ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ‘ସିଙ୍ଗାପୁର ଷ୍ଟ୍ରେନ୍’କୁ ନେଇ ଦେଇଥିବା ବୟାନକୁ ନେଇ ବଢ଼ିଲା ବିବାଦ। ମନ୍ତବ୍ୟକୁ ଖଣ୍ଡନ କଲା ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସିଙ୍ଗାପୁର ଷ୍ଟ୍ରେନ କଥା ଉଠାଇଥିଲେ। କରୋନାର ଏହି ଷ୍ଟ୍ରେନ ପିଲାମାନଙ୍କ ପାଇଁ ବିପଦ ସାଜିବ ବୋଲି ସେ କହିଥିଲେ। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଗୋଟିଏ ପଟେ ସିଙ୍ଗାପୁର ସରକାର ଏହି କଥାକୁ ନେଇ ଆପତ୍ତି ଉଠାଇଛନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏଭଳି ବୟାନ ଦେବା ଠିକ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି।
କ’ଣ କହିଥିଲେ କେଜ୍ରିଓ୍ୱାଲ?
ସିଙ୍ଗାପୁର ଷ୍ଟ୍ରେନ ପିଲାମାନଙ୍କ ପାଇଁ ବିପଦ ସାଜିବ। ଏହି ଭାଇରସ ଯଦି କୌଣସି ମତେ ଭାରତ ଆସିଲା ତାହେଲେ ଖୁବଶୀଘ୍ର ବ୍ୟାପିଯିବ। ଛୋଟ ପିଲାମାନେ ଏହାର ଶିକାର ହେବେ। ତେଣୁ ସିଙ୍ଗାପୁର ଭାଇରସକୁ ରୋକିବା ପାଇଁ ବେଳ ଥାଉ ଥାଉ କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ। କେନ୍ଦ୍ର ସରକାର ତୁରନ୍ତ ସିଙ୍ଗାପୁରକୁ ବିମାନ ଚଳାଚଳ ବନ୍ଦ କରି ଦିଅନ୍ତୁ ବୋଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ କେଜ୍ରିଓ୍ୱାଲ।
ଖଣ୍ଡନ କଲା ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନୂଆ ଷ୍ଟ୍ରେନ ବୟାନକୁ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖଣ୍ଡନ କରିଛି। ସିଙ୍ଗାପୁରରେ ଏମିତି କିଛି ଏକ ନୂଆ ଷ୍ଟ୍ରେନ୍ ଦେଖାଯାଇନାହିଁ। ସିଙ୍ଗାପୁର ସରକାର କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି। ତେଣୁ କରୋନା ମାମଲା କିମ୍ବା ବେସାମରିକ ବିମାନ ଚଳାଚଳ ନୀତି ଉପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କର କିଛି କହିବାର ଅଧିକାର ନାହିଁ।
କେଜ୍ରିଓ୍ୱାଲଙ୍କ ବୟାନକୁ ବୈଦେଶିକ ମନ୍ତ୍ରୀଙ୍କ ସମାଲୋଚନା
ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କେଜ୍ରିଓ୍ୱାଲଙ୍କ ଏହି ବୟାନକୁ ସମାଲୋଚନା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ କରୋନା ବିରୋଧରେ ସିଙ୍ଗାପୁର ଓ ଭାରତ ଉଭୟ ଲଢ଼ିବା ସହିତ ପରସ୍ପରକୁ ସହାୟତାର ହାତ ବଢ଼ାଇଛନ୍ତି। କେଜ୍ରିଓ୍ୱାଲଙ୍କ ଏହି ଦାୟିତ୍ୱହୀନ ମନ୍ତବ୍ୟ ଦୁଇ ଦେଶର ଦୀର୍ଘଦିନର ବନ୍ଧୁତାକୁ ନଷ୍ଟ କରି ଦେଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ମନ୍ତବ୍ୟ ନୁହେଁ।
ସେହିପରି ଏହି ବିପଦ ସମୟରେ ସିଙ୍ଗାପୁର ସରକାର ଭାରତକୁ ଅକ୍ସିଜେନ୍ ପଠାଇ ଥିବାରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସିଙ୍ଗାପୁର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।