ଓଡ଼ିଶାଲାଇଭ୍ ବ୍ୟୁରୋ

ଲଦାଖର ଲେହ ଅଞ୍ଚଳକୁ ଚୀନର ବୋଲି ଦେଖାଇବା ପରେ ଆଜି ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟୁଇଟରକୁ ଲିଖିତ ସ୍ପଷ୍ଟୀକରଣ ମାଗିଛି ସଂସଦୀୟ ସମିତି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍, ୨୦୧୯ ବଳରେ ସମିତି ସଂସଦୀୟ କମିଟି ଟୁଇଟରର ପ୍ରତିନିଧିଙ୍କୁ ତୁରନ୍ତ ଜବାବ ଦେବାକୁ ନିର୍ଦେଶ ଦେଇଛି।

ଏନେଇ ସମିତିର ଅଧ୍ୟକ୍ଷା ମିନାକ୍ଷୀ ଲେଖୀ କହିଛନ୍ତି ଯେ, ଏହା କେବଳ ଏକ ସମ୍ବେଦନଶୀଳ ମାମଲା ନୁହେଁ, ବରଂ ଏହା ଭାରତର ସ୍ୱତନ୍ତ୍ରତା ଓ ଅଖଣ୍ଡତାକୁ ମଧ୍ୟ ପ୍ରଭାବିତ କରୁଛି। ଲଦାଖକୁ ଚୀନର ବୋଲି ଦେଖାଇବା ଏହି ଅପରାଧ ଅଟେ। ଏଥିପାଇଁ ସାତବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ। ତେଣୁ ଏନେଇ ଟୁଇଟରକୁ ତୁରନ୍ତ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଗତ ୧୮ ତାରିଖରେ ସାମ୍ବାଦିକ ନୀତିନ ଗୋଖଲେ ଏନେଇ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଟୁଇଟର ନିଜ ସାଇଟରେ ଲଦାଖର ଲେହ ଅଞ୍ଚଳକୁ ଚୀନର ବୋଲି ଦେଖାଇଥିଲା।

ଏହାପରେ କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନୀ ତୁରନ୍ତ ଏନେଇ ଟୁଇଟରର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଚିଠି ଲେଖି ଜଣାଇଥିଲେ। ଟୁଇଟର ଭାରତୀୟ ନାଗରିକଙ୍କ ସମ୍ବେଦନଶୀଳତାର ସମ୍ମାନ କରିବା ଦରକାର ବୋଲି ସେ ନିଜ ଚିଠିରେ ଲେଖିଥିଲେ। ଏଥିସହ ତୁରନ୍ତ ଏହି ମାମଲାର ସମାଧାନ କରିବାକୁ ସେ ଟୁଇଟର ସିଇଓଙ୍କୁ ଜଣାଇଥିଲେ।

ଏହି ଚିଠି ପରେ ଟୁଇଟର ତରଫରୁ ମଧ୍ୟ କୁହାଯାଇଥିଲା ଯେ, ସେମାନେ ଭାରତ ସରକାରଙ୍କ ସହ ପ୍ରତିବଦ୍ଧ ହୋଇ କାମ କରିବାକୁ ଚାହୁଁଛନ୍ତି। ଲେହକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାକୁ ସେମାନେ ତୁରନ୍ତ ସମାଧାନ କରିବେ ବୋଲି କହିଥିଲେ। ଏହାପରେ ସଂସଦୀୟ ସମିତି ଟୁଇଟରକୁ ଲିଖିତ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛି।

Comment