ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଏହି ଦାବି ନେଇ ଗୁରୁବାର କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଛି। ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ଅତ୍ୟନ୍ତ ଖରାପ ହେଉଥିବା ବେଳେ ସାମାନ୍ୟ ରୋଗ ପାଇଁ କଟକ ବଡ଼ ଡାକ୍ତରଖାନାକୁ ଯିବାକୁ ପଡୁଛି। ତେଣୁ କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଧାରଣାକାରୀମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ବାବୁଙ୍କ କର୍ମଭୂମି ଥିଲା। କିନ୍ତୁ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ କେନ୍ଦ୍ରାପଡ଼ାରେ ବିକାଶ କାମ ପଛେଇ ଯାଇଛି। ବିଶେଷ କରି ଜିଲ୍ଲାରେ ସ୍ଵାସ୍ଥ୍ୟସେବାର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ସାଧାରଣ ରୋଗ ପାଇଁ ବି କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି। ରୋଗୀକୁ କେନ୍ଦ୍ରାପଡ଼ାରୁ କଟକ ନେବା ଭିତରେ ଅଧା ବାଟରେ କେତେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଉଛି। ଏହିପରି ଭାବେ ଜିଲ୍ଲାରେ ନାନାଦି ସମସ୍ୟା ରହିଛି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ କେନ୍ଦ୍ରାପଡ଼ାର ବିକାଶ କାର୍ଯ୍ୟକୁ ଆଗକୁ ନିଅନ୍ତୁ ବୋଲି କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଦାବି କରିଛି।

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଧାରଣାକାରୀମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ସାମଲଙ୍କ ଆବାହନରେ ଏହି ଗଣଧାରଣାରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଚିନ୍ମୟ ବେହୁରା, କଂଗ୍ରେସ ନେତା ହଳଧର ସେଠି, ବିଜେଡିର ବରିଷ୍ଠ ନେତା ଭଜକୃଷ୍ଣ ରାଉତ, ସିପିଏମ୍‌ର ବରିଷ୍ଠ ନେତା ଗୟାଧର ଧଳ, ଉମେଶ ସିଂହ, ସିପିଆଇ ନେତା ବାବାଜୀ ଧଳ, କେନ୍ଦ୍ରାପଡା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂହଙ୍କ ସମେତ କେନ୍ଦ୍ରାପଡ଼ାର ବହୁ ଜନସାଧାରଣ ଯୋଗ ଦେଇଥିଲେ।

Comment