ଡକ୍ଟର ଦେବୀଲାଲ ମିଶ୍ର
ପ୍ରତିବର୍ଷ ଏପ୍ରିଲ ଏକ ତାରିଖରେ ଆମେ ଉତ୍କଳ ଦିବସ ପାଳନ କରିଥାନ୍ତି। ୧୯୩୬ ମସିହା ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ସ୍ୱୀକୃତି ଲାଭ କରିଥିଲା। ଏହା ମଧ୍ୟ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଥିଲା। ପାରସ୍ପରିକ ଐକ୍ୟ, ଭ୍ରାତୃତ୍ୱ ତଥା ଓଡ଼ିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।
କୁହାଯାଏ ଯେ ଓଡ଼ିଶାର ମାଟି ଓ ‘ଓଡ଼ିଆତ୍ୱ’ର ଚେତନା ‘ଚଣ୍ଡାଶୋକ’ କୁ ‘ଧର୍ମାଶୋକ’ କରିପାରିଥିଲା। ସମ୍ରାଟ ଖାରବେଳଙ୍କର ଅଖଣ୍ଡ କୀର୍ତ୍ତି ଆଜି ବି ପ୍ରତ୍ୟେକ ଓଡ଼ିଆକୁ ରୋମାଞ୍ଚିତ କରେ। ଓଡ଼ିଶାର ସଂସ୍କୃତିରେ ମାନବୀୟ ସମ୍ବେଦନା, ଆଧ୍ୟାତ୍ମିକ ଚେତନା, ସହିଷ୍ଣୁତା, ଉଦାରତା ଓ ସରଳତା ସ୍ପଷ୍ଟ ବାରି ହୋଇପଡ଼େ।
ଇତିହାସକୁ ଦେଖିଲେ ଜଣାଯାଏ ଯେ ଓଡ଼ିଶା ସମୟକ୍ରମେ ଅନେକ ଶାସକଙ୍କ ଦ୍ୱାରା ଶାସିତ ହୋଇଛି। ଓଡ଼ିଶାର ଶେଷ ହିନ୍ଦୁରାଜ୍ୟ ମୁକୁନ୍ଦଦେବ ପରାଜୟ ପରେ ଏହା ମୋଗଲମାନଙ୍କ ହାତକୁ ଚାଲିଯାଇଥିଲା। ଏହା ପରେ ଇଂରେଜମାନଙ୍କ ଦ୍ୱାରା ଏହା ଶାସିତ ହୋଇଥିଲା। ନୂତନ ଓଡ଼ିଶା ପ୍ରଦେଶ ଗଠନ ପ୍ରଚଣ୍ଡ ସଂଘର୍ଷ ଓ ସଂକଳ୍ପର ପରିଚାୟକ। ଏହି ସଂଘର୍ଷ ରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ ଏବଂ ଆହୁରି ଅନେକ ମହାମନୀଷମାନଙ୍କର ଅବଦାନ ଅବିସ୍ମରଣୀୟ। ନୂତନ ଭାବେ ଗଠିତ ଓଡ଼ିଶା ପ୍ରଦେଶରେ ଛଅଗୋଟି ଜିଲ୍ଲା ଥିଲା-କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ। କଟକ ଥିଲା ରାଜଧାନୀ। ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ।
ଜନଜାତୀୟ ଜନସଂଖ୍ୟାରେ ଓଡ଼ିଶା ଭାରତର ତୃତୀୟ ରାଜ୍ୟ। ଜଙ୍ଗଲ ଓ ବିଭିନ୍ନ ପ୍ରାକୃତିକ ସମ୍ପଦ ଏହାର ଅନ୍ୟ ଏକ ବିଶେଷତ୍ୱ। ଓଡ଼ିଶା ମାନବ ସଭ୍ୟତାର ବିଭିନ୍ନ ବିଭବକୁ ବହନ କରିଛି। ଓଡ଼ିଆଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ଏହି ରାଜ୍ୟ ୧୮୬୬ ନ’ଅଙ୍କ ଦୁର୍ଭିକ୍ଷକୁ ଦେଖିଛି ଏବଂ ମହାବାତ୍ୟା, ବନ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି। କିନ୍ତୁ କେବେ ହାରିଯାଇନାହିଁ। ଆଜି ବିଶ୍ୱସ୍ତରରେ ଓଡ଼ିଶାର ଅନେକ କାର୍ଯ୍ୟ ଓ ପଦକ୍ଷେପକୁ ପ୍ରଶଂସା କରାଯାଉଛି। ଅନେକ କ୍ଷେତ୍ରରେ ଓଡ଼ିଶା ଉଦାହରଣ ପାଲଟିଛି। ଆଜି ଉତ୍କଳ ଦିବସ ଅବସରରେ ଏହି ପଂକ୍ତି ସମସ୍ତଙ୍କୁ ସମର୍ପିତ।
‘‘ଉତ୍କଳ ମୋହର ସକଳ ଉତ୍ପତ୍ତି
ଉତ୍କଳ ମୋ ପ୍ରାଣ, ଉତ୍କଳ ମୋ ସ୍ଥିତି
ଉତ୍କଳେ ଅମର ଉତ୍କର୍ଷର ଲୟ
ଉତ୍କଳ ମୋହର ଆଦ୍ୟ ପରିଚୟ”
ବନ୍ଦେ ଉତ୍କଳ ଜନନୀ।
(ଲେଖକ ରେଭେନ୍ସା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ମୋଟିଭେସନାଲ୍ ସ୍ପିକର)
Tags: #UtkalDivas #OdishaDivas #OdiaDivas #BandeUtkalJanani #ଉତ୍କଳଦିବସ #ଓଡ଼ିଆଦିବସ