ଓଡ଼ିଶାଲାଇଭ ବ୍ୟୁରୋ

“ମୋର କୌଣସି ଧାରଣା ନଥିଲା ଯେ ଭାରତରେ ମେଡିକାଲ କଲେଜ ଗୁଡ଼ିକର ଏତେ ଅଭାବ ରହିଛି। ସି.ପି. ଗୁରନାନୀ ଆମେ ମହିନ୍ଦ୍ରା ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଏକ ଡାକ୍ତରୀ ଅଧ୍ୟୟନ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାର କଳ୍ପନା କରିପାରିବା କି?”-ଆନନ୍ଦ ମହିନ୍ଦ୍ରା

ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରୁଛି ରୁଷ। ୟୁକ୍ରେନକୁ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବେ ଚିନ୍ତାରେ ଅଛନ୍ତି। ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥାଆନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର ପ୍ରାୟ ୧ହଜାରରୁ ଅଧିକ ପିଲା ସେଠାରେ ମେଡିକାଲ ପାଠ ପଢୁଛନ୍ତି। କେବଳ ୟୁକ୍ରେନରେ ନୁହେଁ ମେଡିକାଲ ପାଠ ପଢ଼ିବାକୁ ହଜାର ହଜାର ଭାରତୀୟ ବିଦେଶ ଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ଯୁଦ୍ଧ କାରଣରୁ ୟୁକ୍ରେନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଟ୍ଵିଟ୍ ସମସ୍ତଙ୍କ ଦୃଷ୍ଟି ଆକ୍ରର୍ଷଣ କରିଛି। ଟ୍ଵିଟ କରି ସେ କହିଛନ୍ତି ଯେ, ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଭାରତୀୟଙ୍କୁ ବିଦେଶ ଯିବାକୁ ପଡ଼ିବନାହିଁ ।

ଭାରତୀୟଙ୍କ ସମସ୍ୟା ଏବଂ କେତେ ସଂଖ୍ୟକ ଭାରତୀୟ ବିଦେଶରେ ଡାକ୍ତରୀ ପାଠ ପଢ଼ୁଛନ୍ତି ସେ ବାବଦରେ ତଥ୍ୟ ବାହାର କରି ଭାରତରେ ଡାକ୍ତରୀ ପାଠ ପାଇଁ କଲେଜ ଖୋଲିବାକୁ ଚିନ୍ତା କରୁଛନ୍ତି ଆନନ୍ଦ ମହିନ୍ଦ୍ରା। ଏହା ସେ କରିଥିବା ଟ୍ଵିଟରୁ ଜଣାପଡ଼ିଛି। ଆନନ୍ଦ ମହିନ୍ଦ୍ରା କରିଥିବା ଟ୍ଵିଟରେ ଲେଖାଯାଇଛି ଯେ, “ମୋର କୌଣସି ଧାରଣା ନଥିଲା ଯେ ଭାରତରେ ମେଡିକାଲ କଲେଜ ଗୁଡ଼ିକର ଏତେ ଅଭାବ ରହିଛି। ସି.ପି. ଗୁରନାନୀ ଆମେ ମହିନ୍ଦ୍ରା ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଏକ ଡାକ୍ତରୀ ଅଧ୍ୟୟନ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାର କଳ୍ପନା କରିପାରିବା କି?”

ଏହି ଟ୍ଵିଟ ସହ ସେ ଏକ ଫଟୋକୁ ସେୟାର କରିଛନ୍ତି, ଯେଉଁଥିରେ କେତେ ଭାରତୀୟ ବିଦେଶରେ ପାଠ ପଢ଼ୁଛନ୍ତି ତାହା ଲେଖାଯାଇଛି। ଫଟୋରେ ଥିବା ସୂଚନା ଅନୁଯାୟୀ, ଚୀନରେ ୨୩,୦୦୦ ଭାରତୀୟ ଡାକ୍ତରୀ ପାଠ ପଢ଼ୁଥିବା ‌ବେଳେ ୟୁକ୍ରେନରେ ୧୮,୦୦୦, ରୁଷରେ ୧୬,୫୦୦, ଫିଲିପ୍ପାଇନ୍ସରେ ୧୫,୦୦୦,  କିର୍ଗିଜସ୍ଥାନରେ ୧୦,୦୦୦, ଜର୍ଜିଆରେ ୭,୫୦୦, ବାଙ୍ଗଲାଦେଶରେ ୫,୨୦୦, କାଜାଖସ୍ତାନରେ ୫,୨୦୦, ପୋଲାଣ୍ଡରେ ୪,୦୦୦ ଏବଂ ଆରମେନିଆରେ ୩,୦୦୦ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ୁଛନ୍ତି।

 ତେବେ ମହିନ୍ଦ୍ରାଙ୍କ ଏଭଳି ଟ୍ଵିଟର ଜବାବରେ ଜଣେ ବ୍ୟବହାରକାରୀ ଲେଖିଥିଲେ ଯେ, “ହଁ ଭଲ ଚିନ୍ତାଧାରା, କିନ୍ତୁ ଅନ୍ୟ ସଂସ୍ଥାଗୁଡ଼ିକ ଭଳି କୋଟି କୋଟି ଟଙ୍କାର ଫି’ ନେବା ଉଚିତ୍ ନୁହେଁ।” ଏହାର ଜବାବରେ ଧ୍ୟାନ ଦେବୁ ବୋଲି ଲେଖିଛନ୍ତି ଆନନ୍ଦ ମହିନ୍ଦ୍ରା।

LEAVE A REPLY

Please enter your comment!
Please enter your name here