ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କେବେ ବି ନିଜ ଭାଇ ଭଉଣୀମାନଙ୍କୁ ବାପା, ମାଆ ନଥିବାର କଷ୍ଟ କ’ଣ ଜାଣିବାକୁ ଦେଇନଥିଲେ। ସେ ଭାଇ ଭଉଣୀମାନଙ୍କୁ ମଣିଷ କରିବା ଲାଗି ପିଲାଟି ଦିନରୁ କାମ କରିଥିଲେ। ତେବେ କାମ ଭିତରେ ଯେ, ଲତା ପ୍ରେମରେ ପଡ଼ିନଥିଲେ। ସେମିତି କୁହାଯାଇପାରିବ ନାହିଁ। କିନ୍ତୁ ସେ ବିବାହ କାହିଁକି କଲେନି ଏ ପ୍ରଶ୍ନ ତ ନିଶ୍ଚୟ ମନରେ ଉଠୁଥିବ।

ଲତା ମଙ୍ଗେସକର ଯେତେବେଳେ ଖୁବ୍ ଛୋଟ ଥିଲେ, ସେତେବେଳେ ସେ ପ୍ରଖ୍ୟାତ ଅଭିନେତା – ଗାୟକ କୁଳନଲାଲ ସହଗଲ ଅଭିନୀତ ସିନେମା ‘ଚଣ୍ଡୀଦାସ’ ଦେଖିଥିଲେ। ଏହି ସିନେମାର ନାୟକ କୁଳନଲାଲ ସହଗଲ ତାଙ୍କୁ ଏତେ ଭଲ ଲାଗିଥିଲେ ଯେ ସେ କହୁଥିଲେ ବଡ଼ ହେବା ପରେ ସହଗଲଙ୍କୁ ହିଁ ବିବାହ କରିବେ। କିନ୍ତୁ ଲତାଜୀ ଆଜୀବନ ଅବିବାହିତା ରହିଗଲେ।

ଡୁଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍ ସିଂହଙ୍କୁ ଲତା ମଙ୍ଗେସକର ଖୁବ୍ ଭଲ ପାଉଥିଲେ। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଜଣେ ପ୍ରଖ୍ୟାତ ସଙ୍ଗୀତକାର। ଯୁବାବସ୍ଥାରେ ହୃଦୟନାଥ ଓ ରାଜ୍ ଖୁବ୍‌ ଭଲ ସାଙ୍ଗ ଥିଲେ। ସେ ଦୁହେଁ ସାଙ୍ଗ ହୋଇ କ୍ରିକେଟ୍ ଖେଳନ୍ତି।

ରାଜ୍‌ ଆଇନ୍‌ ପଢ଼ିବା ପାଇଁ ମୁମ୍ବାଇ ଆସିଥିଲେ। ସେତେବେଳେ ହୃଦୟନାଥଙ୍କ ସହିତ ରାଜଙ୍କର ବନ୍ଧୁତା ହେଲା। ରାଜ୍‌ ପିଲାଦିନରୁ ଜଣେ କ୍ରିକେଟ୍ ପ୍ରେମୀ ଥିଲେ। ଲତାଙ୍କ ଭାଇ ହୃଦୟନାଥ ମଧ୍ୟ ଭଲ କ୍ରିକେଟ୍ ଖେଳୁଥିଲେ। କ୍ରିକେଟ୍ ଖେଳିବା ବେଳେ ଦୁହେଁ ଭଲ ସାଙ୍ଗ ହୋଇଯାଇଥିଲେ। ଲତା ମଙ୍ଗେସକର୍ ଥରେ ରାଜ୍‌ଙ୍କୁ ନିଜ ଘରେ ପ୍ରଥମେ ଦେଖିବାକୁ ପାଇଥିଲେ। ହୃଦୟନାଥ ରାଜ୍‌ଙ୍କୁ ନିଜ ଘରକୁ ଡାକି ଆଣିଥିଲେ।

ଭଉଣୀ ଲତା ଚା’ ଦେବା ପାଇଁ ରାଜ୍‌ଙ୍କ ପାଖକୁ ଯାଇଥିଲେ।  ପ୍ରଥମ ଦେଖାରେ ହିଁ ଲତା ରାଜ୍‌ ସିଂହଙ୍କୁ ନିଜର ମନ ଦେଇଥିଲେ। ରାଜ୍‌ ଲତାଙ୍କଠାରୁ ବୟସରେ ୬ ବର୍ଷ ବଡ଼ ଥିଲେ। ଏହାପରେ ରାଜ୍ ବାରମ୍ବାର ହୃଦୟନାଥଙ୍କ ସହିତ ତାଙ୍କ ଘରକୁ ଯିବା ଆସିବା କଲେ। ଏହାଫଳରେ ରାଜ୍‌ ଓ ଲତାଙ୍କ ମଧ୍ୟରେ ଭଲ ପାଇବା ବି ବଢ଼ିଗଲା।

ରାଜ୍‌ ସିଂହ ଲତାଙ୍କୁ ଗେହ୍ଲାରେ ‘ମିଠୁ’ ବୋଲି ଡାକୁଥିଲେ। ସେତେବେଳକୁ ଲତା ମଙ୍ଗେସକର ଗାୟିକା ଭାବେ ଲୋକପ୍ରିୟ ହୋଇସାରିଥିଲେ। ରାଜ୍‌ ଓ ଲତାଙ୍କ ପ୍ରେମ ସମ୍ପର୍କରେ କ୍ରିକେଟ୍‌ର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା। ରାଜ୍ ଲତାଙ୍କୁ ଏତେ ଭଲ ପାଉଥିଲେ ଯେ ନିଜ ପକେଟ୍‌ରେ ଏକ ଟେପ୍‌ ରେକର୍ଡସ ସବୁବେଳେ ରଖୁଥିଲେ, ଯେଉଁଥିରେ କେବଳ ଲତାଙ୍କ ଗୀତ ଥିଲା।

ରାଜ୍‌ ଓ ଲତା ବାହା ହେବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ଦୁହେଁ ଆଜୀବନ ଅବିବାହିତ ରହିଗଲେ। କୁହାଯାଏ ଯେ ରାଜ୍‌ ନିଜ ବାପା- ମାଆଙ୍କୁ କଥା ଦେଇଥିଲେ ଯେ ସେ କେବେ ହେଲେ ସାଧାରଣ ଯୁବତୀଙ୍କୁ ବାହା ହେବେ ନାହିଁ। କୌଣସି ରାଜ ପରିବାରର କନ୍ୟାଙ୍କୁ ହିଁ ବାହା ହେବେ। ରାଜ୍ ଏହି ପ୍ରତିଶ୍ରୁତିକୁ ସାରା ଜୀବନ ପାଳନ କରିଥିଲେ।

ରାଜ୍‌ ଲତାଙ୍କୁ ବାହା ହୋଇପାରିନଥିଲେ। ଏଣୁ ଆଜୀବନ ଅବିବାହିତ ରହିବାର ନିଷ୍ପତ୍ତି ନେଇଥିଲେ। ଠିକ୍ ସେହିପରି ଲତାଜୀ ମଧ୍ୟ ଚିର କୁମାରୀର ବ୍ରତ ନେଇଥିଲେ। ୨୦୦୯ ଡିସେମ୍ବର ୧୨ ତାରିଖରେ ରାଜ ସିଂହଙ୍କର ଦେହାନ୍ତ ହୋଇଥିଲା।

Comment