ଓଡ଼ିଶାଲାଇଭ୍ ବ୍ୟୁରୋ

‘ଯଦି ମନୋବଳ ଦୃଢ଼ ଥିବ, ତେବେ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ’

ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ଧନଞ୍ଜୟ ମାଞ୍ଜି, ପତ୍ନୀଙ୍କ ପରୀକ୍ଷା ପାଇଁ ସ୍କୁଟିରେ ଅତିକ୍ରମ କଲେ ୧୧୭୬ କିଲୋମିଟର ରାସ୍ତା। ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ସତ। ଏହି ଘଟଣା ପାଇଁ ପୁରା ଝାଡ଼ଖଣ୍ଡରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

ଧନଞ୍ଜୟଙ୍କ ପତ୍ନୀ ସୋନୀ ହେମ୍ଵ୍ରମ ସାତ ମାସର ଗର୍ଭବତୀ ଅଛନ୍ତି। ଭବିଷ୍ୟତରେ ଶିକ୍ଷକଟିଏ ହେବାପାଇଁ ଗ୍ଵାଲିଅରର ଏକ କଲେଜରେ ଡିଲିଟ କୋର୍ସ କରୁଛନ୍ତି ସୋନୀ। ବର୍ତ୍ତମାନ ସେ ଡିଲିଟର ସେକେଣ୍ଡ ଇୟରରେ ପଢୁଛନ୍ତି।ଲକ୍‌ଡାଉନ ପାଇଁ ବସ୍‌, ଟ୍ରେନ୍ ସବୁକିଛି ବନ୍ଦ ରହିଛି। କିନ୍ତୁ ପତ୍ନୀ ସୋନୀଙ୍କ ପରୀକ୍ଷା ଦେବା ନିହାତି ଆବଶ୍ୟକ। ଧନଞ୍ଜୟଙ୍କ ଘର ଗୋଡ୍ଡାଠାରୁ ସୋନୀଙ୍କ କଲେଜ ଗ୍ଵାଲିଅର୍‌ର ଦୂରତା ୧୧୭୬ କିଲୋମିଟର। ଅଟୋ କି କାର୍ ଭଡ଼ା କରି ଯିବାକୁ ମଧ୍ୟ ସମ୍ଵଳ ନଥିଲା ତାଙ୍କ ପାଖରେ। ଏଣୁ ସ୍କୁଟିରେ ଏହି ସୁଦୂର ରାସ୍ତାକୁ ଅତିକ୍ରମ କରିବାକୁ ଧନଞ୍ଜୟ ଠିକ୍ କରିଥିଲେ।
ଗୁଜୁରାଟର ଏକ କମ୍ପାନିରେ ରୋଷେୟା ଭାବେ କାମ କରୁଥିଲେ ଧନଞ୍ଜୟ। କରୋନା ପାଇଁ ସେ ନିଜ ଚାକିରି ହରାଇ ୩ ମାସ ହେବ ହେବ ଘରେ ବସିଛନ୍ତି। ଯାହା ଯେତିକି ଅର୍ଥ ସଞ୍ଚୟ କରି ରଖିଥିଲେ ସବୁ ଘର ଚଳାଇବାରେ ଖର୍ଚ୍ଚ ହୋଇଯାଇଛି। ଏମିତି କି ସ୍କୁଟିରେ ପେଟ୍ରୋଲ୍ ପକାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କାଟିଏ ନାହିଁ। ପତ୍ନୀ ନିଜ ଗହଣାକୁ ୧୦ ହଜାର ଟଙ୍କାରେ ବନ୍ଧା ପକାଇ ପେଟ୍ରୋଲ୍ ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ସେହି ଟଙ୍କାରେ ସ୍କୁଟିରେ ପେଟ୍ରୋଲ୍ ଭରି ଉଭୟେ ଗୋଡ୍ଡାରୁ ଗ୍ଵାଲିଅର ଯାତ୍ରା କରିଥିଲେ। ଏହି ୧୧୭୬ କିଲୋମିଟର ଯାତ୍ରା ପାଇଁ ତାଙ୍କୁ ଦୁଇଦିନ ସମୟ ଲାଗିଥିଲା।
BGU
ଧନଞ୍ଜୟଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ମାତ୍ର ଦଶମ ଶ୍ରେଣୀ। କିନ୍ତୁ ଶିକ୍ଷାର ମୂଲ୍ୟକୁ ଠିକ୍‌ ଭାବେ ବୁଝିଛନ୍ତି ଧନଞ୍ଜୟ। ପତ୍ନୀଙ୍କ ଶିକ୍ଷକ ହେବାର ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ଧନଞ୍ଜୟ। ସେମାନଙ୍କ ଏହି ଲମ୍ଵା ଯାତ୍ରାରେ ଅନେକ ବାଧା ବିଘ୍ନ ଆସିଥିଲା। ମାତ୍ର ପ୍ରଚୁର ଇଚ୍ଛାଶକ୍ତି ଏବଂ ଦୃଢ଼ ମନୋବଳ ପାଇଁ ସେମାନେ ଏହି ଲମ୍ଵା ଯାତ୍ରାକୁ ଅତି ସହଜରେ ପାର୍ କରିପାରିଥିଲେ।

LEAVE A REPLY

Please enter your comment!
Please enter your name here