲେ, ସେ ଆଉ କେହି ନୁହେଁ, ଅନନ୍ତ କାଳର ମାତୃତ୍ୱ। ଯିଏ ନିଜର ଅବର୍ତ୍ତମାନରେ ବି ତା’ ସନ୍ତାନର ଚାରିପାଖରେ ସୁଦୃଢ଼ ସୁରକ୍ଷା ବଳୟଟେ ତିଆରି କରୁଥାଏ। ଆଉ କହୁଥାଏ – ‘ମୁଁ ଅଛି, ତୋର ଡର କାହାକୁ? ମୁଁ ଅଛି’।
ମା’ ଓ ମାତୃତ୍ୱ ସବୁକାଳରେ ଏମିତି। ସେ ଯେଉଁ ରୂପ ଓ ଭାବରେ ଥାଉ, ସେ କେବଳ ମାତୃତ୍ୱ। ଏକ ଅନାସକ୍ତ ଆନନ୍ଦ। ଅନାବିଳ ଆବେଗ। ପୂର୍ଣ୍ଣତା ଓ ସମର୍ପଣ। ଯିଏ, କେବେ କିଛି ଖୋଜେ ନାହିଁ, ଦାବି କରେ ନାହିଁ, କିଛି ପାଇବାର ଆଶା ରଖେ ନାହିଁ। ମାତ୍ର ଚିରକାଳ ସନ୍ତାନ ପାଖରେ ଅଧିକାର ରଙ୍କୁଣୀ। ତେଣୁ ଭାରତୀୟ ଦର୍ଶନରେ କୁହାଯାଇଛି- ‘ମାତୃ ଦେବୋ ଭବଃ’।