ଓଡ଼ିଶାଲାଇଭ୍‌ ବ୍ୟୁରୋ

Atal Tunnel

ବିଶ୍ୱର ଦୀର୍ଘତମ ହାଇୱେ ସୁଡ଼ଙ୍ଗ ଅଟଲ ଟନେଲର ନିର୍ମାଣ କାମ ସରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମିତ ଏହି ସୁଡ଼ଙ୍ଗ ପଥ ମନାଲିରୁ ଲେହକୁ ସଂଯୋଗ କରିବ। ସମୁଦ୍ର ପତ୍ତନଠାରୁ ୧୦ହଜାର ଫୁଟ ଉପରେ ନିର୍ମିତ ଏହି ଟନେଲ ନିର୍ମାଣ ପାଇଁ ୧୦ ବର୍ଷ ଲାଗିଛି। ଅବଶ୍ୟ ପ୍ରାଥମିକ ଆକଳନ ଅନୁସାରେ ଏହା ୬ ବର୍ଷ ଭିତରେ ସରିବାର ଥିଲା। ତେବେ ଏହି ଟନେଲ ନିର୍ମାଣ ହେବା ପରେ ସାମରିକ ପରିଚାଳନା ଦୃଷ୍ଟିରୁ ବେଶ ସହାୟକ ହେବ ବୋଲି ମୁଖ୍ୟ ଯନ୍ତ୍ରୀ କେପି ପୁରୁଷୋତ୍ତମନ କହିଛନ୍ତି।

Atal Tunnel

ଏହି ଟନେଲର ପ୍ରତି ୬୦ ମିଟର ଦୂରତାରେ ସିସିଟିଭି କ୍ୟାମେରା ଲାଗିଛି। ପ୍ରତି ୫୦୦ ମିଟରରେ ସୁଡ଼ଙ୍ଗରୁ ବାହାରି ଆସିବା ପାଇଁ ଏକ୍ଜିଟ୍ ଟନେଲ ମଧ୍ୟ ତିଆରି ହୋଇଛି। ଏହି ଦୀର୍ଘତମ ସୁଡ଼ଙ୍ଗ ମନାଲି ଓ ଲେହମଧ୍ୟରେ ୪୬ କିଲୋମିଟରର ଦୂରତା କମାଇଛି। ଏହା ଛଡ଼ା ଲେହରେ ପହଞ୍ଚିବା ପାଇଁ ୪ ଘଣ୍ଟା କମ ସମୟ ଲାଗିବ। ଉଚ୍ଚକ୍ଷମତାସମ୍ପନ୍ନ ଅଗ୍ନିନିର୍ବାପକ ବ୍ୟବସ୍ଥା ମଧ୍ୟ ରହିଛି ଏହି ଟନେଲରେ। ଏହି ଟନେଲ ନିର୍ମାଣ କରିବା ପାଇଁ ଭୌଗୋଳିକ ଚାପ ଅନେକ ଥିଲା ତଥାପି ବହୁ ପରିଶ୍ରମ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି କହିଛନ୍ତି ପୁରୁଷୋତ୍ତମନ। ଏହି ଟନଲେର ପ୍ରସ୍ତ ୧୦.୫ ମିଟର। ଉଭୟ ପାର୍ଶ୍ୱରେ ଏକମିଟର ଲେଖାଏଁ ପାଦଚଲା ରାସ୍ତା ମଧ୍ୟ ରହିଛି। ଏହି ଟନେଲ ନିର୍ମାଣ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା। ଆମକୁ ଉଭୟ ପାର୍ଶ୍ୱରୁ କାମ କରିବାକୁ ପଡ଼ୁଥିଲା। ଗୋଟିଏ ପଟେ ରୋହତଙ୍ଗ ଘାଟୀ ପଟୁ ସୁଡ଼ଙ୍ଗ ଖୋଳାଯାଉଥିଲା। ରୋହତଙ୍ଗ ପାର୍ଶ୍ୱରେ ବର୍ଷକୁ କେବଳ ୫ ମାସ ହିଁ ପହଞ୍ଚି ହେଉଥିଲା” କହିଛନ୍ତି ଅଟଳ ଟନେଲର ପ୍ରକଳ୍ପ ନିର୍ଦ୍ଦେଶ କର୍ଣ୍ଣେଲ ପରିକ୍ଷୀତ ମେହେରା। ଚଳିତମାସ ଏହି ଟନଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଏଥିପାଇଁ ଯୋରଦାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

BGU

ଲେହ-ମନାଲି ହାଇୱେ ଲଦାଖରେ ପହଞ୍ଚିବା ପାଇଁ ୨ଟି ରାସ୍ତା ମଧ୍ୟରୁ ଗୋଟିଏ। ତେବେ ରୋହତଙ୍ଗ ପାସରେ ପ୍ରବଳ ବରଫପାତ ଯୋଗୁଁ ବର୍ଷକୁ ଅଧିକାଂଶ ଦିନ ଏହି ହାଇୱେ ବନ୍ଦ ରହେ। ବର୍ଷକୁ କେବଳ ୪ ମାସ ହିଁ ଏହି ରାସ୍ତା ଦେଇ ଯିବା ଆସିବା କରିହୁଏ। ଲେହ ପହଞ୍ଚିବା ପାଇଁ ବିକଳ୍ପ ରାସ୍ତା ହେଉଛି ଶ୍ରୀନଗର-ଗ୍ରାସ-କାରଗିଲ-ଲେହ ହାଇୱେ। ଜୋଜିଲା ପାସ୍ ଦେଇ ଯାଉଥିବା ଏ ରାସ୍ତାରେ ମଧ୍ୟ ବର୍ଷକୁ ମାତ୍ର ୪ ମାସ ଯାଇ ହୁଏ। ଏହି ଦୁଇଟି ରାସ୍ତା ସାମରିକ ପରିବହନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏବେ ମନାଲି-ଲେହ ହାଇୱେରେ ଏହି ଟନଲେ ତିଆରି ହେବା ପରେ ସାମରିକ ଦୃଷ୍ଟିରୁ ବେଶ ଲାଭଦାୟକ ହେବ।

Atal Tunnel

ଏହି ଟନେଲ ନିର୍ମାଣ ନେଇ ପ୍ରଥମେ ୧୯୬୦ ମସିହାରେ ଏକ ଆଲୋଚନା ହୋଇଥିଲା। ଟନେଲ ତିଆରି କରିବା କେତେଦୂର ସମ୍ଭବ ସେ ନେଇ ନେହରୁ ସରକାର ଆଲୋଚନା କରିଥିଲେ। କିନ୍ତୁ ଏହା କେବଳ ଆଲୋଚନା ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଥିଲା। ତେବେ ୩୯ ବର୍ଷ ପରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ପୁଣି ଏହି ଟନେଲ ନିର୍ମାଣ କଥା ଉଠିଲା। ସ୍ଥାନୀୟ ଲାହୁଲ ଅଞ୍ଚଳର ଅର୍ଜୁନ ଗୋପାଳ ଯିଏ ବାଜପେୟୀଙ୍କ ବାଲ୍ୟବନ୍ଧୁ, ତାଙ୍କୁ ସ୍ଥାନୀୟ ଲୋକେ ଏହି ଟନେଲ ନିର୍ମାଣ ସମ୍ପର୍କରେ କଥା ହେବା ପାଇଁ ପ୍ରବର୍ତ୍ତାଇଥିଲେ। ସେ ଓ ତାଙ୍କର ଦୁଇ ବନ୍ଧୁ ଚେରିଂଗ ଦୋର୍ଜି ଓ ଅଭୟ ଚାନ୍ଦ ଆସି ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସହ କଥା ହୋଇଥିଲେ। ପ୍ରାୟ ବର୍ଷେ କାଳ ଆଲୋଚନା ପରେ ବାଜପେୟୀ ଟନେଲ ନିର୍ମାଣ ପାଇଁ ରାଜି ହୋଇଥିଲେ। ୩ ଜୁନ ୨ହଜାର ମସିହାରେ ବାଜପେୟୀ ଏହି ଟନେଲ ନିର୍ମାଣ ନେଇ ଘୋଷଣା କରିଥିଲେ। କିନ୍ତୁ ପ୍ରୋଜେକ୍ଟ ଆରମ୍ଭ ହେବାରେ ବହୁତ ବିଳମ୍ବ ହୋଇଥିଲା। ପ୍ରାଥମିକ ଭାବେ ୫ଶହ କୋଟି ବ୍ୟୟଅଟକଳରେ ଟନେଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୭ବର୍ଷ ଭିତରେ କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତଥାପି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା। ଶେଷରେ ୨୦୦୭ରେ ସାନି ବର୍ଦ୍ଧିତ ବ୍ୟୟ ଅଟକଳ ୧୭ଶହ କୋଟି ଖର୍ଚ୍ଚରେ କାମ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା।

Atal Tunnel

୨୦୦୭ରେ ଏସଏମଇସି କମ୍ପାନିକୁ ଏହି ପ୍ରକଳ୍ପର ଟେଣ୍ଡର ଦିଆଯାଇଥିଲା। ବର୍ଡର ରୋଡ ଅର୍ଗାନାଇଜେସନ ତତ୍ୱାବଧାନରେ ଏହି ଟନେଲ ନିର୍ମାଣ ହେବାର ଥିଲା। ଏଥର ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା। ଶେଷରେ ୨୮ଜୁନ୍ ୨୦୧୦ରେ କାମ ଆରମ୍ଭ ହୋଇଥିଲା। ପ୍ରଥମିକ ଭାବେ ୨୦୧୬ରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ, ୪ ବର୍ଷ ଅଧିକ ସମୟ ଲାଗିଛି। ୨୫ ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟନେଲର ନାମ ପରିବର୍ତ୍ତନ କରି ଅଟଳ ଟନେଲ ଭାବେ ନାମିତ କରିଥିଲେ।

LEAVE A REPLY

Please enter your comment!
Please enter your name here