ନୀଳାମ୍ବର ରଥ ଓ ସରୋଜ ମହାପାତ୍ର

ରତ୍ନଭଣ୍ଡାରର ଅଲୌକିକତାଠାରୁ ଏବେ ଅଧିକ ରହସ୍ୟମୟ ହୋଇପଡ଼ିଛି ଏହାର ଚାବି। କାହା ପକେଟରେ ରହିଛି ଭିତର ଭଣ୍ଡାରର ଅସଲ ଚାବି? ପ୍ରଶାସନ ଯେଉଁ ପାଞ୍ଚ ନେନ୍ଥା ଚାବି କଥା ଉଠାଇଛି ଅସଲରେ ତା ଭିତରେ ଭିତର ରତ୍ନଭଣ୍ଡାର ଚାବି ଅଛି କି ନାହିଁ ତାହା ମହାବାହୁଙ୍କୁ ଜଣା!

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟମୟ! ଏକଥା ଲୋକେ ଯେତିକି ଭାବୁଛନ୍ତି ପ୍ରଶାସନ ମଧ୍ୟ ସେହି ଧାରଣାକୁ ଅଧିକ ଦୃଢ଼ୀଭୂତ କଲାଭଳି କାମ କରୁଛି। କାରଣ ବୁଧବାର ଦିନ ଯେଉଁଭଳି ଭାବେ ରତ୍ନଭଣ୍ଡାର ଯାଞ୍ଚକାରୀ ଦଳ ଭଣ୍ଡାରରେ ପ୍ରବେଶ କରି ମଧ୍ୟ ଅଧା ବାଟରୁ ଫେରି ଆସିଲେ ତାକୁ ନେଇ ସାଧାରଣରେ ନାନା ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି ହୋଇଛି। ଆଜିର ଦିନରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି ଯେ ଏତେ ସଜବାଜ ହୋଇ ଯାଇଥିବା ୧୬ ଜଣିଆ ଟିମ୍ ଭିତର ଭଣ୍ଡାରଘର ଦୁଆର ଖୋଲିପାରିଲେ ନାହିଁ କାହିଁକି? ଏ ବାବଦରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ଦିନ ଦେଇଥିବା ଜବାବ ବୁଧବାର ଦିନ ସହ ମେଳ ନଖାଇବା ଭଳି ମନେହେଉଛି।

ପ୍ରଶାସନ ଲୁଚାଉଛି କାହିଁକି?

ଭିତର ରତ୍ନଭଣ୍ଡାର ଖୋଲା ନଯାଇ ଯାଞ୍ଚକାରୀ ଦଳ ବାହାର ଭଣ୍ଡାରଘରୁ ଫେରି ଆସିବାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଆସନ୍ତୁ ଦେଖିବା ଶ୍ରୀମନ୍ଦିର ପ୍ରଶାସନ କିଭଳି ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ଆଉ ଗୋଟିଏ ମିଛର ଆଶ୍ରୟ ନେଉଛି!

ବୁଧବାର ଦିନ ଅଧଘଣ୍ଟାରୁ ୪୫ ମିନିଟ୍ ମଧ୍ୟରେ ସରିଥିଲା ଯାଞ୍ଚକାରୀ ଦଳର ରତ୍ନଭଣ୍ଡାର ପରିଦର୍ଶନ। ସିଂହଦ୍ୱାର ସାମ୍‌ନାରେ ହଜାର ହଜାର ଭକ୍ତ ସେବାୟତ ଏବଂ ବିଭିନ୍ନ ମିଡିଆର ପ୍ରତିନିଧିମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଯାଞ୍ଚକାରୀ ଦଳର ସଦସ୍ୟମାନେ ଜଣକ ପରେ ଜଣେ ମନ୍ଦିରରୁ ଆସିଥିଲେ। ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ଯାଞ୍ଚ କାର୍ଯ୍ୟ ସୂଚାରୁରୂପେ ଶେଷ ହୋଇଛି। ବାହାର ରତ୍ନଭଣ୍ଡାରର କାନ୍ଥ ଓ ଛାତ ପରୀକ୍ଷା କରାଯାଇଛି। ଏପରିକି ଭିତର ରତ୍ନଭଣ୍ଡାର ବାବଦରେ ମଧ୍ୟ  ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଛି। ତେବେ ଯାଞ୍ଚକାରୀ ଦଳ ଭିତର ଭଣ୍ଡାରର ଛାତ ଓ କାନ୍ଥର କ୍ଷୟକ୍ଷତିର ଅନୁଧ୍ୟାନ ବାହାର ଭଣ୍ଡାର ମଧ୍ୟରେ ରହି କରିଥିବା କଥା ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।

ବାହାର ଭଣ୍ଡାର ଓ ଭିତର ଭଣ୍ଡାର ମଧ୍ୟରେ ରହିଛି ଏକ ଜାଲି। ଏହି ଜାଲି ବାଟ ଦେଇ ଶକ୍ତିଶାଳୀ ସର୍ଚ୍ଚ ଲାଇଟ୍ ମାଧ୍ୟମରେ ଭିତର ଭଣ୍ଡାରର ଅବସ୍ଥା ଅନୁଧ୍ୟାନ କରାଯାଇଥିଲା। ତେଣୁ ଆବଶ୍ୟକ ନପଡ଼ିବାରୁ ଭିତର ଭଣ୍ଡାର ଦ୍ୱାର ଖୋଲା ଯାଇ ନଥିଲା। ବୁଧବାର ଦିନ ଗଣମାଧ୍ୟମକୁ ଏକଥା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କିନ୍ତୁ ପ୍ରଶାସନର ଏହି କଥାକୁ ବିଶ୍ୱାସ କରିବାକୁ କେହି ରାଜି ନାହାନ୍ତି – ନା ମିଡିଆ ନା ଜନସାଧାରଣ?

କାଲି କହିଲେ ଗୋଟେ କଥା, ଆଜି ଆଉ କିଛି

ବୁଧବାର ଦିନ ପ୍ରଶାସନ କହିଥିଲା ଯେ ଭିତର ଭଣ୍ଡାରକୁ ଯିବା ଆବଶ୍ୟକତା ପଡ଼ିଲା ନାହିଁ। ତେଣୁ ତାଲା ଖୋଲା ଯାଇନଥିଲା। କିନ୍ତୁ ଏହି ଘଟଣାକୁ ନେଇ ଏକ ଲମ୍ବା ପ୍ରଶ୍ନ ତାଲିକା ମିଡିଆ ସରକାରଙ୍କ ସାମ୍‌ନାରେ ରଖିଥିଲା। ସେହି ପ୍ରଶ୍ନଗୁଡ଼ିକ ହେଉଛି :

-ବାହାର ଭଣ୍ଡାର ଓ ଭିତର ଭଣ୍ଡାର ମଧ୍ୟରେ ଥିବା ଜାଲି ଏମିତି କେତେ ବଡ଼ ଯେ ତା ମଧ୍ୟ ଦେଇ ଭିତର ଭଣ୍ଡାରର ସମ୍ପୂର୍ଣ୍ଣ କାନ୍ଥ ଓ ଛାତ ଯାଞ୍ଚକାରୀ ଦଳ ଅନୁଧ୍ୟାନ କରିପାରିଥିଲେ? ଅର୍ଥାତ୍ ଭିତର ଭଣ୍ଡାର ଘରର ଚାରିପାଖ ଏବଂ ଛାତର ବିଭିନ୍ନ ଅଂଶକୁ ବାହାରୁ ଦେଖି ପରଖିବା ସତରେ ସମ୍ଭବପର କି?

-ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଭକ୍ତଙ୍କ ଭାବାବେଗ ଏବଂ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ପାଖରୁ ପରଖିବା ଉଚିତ୍ ନଥିଲା କି? ଯଦି ଯାଞ୍ଚକାରୀ ଦଳ ଲମ୍ବା ପ୍ରସ୍ତୁତି କରି ଅଧାରୁ ଫେରି ଆସିଲେ ତେବେ ରତ୍ନଭଣ୍ଡାର ଅନୁଧ୍ୟାନର ଉଦ୍ଦେଶ୍ୟ ସଫଳ ହେଲା କିପରି?

-ମୁଖ୍ୟ ପ୍ରଶାସକ ଗୁରୁବାର ଦିନ କଥାକୁ ସାମାନ୍ୟ ବୁଲେଇ ବଙ୍କେଇ କହିଛନ୍ତି ଯେ ସେମାନଙ୍କ ପାଖରେ ପାଞ୍ଚ ସେଟ୍ ଚାବି ଥିଲା। ତେବେ ଭିତର ଭଣ୍ଡାର ଦ୍ୱାରରେ ପଡ଼ିଥିବା ତାଲାର କେଉଁଟି ବା କେଉଁଗୁଡ଼ିକ ନିର୍ଦ୍ଦିଷ୍ଟ ଚାବି ତାହା ଜଣାପଡ଼ି ନଥିଲା। ଏ ତ ଆହୁରି ସାଂଘାତିକ କଥା। ତେବେ ଭିତର ଭଣ୍ଡାର ଘରକୁ ପଶି ନପାରିବାର ଏହା ମୁଖ୍ୟ କାରଣ ନୁହେଁ ତ?

-ରତ୍ନଭଣ୍ଡାରର ରହସ୍ୟଠାରୁ ଏହି ଚାବି ଏବେ ଅଧିକ ରହସ୍ୟମୟ ମନେହେଉଛି। କାରଣ ଶ୍ରୀମନ୍ଦିରର ମୁଖ୍ୟ ଦାୟିତ୍ୱରେ ଥିବା ସରକାରୀ ସଂସ୍ଥା କହୁଛି କେଉଁ ଚାବି କେଉଁ ଦ୍ୱାରର ତାହା ତାଙ୍କୁ ଜଣାନାହିଁ। ଏହା ସରକାରଙ୍କ ପରିଚାଳନାଗତ ତ୍ରୁଟି ବାବଦରେ ବିଶେଷକରି ଅବହେଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

-ଯଦି ଚାବି ବାବଦରେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦିଷ୍ଟ ଭାବେ ଜାଣି ନଥିଲେ ତେବେ ଏସମ୍ପର୍କରେ ସେ ସରକାରଙ୍କୁ ଜଣାଇଛନ୍ତି କି? ଏ ବାବଦରେ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯାଇଥିଲା କି? ଗୁରୁବାର ଦିନ ହାଇକୋର୍ଟରେ ଦିଆଯାଇଥିବା ରିପୋର୍ଟରେ ଏ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି କି? ସରକାରଙ୍କୁ ଏସବୁ ପ୍ରଶ୍ନର ଉତ୍ତର ରଖିବାକୁ ପଡ଼ିବ।

ଚାବି ହଜିଯାଇ ନାହିଁ ତ?

ଗତ ଦୁଇଦିନର ଘଟଣାକ୍ରମରୁ ଯାହା ମନେହେଉଛି ରତ୍ନଭଣ୍ଡାରର ତାଲା ଓ ଚାବିକୁ ନେଇ ନିଶ୍ଚିତ ଭାବେ କିଛି ରହସ୍ୟ ରହିଛି। କାରଣ ବୁଧବାର ଦିନ କୁହାଗଲା ତାଲା ଖୋଲିବା ଆବଶ୍ୟକ ନଥିଲା। ଗୁରୁବାର ଦିନ ପ୍ରଶାସନ କହୁଛି କୋଉ ତାଲାର କୋଉ ଚାବି ତାହା ଅବଶ୍ୟ ତାଙ୍କୁ ଜଣାନଥିଲା। ଏବେ ପ୍ରଶ୍ନ ଉଠୁଛି ବାସ୍ତବକି ପ୍ରଶାସନ ପାଖରେ ଭିତର ରତ୍ନଭଣ୍ଡାର ପାଇଁ ଉଦ୍ଦିଷ୍ଟ ଚାବି ଅଛି କି ନାହିଁ? ଏ ମାମଲାରେ ପ୍ରଶାସନ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ମନେହେଉଛି।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ବାହାର ଭଣ୍ଡାରଘରର ଚାବି ତିନି ଜଣଙ୍କ ପାଖରେ ଥାଏ। ଭଣ୍ଡାରମେକାପ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି। ଏହି ତିନି ବ୍ୟବସ୍ଥା ଏକାଠି ହେଲେ ଯାଇ ରତ୍ନଭଣ୍ଡାର ତାଲା ଖୋଲେ। ତେବେ ଭିତର ରତ୍ନଭଣ୍ଡାରର ଚାବି ଜିଲ୍ଲା ପ୍ରଶାସନଙ୍କ ଅଧିନରେ ଟ୍ରେଜେରୀରେ ରଖାଯାଇଥାଏ। ଅର୍ଥାତ୍ ଏହାର ଦାୟିତ୍ୱ ହେଉଛି ଖୋଦ୍ ସରକାରଙ୍କର।

ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଚାବି ହଜିଯାଇଛି। ଆହୁରି ମଧ୍ୟ କୁହାଯାଉଛି ଯେ ପ୍ରାୟ ୩୪-୩୫ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଟ୍ରେଜେରୀରୁ ଚାବି ଅଣାଯାଇଥିଲା। ତାହା ଆଉ ଫେରାଯାଇ ନାହିଁ। ଏହା ସତ କି ମିଛ ଶ୍ରୀମନ୍ଦିର ପ୍ରଶାସନ ହିଁ କହିପାରିବ। ତେବେ ଏହି ମିଡିଆ ରିପୋର୍ଟର ଏପର୍ଯ୍ୟନ୍ତ କୌଣସି ଖଣ୍ଡନ କରିନାହାନ୍ତି ସରକାର।

ଗୋଟିଏ ପଟେ ପ୍ରଶାସନ ଚାବି ମେଳାଇ ନପାଇବା କଥା ସ୍ବୀକାର କରିବା ଏବଂ ଅନ୍ୟପକ୍ଷେ ଭିତର ରତ୍ନଭଣ୍ଡାର ଚାବି ହଜି ଯାଇଥିବା ବିଷୟରେ ଚର୍ଚ୍ଚା। ଏ ଦୁଇଟି କଥାରେ କିଛି ନା କିଛି ସାମଞ୍ଜସ୍ୟ ରହିଥିବା ପରି ମନେହେଉଛି।

ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯଦି ପ୍ରଶାସନ ସ୍ପଷ୍ଟ ନଥିଲା ଯେ ଭିତର ରତ୍ନଭଣ୍ଡାର ଦ୍ୱାରରେ ପଡ଼ିଥିବା ତାଲାର ଅସଲ ଚାବି କେଉଁଟି ଏବଂ ହାତରେ ପାଞ୍ଚ ନେନ୍ଥା ଚାବି ଥିଲା ତେବେ ତାହା ସେଠାରେ ପରଖିବାରେ ଅସୁବିଧା ରହିଲା କେଉଁଠି? ଏବେ କ’ଣ ଶ୍ରୀମନ୍ଦିର ପ୍ରଶାସନ ତାଲାରେ ଚାବି ମେଳାଇବା ପାଇଁ ପୁଣିଥରେ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ଅନୁମତି ମାଗି ରତ୍ନଭଣ୍ଡାରକୁ ଯିବେ? ଓଡ଼ିଶାଲାଇଭ୍‌ ମାଧ୍ୟମରେ ଜନସାଧାରଣ ଆଜି ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି।

କାହା ପକେଟ୍‌ରେ ରତ୍ନଭଣ୍ଡାର ଚାବି?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଘଟଣା ସାରୁ ଖୋଳୁଖୋଳୁ ମହାଦେବ! ତେଣୁ ବାସ୍ତବରେ ଏବେ ଭିତର ରତ୍ନଭଣ୍ଡାରର ଚାବି କାହା ପକେଟରେ ତାହା ଜାଣିବା ଜରୁରୀ ହୋଇପଡ଼ିଛି। ପ୍ରଶାସନ ଏ ବାବଦରେ କୌଣସି ଘଟଣାକୁ ନଲୁଚାଇ ତଦନ୍ତ କରିବା ଦରକାର ଏବଂ ଯାହା ସତ ତାହା ସାଧାରଣରେ ସ୍ପଷ୍ଟ ହେବା ଦରକାର।

ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିରର ଏକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାର ଚାବି ନିୟମ ଅନୁଯାୟୀ ଟ୍ରେଜେରୀରେ ରହିବା କଥା। କିନ୍ତୁ ପ୍ରଶାସନର କଥାରୁ କୌଣସି ବିଷୟ ସ୍ପଷ୍ଟ ହେଉନାହିଁ। ରତ୍ନଭଣ୍ଡାର ଖୋଲିବା ପାଇଁ  ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଟ୍ରେଜେରୀରୁ ଏହି ଚାବି ଆଣି ରଖିବା କଥା। ପ୍ରଶାସନ ଏହି କାର୍ଯ୍ୟ ଯେ କରିନଥିଲେ ତାହା ମୋଟାମୋଟି ମନେହେଉଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ ପାଞ୍ଚ ନେନ୍ଥା ଚାବି ବିଷୟରେ ସ୍ପଷ୍ଟ କରିଛନ୍ତି ସେ ସମସ୍ତ ଚାବି ଭିତର ରତ୍ନଭଣ୍ଡାରର କି? ସେହିପରି ସେହି ୫ ନେନ୍ଥା ଚାବି ନିକଟରେ ଟ୍ରେଜେରୀରୁ ଅଣାଯାଇଥିଲା କି? ଚାବିକୁ ନେଇ ଏ ଯେଉଁ ଗୋଳମାଳିଆ ସ୍ଥିତି ରହିଛି ସେ ବାବଦରେ ପ୍ରଶାସନ ପରିଚାଳନା କମିଟି ବୈଠକରେ ଆଲୋଚନା କରିଥିଲେ କି? ଏହିସବୁ ପ୍ରଶ୍ନ ଏବେ ପୁରୀରେ ସୀମିତ ନରହି ସାରା ରାଜ୍ୟରେ ଗୁଞ୍ଜରିତ ହେଉଛି। ସରକାରଙ୍କୁ ଏହାର ଉତ୍ତର ରଖିବାକୁ ହେବ।

ହାଇକୋର୍ଟଙ୍କୁ ଭୟ

ପୂରା ମାମଲାରୁ ମନେହେଉଛି ରତ୍ନଭଣ୍ଡାରର ସୁରକ୍ଷା ପାଇଁ ସରକାରଙ୍କର ଯେତିକି ଚିନ୍ତା ଅଧିକ ଚିନ୍ତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନକୁ ନେଇ। ରତ୍ନଭଣ୍ଡାର ଯାଞ୍ଚ ଶେଷ ହୋଇଛି – ଭିତରୁ ହେଉ କି ବାହାରୁ। ପ୍ରଶାସନ ଆଜି ଏହି ଯେଉଁ ମନୋଭାବ ପୋଷଣ କରିଛି ସେଥିରୁ ମନେହେଉଛି ଯେଭଳି କେବଳ ହାଇକୋର୍ଟଙ୍କ ଡରରେ ରତ୍ନଭଣ୍ଡାର ଖୋଲାଯାଇଛି। ତା ନହୋଇଥିଲେ ରତ୍ନଭଣ୍ଡାରର ପ୍ରତ୍ୟେକ କୋଠରୀ ଖୋଲି କାନ୍ଥ ଓ ଛାତର କ୍ଷୟକ୍ଷତି ସମ୍ପର୍କରେ ଅତି ନିକଟରୁ ପରଖିବାକୁ ପ୍ରଶାସନ ଓ ବିଶେଷଜ୍ଞ କମିଟି କୁଣ୍ଠା ପ୍ରକାଶ କରି ନଥାନ୍ତେ।

କୋର୍ଟଙ୍କୁ ସାନି ନିବେଦନ କରିବ କି ପ୍ରଶାସନ?

ଏଥର ରତ୍ନଭଣ୍ଡାର ଖୋଲିବା ପାଇଁ ସଜବାଜ ବାହାରକୁ ଯେତେ ଦେଖାଯାଉଥିଲେ ମଧ୍ୟ ପ୍ରଶାସନ ଯେ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲା ତାହା ସ୍ପଷ୍ଟ ହୋଇଯାଇଛି। ରତ୍ନଭଣ୍ଡାର ମରାମତି ଆବଶ୍ୟକ ଏକଥା ପ୍ରଶାସନ ଅନୁଭବ କରିଛି। ତେବେ ବୁଧବାର ଦିନ ବିଶେଷଜ୍ଞ ଦଳ କରିଥିବା ଅଧଘଣ୍ଟିଆ କି ୪୫ ମିନିଟିଆ ତଥା ଅଧପନ୍ତରିଆ ଅନୁଧ୍ୟାନକୁ ଆଧାରକରି ଏହାର ମରାମତି ପାଇଁ ଯୋଜନା କରିବା ସମ୍ଭବ ହେବ କି? ମନେହେଉଛି ମରାମତି ପାଇଁ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୁତ କରିବା ପାଇଁ ପ୍ରଶାସନକୁ ବିଶେଷଜ୍ଞ କମିଟିକୁ ସାଥୀରେ ଧରି ଆଉଥରେ ରତ୍ନଭଣ୍ଡାର ଭିତରକୁ ଯିବାକୁ ପଡ଼ିବ। ତେବେ ଏବାବଦରେ ସରକାର କି ନିଷ୍ପତ୍ତି ନେବେ ଏବଂ କେବେ କୋର୍ଟଙ୍କୁ ନିବେଦନ କରିବେ ତାହା ପ୍ରଶାସନର ଅଭ୍ୟନ୍ତରୀଣ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

କେତେ ସୁରକ୍ଷିତ ରତ୍ନ ଅଳଙ୍କାର?

ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରହିଛି ଅଚଳାଚଳ ସମ୍ପତ୍ତି। ଅନେକ ଦୁର୍ଲ୍ଲଭ ଏବଂ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର। ବାହାର ଭଣ୍ଡାରରେ ଶ୍ରୀଜୀଉଙ୍କ ନିୟମିତ ବ୍ୟବହାର ପାଇଁ ବିଭିନ୍ନ ରତ୍ନ ଅଳଙ୍କାର ସଂରକ୍ଷିତ କରି ରଖାଯାଇଛି। ତେବେ ଭିତର ଭଣ୍ଡାରରେ ରହିଛି ଅଧିକ ପରିମାଣର ତଥା ବହୁ ପ୍ରାଚୀନ ଅଳଙ୍କାର ଆଦି। କୁହାଯାଉଛି ଯେ ଭିତର ଭଣ୍ଡାରରେ ବିଭିନ୍ନ ସିନ୍ଦୁକରେ ରତ୍ନ ଅଳଙ୍କାର ରଖାଯାଇଛି। ଏହିସବୁ ସିନ୍ଦୁକଗୁଡ଼ିକ ମଧ୍ୟରୁ ଅନେକରେ ତାଲା ପଡ଼ିନାହିଁ।

ଗୋଟିଏ ପଟେ ଭିତର ରତ୍ନଭଣ୍ଡାର ଚାବି ମିଳୁ ନଥିବା ବେଳେ ଭିତର ସିନ୍ଦୁକରେ ତାଲା ପଡ଼ି ନଥିବା ବିଷୟ ଶ୍ରୀଜଗନ୍ନାଥଙ୍କ ରତ୍ନ ଅଳଙ୍କାରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି କି?

ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଏବଂ ରତ୍ନଭଣ୍ଡାର ସମ୍ପର୍କୀତ କୌଣସି ଖବର କେବଳ ଖବର ଭିତରେ ସୀମିତ ନୁହେଁ, କାରଣ ଏହା ସହିତ ସାରା ଓଡ଼ିଶା ଏବଂ ଓଡ଼ିଆ ଜାତିର ଭବାବେଗ ଜଡ଼ିତ। ତେଣୁ ଏବାବଦରେ କୌଣସି ପ୍ରକାର ଅବହେଳା ବା ବିଭ୍ରାଟକୁ ଲୋକେ କ୍ଷମା ଦେବେ ନାହିଁ। ବିଶେଷକରି ରତ୍ନଭଣ୍ଡାର ମାମଲାରେ ପ୍ରଶାସନକୁ ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବାକୁ ହେବ।

ଅଧିକ ପଢ଼ନ୍ତୁ: ଏବେ ବି ପ୍ରଶ୍ନ: କାହିଁକି ଖୋଲାଗଲାନି ଭିତର ରତ୍ନଭଣ୍ଡାର?

LEAVE A REPLY

Please enter your comment!
Please enter your name here