ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବଣାଇଁ ଏବଂ ଗୁରୁଣ୍ଡିଆ ବ୍ଲକ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ। ସେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସହ ମା’ଗୃହ, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପରିଦର୍ଶନ କରିବା ସହ ଟସର ଚାଷର ଅଗ୍ରଗତି ସମୀକ୍ଷା କରିଥିଲେ।
ଗୁରୁଣ୍ଡିଆ ବ୍ଲକର ସୋଲ ଗ୍ରାମପଞ୍ଚାୟତରେ ୫-ଟି ଅଧୀନରେ ପୁଷ୍ପମଞ୍ଜରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଦିବାସୀ ଗ୍ରାମ ମଙ୍ଗଳ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଚାଲିଛି। ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି, ଆଇସିଟି ଲ୍ୟାବ ଆଦି କରାଯାଉଛି। ଜିଲ୍ଲାପାଳ ଏହିସବୁ କାର୍ଯ୍ୟ ବୁଲି ଦେଖିଥିଲେ।
ଏହି ଅବସରରେ ଜିଲ୍ଲାପାଳ ସୋଲଠାରେ ଥିବା ମା’ଗୃହ ପରିଦର୍ଶନରେ ଯାଇଥିଲେ। ସେଠାରେ ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କୁ ମିଳୁଥିବା ବିଭିନ୍ନ ସେବା ବିଷୟରେ ବଚାରି ବୁଝିଥିଲେ। ଏହାସହ ସେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ସାନ ସାନ ପିଲାଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ବିଷୟରେ ଅଙ୍ଗନବାଡ଼ି କର୍ମୀଙ୍କ ସହ କଥା ହୋଇଥିଲେ।
ସେହିପରି ବଣାଇଁ ବ୍ଲକର ସରସରାରେ ଥିବା ଟସର ବାଣିଜ୍ୟ ସମବାୟ ସମିତି ଏବଂ ଦଲକୀ ଟସର ବାଣିଜ୍ୟ ସମବାୟ ସମିତିକୁ ଯାଇ ସେଠାରେ ଟସର ଚାଷୀଙ୍କ ପାଇଁ ରହିଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ଜିଲ୍ଲାପାଳ କେତେକ ଚାଷୀଙ୍କୁ ଟସର ଅଣ୍ଡା, ପ୍ଲାଷ୍ଟିକ ଟ୍ରେ, ପ୍ଲାଷ୍ଟିକ କ୍ରେଟ ଓ ସିକାଚର ଆଦି ପ୍ରଦାନ କରିଥିଲେ। ଅର୍ଜୁନ ଓ ଅସନ ଗଛରେ କିପରି ଟସର ଚାଷ କରାଯାଉଛି ତାହା ମଧ୍ୟ ଜିଲ୍ଲାପାଳ ଦେଖିଥିଲେ।
ଏହାପରେ ଜିଲ୍ଲାପାଳ ଏସ ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ରୋଗୀଙ୍କ ସହ କଥା ହୋଇଥିଲେ। ପରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସେଠାରେ ରୋଗୀମାନଙ୍କ ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏହି ଗସ୍ତ ବେଳେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ବଣାଇଁ ବିଡିଓ ସ୍ୱଦିପ କୁମାର ଟପ୍ପୋ , ଗୁରୁଣ୍ଡିଆ ବିଡିଓ ବର୍ଣାଡିଥ ଲାକ୍ରା, ଗୁରୁଣ୍ଡିଆ ତହସିଲଦାର ସାଧବୀ ଦେଉରିଆ ପ୍ରମୁଖ ଉପସ୍ଥିତ ଥିଲେ।
Tags: #SundargarhCollector #Gurundia #BonaiBlock #CollectorsVisit #Review #DevelopmentProjects