ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ରହସ୍ୟମୟ ହୋଇ ରହିଗଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଭିତର ଭଣ୍ଡାରର ସ୍ଥିତି ଯାଞ୍ଚ କରିବା ପାଇଁ ହାଇକୋର୍ଟ ଏବଂ ରାଜ୍ୟ ସରକାର ଅନୁମତି ଦେଇଥିଲେ ବି ଯାଞ୍ଚକାରୀ ଟିମ୍ ଭିତରକୁ ଗଲେନାହିଁ। ବାହାର ଭଣ୍ଡାରଘରେ ରହି ଜଳା କବାଟି ଦେଇ ଭିତର ଭଣ୍ଡାରର ସ୍ଥିତି ଆକଳନ କରିଥିବାରୁ ଶ୍ରଦ୍ଧଳୁଙ୍କ ମନରେ ଏବେ ବି ରତ୍ନଭଣ୍ଡାରକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ରତ୍ନଭଣ୍ଡାର ଖୋଲିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୧୬ ଜଣିଆ ତାଲିକା ପ୍ରସ୍ତୁତ କରିଥିଲେ। ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ଖୋଲିଥିଲା ରତ୍ନଭଣ୍ଡାର। ହେଲେ ବାହାର ଭଣ୍ଡାର ଖୋଲି ଅଳନ୍ଧୁ ସଫା କରି ଶ୍ରୀମନ୍ଦିର ପ୍ରଶାସନ ତାର କର୍ତ୍ତବ୍ୟ ଶେଷ କରିଦେଇଛି।

ଭିତର ଭଣ୍ଡାର ଖୋଲିବା ପାଇଁ ବିଶେଷ ଆୟୋଜନ କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେପରି କିଛି ପଦକ୍ଷେପ ନେଲା ନାହିଁ। ବାହାର ଭଣ୍ଡାର ଘରେ ଥାଇ ଜଳା କବାଟି ଦେଇ ଭିତର ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାବି କରୁଥିଲେ ମଧ୍ୟ ତାହା ଅନେକ ଜଗନ୍ନାଥପ୍ରେମୀଙ୍କ ମନରେ ପ୍ରଶ୍ନ ହୋଇ ରହିଯାଇଛି।

ବାହାର ଭଣ୍ଡାର ଘର ଅଧିକାଂଶ ସମୟ ଖୋଲାଯାଏ। ଶ୍ରୀଜୀଉଙ୍କ ସୁନାବେଶ ପାଇଁ ଏହି ବାହାର ଭଣ୍ଡାରରୁ ସୁନା ଅଳଙ୍କାର ଆସିଥାଏ। ଏଣୁ ବାହାର ଭଣ୍ଡାର ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଜାଣିଛନ୍ତି। ହେଲେ ରହସ୍ୟମୟ ହୋଇ ରହିଥିବା ଭିତର ଭଣ୍ଡାର ସମ୍ପର୍କରେ ଅଧିକାଂଶ ଲୋକ ଜାଣି ନାହାନ୍ତି। ଆଶା କରାଯାଉଥିଲା ଭିତର ଭଣ୍ଡାର ଖୋଲି ପ୍ରଶାସନ ଭକ୍ତଙ୍କ ସନ୍ଦେହ ଦୂର କରିବ। ହେଲେ ତାହା ସମ୍ଭବ ହେଲାନାହିଁ। ଭିତର ଭଣ୍ଡାର ପୁଣି ରହସ୍ୟ ହୋଇ ରହିଗଲା।

ଭିତରଭଣ୍ଡାରକୁ ୧୬ ଜଣିଆ ଟିମ୍ ଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି। ପ୍ରାୟ ୩୪ ବର୍ଷ ହେଲା ଭଣ୍ଡାର ଘର ଖୋଲାଯାଇ ନଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ପ୍ରଶାସନ ପୂରା ସଜାଗ ରହିଥିଲା। ଭଣ୍ଡାର ଘର ବାହାରେ ଅକ୍ସିଜେନ୍ ସିଲିଣ୍ଡର, ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ, ଓଏସ୍‌ଡିଏମ୍‌ଏ, ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିଲେ। ହେଲେ ବାହାର ଭଣ୍ଡାର ଘରେ ମାତ୍ର ଅଧଘଣ୍ଟା ରହି ଯାଞ୍ଚକାରୀ ଟିମ୍‌ ଜଣ ଜଣ କରି ବାହାରକୁ ଚାଲି ଆସିଥିଲେ।

ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଯାହା କହିଲେ ତାହା ଘଟଣାକୁ ପୁଣି ରହସ୍ୟମୟ କରିଦେଇଛି। ମୁଖ୍ୟ ପ୍ରଶାସକ କହିଲେ ଯେ ବାହାର ଭଣ୍ଡାର ଭିତରେ ରହି ଜଳା କବାଟି ଦେଇ ଏଏସ୍‌ଆଇ ଅଧିକାରୀମାନେ ଭିତର ଭଣ୍ଡାରର ସ୍ଥିତି ପରଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଜଳା କବାଟି ଦେଇ ଏଏସ୍‌ଆଇ ଅଧିକାରୀମାନେ ଭିତର ଭଣ୍ଡାରର ସମ୍ପୂର୍ଣ୍ଣ ଚିତ୍ର ଆକଳନ କଲେ କିପରି?

ଭିତର ଭଣ୍ଡାର ଭିତରକୁ ଯିବା ପାଇଁ ପ୍ରଶାସନ ପୂର୍ବରୁ ମନ ସ୍ଥିର କରିଥିଲା କି? ଯଦି କରିଥିଲା ତାହାଲେ ଶ୍ରୀମନ୍ଦିରରେ ନାଟକୀୟ ପରିବେଶ ସୃଷ୍ଟି କରାଗଲା କାହିଁକି? ଅଗ୍ନିଶମ କର୍ମଚାରୀ, ଆମ୍ବୁଲାନ୍ସ, ଏସ୍‌ଡିଏମ୍‌ଏ ଏବଂ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟମାନଙ୍କୁ କାହିଁକି ଡାକିଥିଲା ପ୍ରଶାସନ?

ଯଦି ଭିତର ଭଣ୍ଡାରକୁ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା ତାହାଲେ ବାହାର ଭଣ୍ଡାର ଘରେ ରହି ଭିତର ଗୃହର ସ୍ଥିତି କାହିଁକି ଆକଳନ କରାଗଲା? ଭିତର ଭଣ୍ଡାରକୁ ଯିବା ପାଇଁ କିଛି ପ୍ରଶାସନିକ ପ୍ରତିବନ୍ଧକ ରହିଥିଲା କି?

ବାହାର ଭଣ୍ଡାର ଯାଞ୍ଚ ବେଳେ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ଜି ସି ମିତ୍ର ଆହତ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାହାରକୁ ଅଣାଯାଇଥିଲା। ଏହି ଘଟଣା ପରେ ଅନ୍ୟ ସଦସ୍ୟମାନେ ବାହାରକୁ ଚାଲି ଆସିଥିଲେ। ଏହି ଘଟଣା ପରେ ଯାଞ୍ଚକାରୀ ଟିମ୍‌ର ଅନ୍ୟ ସଦସ୍ୟମାନେ ଭୟଭୀତ ହୋଇଗଲେ କି?

ବର୍ଷ ବର୍ଷ ଧରି ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ରହସ୍ୟମୟ ହୋଇ ରହିଛି। ଏହି ରତ୍ନଭଣ୍ଡାରର ଅନେକ ଅଲୌକିକି କାହାଣୀ ରହିଥିବା ସେବାୟତମାନେ କହି ଆସୁଛନ୍ତି। ରତ୍ନଭଣ୍ଡାରର ରକ୍ଷକ ଶ୍ରୀଲୋକନାଥ ହୋଇଥିବାରୁ ଏଠାରେ ସାପ ଜଗି ରହିଥିବା ବିଶ୍ବାସ ରହିଛି। ତେବେ ଏହି ରହସ୍ୟମୟ କାହାଣୀ ପୁଣି ରହସ୍ୟ ହୋଇ ରହିଗଲା।

ଯାଞ୍ଚକାରୀ ଟିମ୍ ଭିତର ଭଣ୍ଡାରକୁ ଯାଇଥିଲେ ଏହି ସବୁ ରହସ୍ୟ ଉନ୍ମୋଚିତ ହୋଇ ପାରିଥାନ୍ତା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ଯାଞ୍ଚକାରୀ ଟିମ୍‌ ପୁଣି ଏହାକୁ ରହସ୍ୟମୟ କରି ରଖିଲେ। ଏହାପଛରେ କୌଣସି ପ୍ରଶାସନିକ ବାଧା ରହିଥିଲା କି ବୋଲି ସାଧାରଣରେ ଆଲୋଚନା ହେଉଛି।

ଜଗନ୍ନାଥପ୍ରେମୀଙ୍କ ମନରେ ରତ୍ନଭଣ୍ଡାରକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାର ଉତ୍ତର କିଏ ଦେବେ? ଶ୍ରୀମନ୍ଦିର ପ୍ରଶାସନ ନା ରାଜ୍ୟ ସରକାର।

Comment