ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିତର ରତ୍ନଭଣ୍ଡାରର ଚାବିକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଚାବି କୁଆଡେ ଗଲା ଏବଂ କିଏ ନେଇଛି ତାର ରହସ୍ୟ ଉନ୍ମୋଚନ ହୋଇପାରୁ ନଥିବା ବେଳେ ଦଇତାପତି ନିଯୋଗ ତଦନ୍ତ ଦାବି କରିଛି।

ଶ୍ରୀମନ୍ଦିର ପ୍ରଶାସନର ପିଛା ଛାଡ଼ୁନି ବିବାଦ। କେତେବେଳେ ଠାକୁରଙ୍କ ନୀତି ବିଳମ୍ବକୁ ନେଇ ତ ପୁଣି କେତେବେଳେ ମହାପ୍ରସାଦ ଉଠିବାକୁ ନେଇ ବିବାଦୀୟ ହୋଇପଡ଼ିଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ନୂଆ ବିବାଦରେ ଛନ୍ଦି ହୋଇଛି। ଭିତର ରତ୍ନଭଣ୍ଡାରର ଚାବି ମିଳୁ ନଥିବା ଘଟଣା ଜଣାପଡ଼ିବା ପରେ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି।

ଚାବି ନମିଳିବା ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ଛତିଶା ନିଯୋଗ ଏବଂ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପ୍ରଶାସନକୁ ସମାଲୋଚନା କରିଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ କରିବାକୁ ଦଇତାପତି ନିଯୋଗ ଦାବି କରିଥିବା ବେଳେ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପୁରୀ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛି।

ଏପ୍ରିଲ ୪ରେ କାନ୍ଥ ଓ ଛାତର ଯାଞ୍ଚ ପାଇଁ ଖୋଲିଥିଲା ରତ୍ନଭଣ୍ଡାର। ୧୬ ଜଣିଆ ଯାଞ୍ଚକାରୀ ଟିମ୍‌ ଗାମୁଛା ପିନ୍ଧି ରତ୍ନଭଣ୍ଡାରରେ କରିଥିଲେ ପ୍ରବେଶ। ହେଲେ ଭିତର ରତ୍ନଭଣ୍ଡାରର ତାଲା ନଖୋଲି ବାହାର ଭଣ୍ଡାରରୁ ଚାଲି ଆସିଥିଲେ ଯାଞ୍ଚକାରୀ ଟିମ୍। ଶ୍ରୀମନ୍ଦିର ପ୍ରଶାସକ କହିଥିଲେ ଯେ ଯାଞ୍ଚକାରୀ ଟିମ୍ ବାହାର ଭଣ୍ଡାର ଭିତରେ ରହି ଜାଲି ଦ୍ୱାର ଭିତର ଭଣ୍ଡାରର ସ୍ଥିତି ଯାଞ୍ଚ କରିଛନ୍ତି। ଫଳରେ ଭିତର ଭଣ୍ଡାରକୁ ଯିବା ପାଇଁ ଯାଞ୍ଚକାରୀ ଟିମ୍‌ ଉଚିତ୍ ମନେକଲେ ନାହିଁ।

ହେଲେ ୫ ତାରିଖରେ ପୁରୀ ଜିଲ୍ଲାପାଳ ଭିନ୍ନ କଥା କହିଥିଲେ। ଭିତର ଭଣ୍ଡାରର ଚାବି ମିଳୁ ନଥିବା କହି ରତ୍ନଭଣ୍ଡାରକୁ ଆହୁରି ରହସ୍ୟମୟ କରିଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଭିତର ଭଣ୍ଡାରଘରର ଚାବି କୁଆଡେ ଗଲା ତାକୁ ନେଇ ଉଠିଥିଲା ପ୍ରଶ୍ନ।

ଭିତର ଭଣ୍ଡାରର ଚାବି ରହିଥାଏ ଜିଲ୍ଲା ଟ୍ରେଜେରୀରେ। ୧୯୮୫ ମସିହା ପରେ ଆଉ ଭିତର ଭଣ୍ଡାର ଖୋଲାଯାଇ ନାହିଁ। ତେବେ ସେହିଦିନରୁ କ’ଣ ଚାବି ଟ୍ରେଜେରୀକୁ ଆସିନାହିଁ? ଯଦି ଆସିନାହିଁ ଏତେଦିନ ହେଲା ପ୍ରଶାସନ ଚୁପ୍ ଥିଲା କାହିଁକି? ବିନା ଚାବିରେ ଭଣ୍ଡାରଘର ଖୋଲିବାକୁ ଉଦ୍ୟମ କରୁଥିଲା କାହିଁକି? ରତ୍ନଭଣ୍ଡାରକୁ ଆହୁରି ରହସ୍ୟମୟ କରିବା ପାଇଁ ପ୍ରଶାସନର ଏହା ନାଟକାବଜୀ ନୁହେଁ କି?

ଯଦି ପ୍ରକୃତରେ ଜିଲ୍ଲା ପ୍ରଶାସନ ପାଖରେ ଚାବି ନାହିଁ ତାହାଲେ ଭିତର ଭଣ୍ଡାରରେ ଯାହା ଅଛି ତାହା ସୁରକ୍ଷିତ ବୋଲି କିଏ ଗ୍ୟାରେଣ୍ଟି ଦେବ? ଏମିତି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠୁଛି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ରହସ୍ୟ, କାହା ପକେଟରେ ଅସଲ ଚାବି?

LEAVE A REPLY

Please enter your comment!
Please enter your name here