ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମମାଟିକୁ ଫେରିଲା ସହିଦ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଶନିବାର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିଛି ସିଆରପିଏଫ ଯବାନ ସୁଶାନ୍ତଙ୍କ ମରଶରୀର। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସୁଶାନ୍ତଙ୍କ ବିୟୋଗରେ ଅନନ୍ଦପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀରକୁ ରଞ୍ଚିରୁ ସିଧାସଳଖ ଅନନ୍ଦପୁର ଅଣାଯାଇଥିଲା। ସିଆରପିଏଫର ଅନ୍ୟ ଯବାନମାନେ ତାଙ୍କୁ ଶନିବାର ଜନ୍ମମାଟିକୁ ଆଣି ଆସିଥିଲେ। ଏହାପରେ ସ୍ଥାନୀୟ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଝାଡ଼ଖଣ୍ଡର ଚାଇବାସା କୋଲହାନ ଜଙ୍ଗଲରେ ଶୁକ୍ରବାର ଦିନ କମ୍ବିଂ ଅପରେସନବେଳେ ସିଆରପିଏଫ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ନକ୍ସଲମାନେ ଯବାନମାନଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ। ନସ୍କଲଙ୍କ ସହ ମୁହାଁମୁହିଁ ବେଳେ ଓଡ଼ିଆ ପୁଅ ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା।

ଏହାପରେ ସୁଶାନ୍ତ ଓ ଅନ୍ୟ ଜଣେ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ସୁଶାନ୍ତଙ୍କ ଦେହାନ୍ତ ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ।

ସୁଶାନ୍ତଙ୍କୁ ଆଜି ସାରା ଦେଶ ଝୁରୁଥିବାବେଳେ ସହିଦଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଏକ ଟ୍ୱିଟ୍ କରି ଶୋକପ୍ରକାଶ କରିବା ସହ ସହିଦ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସୁଶାନ୍ତ ୨୦୧୧ ମସିହାରେ ସିଆରପିଏଫରେ ନିଯୁକ୍ତି ପାଇଥିଲେ। ମାତ୍ର ଦୁଇ ମାସ ତଳେ ତାଙ୍କର ବିବାହ ହୋଇଥିଲା। ସୁଶାନ୍ତଙ୍କୁ ମିଶାଇ ମାତ୍ର ଦୁଇ ବର୍ଷ ଭିତରେ ତାଙ୍କ ବାପା ଏବଂ ଦୁଇ ଭାଈଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଏହି ସହିଦ ଯବାନଙ୍କ ଘରେ ମୂରବି କହିଲେ କେହିନାହାନ୍ତି।

Tags: #NaxalAttack #OdiaJawanMartyred #SushantKumarKhuntia #CRPFConstable #Jharkhand #Odisha

Comment