ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବଭାରତରେ ରହିଛି ଏପରି ଅନେକ ସ୍ଥାନ ଯାହା ସାଜିଛି ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାକାର ପ୍ରାକୃତିକ ସୁନ୍ଦରତା ସମସ୍ତଙ୍କୁ ମୁଗ୍ଧ କରିଥାଏ। ଏପରି ଏକ ରାଜ୍ୟ ହେଉଛି ତ୍ରିପୁରା ଯେଉଁଠି ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ ଗୋଟିଏ ହେଉଛି ଏଠାକାର ଦାମବୁର ହ୍ରଦ।
ପ୍ରାକୃତିକ ୟୌନ୍ଦର୍ଯ୍ୟରେ ଭରପୂର ଏହି ହ୍ରଦ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୪୧ ବର୍ଗ କିଲୋମିଟର ସ୍ଥାନ ଦେଇ ବହିଛି ଏହି ସୁନ୍ଦର ହ୍ରଦ। ଭଗବାନ ଶିବଙ୍କ ଡମ୍ବରୁ ନାମରୁ ହିଁ ଏହାର ନାମ ଦାମବୁର ରଖାଯାଇଛି।
ଏହି ହ୍ରଦର ଚାରି ପାର୍ଶ୍ୱ ,ସୁନ୍ଦର ପାହାଡ଼ ଏବଂ ସବୁଜିମାରେ ଭରପୂର। ଏହି ହ୍ରଦରେ ରହିଛି ଛୋଟ ଛୋଟ ୪୮ଟି ଦ୍ୱୀପ। ରାଇମା ଏବଂ ସାଇମା ନଦୀର ମିଳନ ସ୍ଥଳ ରୂପେ ପରିଚିତ ଏହି ସ୍ଥାନ।
ଏହା ହେଉଛି ଗୁମତୀ ନଦୀର ଉତ୍ପତି ସ୍ଥଳ ଯାହା ଅନେକ ଜିଲ୍ଲା ଦେଇ ବାଂଲାଦେଶର ମେଘନା ନଦୀରେ ଯାଇ ମିଶିଛି। ତେଣୁ ଏହା ଏକ ତୀର୍ଥ ସ୍ଥାନ ମଧ୍ୟ। ପ୍ରତିବର୍ଷ ଜାନୁଆରୀ ୧୪ରେ ଏଠାରେ ପୋଷ ସଂକ୍ରାନ୍ତି ମେଳା ଲାଗେ ଯାହା ବହୁତ ଲୋକପ୍ରିୟ। ଏଠାରେ ରହିଛି ଗୁମତୀ ହାଇ଼ଡ୍ରୋଇଲେକ୍ଟ୍ରିକ୍ ପାଓ୍ୱାର ପ୍ରୋଜେକ୍ଟ।
ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଗୁମତୀ ଓ୍ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଯେଉଁଠାରେ ଅନେକ ପ୍ରକାରର ଜୀବଜନ୍ତୁ ଏବଂ ପକ୍ଷୀ ଦେଖିବାକୁ ମିଳିବ। ୩୯୦ ବର୍ଗ କିଲୋମିଟର ସ୍ଥାନରେ ବିସ୍ତାର ହୋଇଛି ଏହି ସେଞ୍ଚୁରୀ। ଏହା ବ୍ୟତୀତ ଶୀତ ଦିନରେ ଅନେକ ପ୍ରଜାତିର ପକ୍ଷୀଙ୍କ ମେଲା ଲାଗିଥାଏ ଏହି ସ୍ଥାନରେ। ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଥିବା ଏହି ସ୍ଥାନ ସମସ୍ତଙ୍କ ମନରେ ନିଜର ଛାପ ଛାଡ଼ିବାରେ ସକ୍ଷମ ହୋଇପାରିଛି।