ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍’ର ସ୍ୱତନ୍ତ୍ର ପ୍ରୟାସ।
ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ।
ଦେଶ ସ୍ୱାଧୀନତା ସହ ଧନୁଯାତ୍ରାର ସମ୍ପର୍କ
ଭାରତର ସ୍ୱାଧୀନତା ପ୍ରାପ୍ତି ସହିତ ବରଗଡ଼ ଧନୁଯାତ୍ରାର ରହିଛି ନିବିଡ଼ ସମ୍ପର୍କ। ସ୍ୱାଧୀନତା ପ୍ରାପ୍ତିର ଆନନ୍ଦକୁ ଉତ୍ସବରେ ପରିଣତ କରିବାର ଚିନ୍ତାଧାରାରୁ ହିଁ ଧନୁଯାତ୍ରାର ଆରମ୍ଭ ହୋଇଛି। ୧୯୪୭ ମସିହାରେ ଏହି ଚିନ୍ତାଧାରା ପରିପ୍ରକାଶ ହୋଇଥିଲା ନାଟକ ମାଧ୍ୟମରେ, ଯାହାକି ଧନୁଯାତ୍ରା ନାଁରେ ପରିଣତ ହୋଇଯାଇଛି ଏକ ବିରଳ ନାଟ୍ୟଧାରା।
ହରିବଂଶ ପୁରାଣରୁ ଆସିଛି ଧନୁଯାତ୍ରାର ବିଷୟବସ୍ତୁ
ହରିବଂଶ ପୁରାଣରୁ ‘ଧନୁଯାତ୍ରା’ର ବିଷୟବସ୍ତୁ ଆସିଛି। ମଥୁରାର ଅତ୍ୟାଚାରୀ ରାଜା ‘କଂସ’ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ନିଧନ ପ୍ରସଙ୍ଗକୁ ଇଂରେଜ ସରକାରର ପତନ ଭାବେ ନାଟ୍ୟ ଉପସ୍ଥାପନା ହିଁ ହେଉଛି ‘ଧନୁଯାତ୍ରା’।
ବରଗଡ଼ ସହରକୁ ଲାଗି ଅମ୍ବାପାଲି ଗାଁ। ମଝିରେ ବହିଯାଉଛି ଜୀରାନଦୀ। ଏହି ଭୌଗୋଳିକ ପରିସ୍ଥିତି ହିଁ ସୁହାଇଥିଲା ବରଗଡ଼ବାସୀଙ୍କୁ ଧନୁଯାତ୍ରାର ପରିକଳ୍ପନା ପାଇଁ। ଏହି ଆଧାରରେ ପ୍ରତିବର୍ଷ ଧନୁଯାତ୍ରାରେ ବରଗଡ଼ ସହର ପୁରାଣର ‘ମଥୁରା ନଗରୀ’ ପାଲଟୁଥିବା ବେଳେ ଅମ୍ବାପାଲି ଗାଁ ‘ଗୋପପୁର’ ଏବଂ ‘ଜୀରା’ ନଦୀ ‘ଯମୁନା’ ପାଲଟି ଯାଇଥାଏ।
କୃଷି ସହ ରହିଛି ଧନୁଯାତ୍ରାର ଅନନ୍ୟ ସମ୍ପର୍କ
ପୌଷ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଧନୁଯାତ୍ରାର ଆୟୋଜନ ହୋଇଥାଏ। ଏହି ସମୟରେ ଧାନ ଅମଳ ସରିଯାଇଥାଏ। କୃଷିଜୀବୀ ଓ ଶ୍ରମିକମାନେ ଅବସରରେ ଥାଆନ୍ତି। ପୁଣି ପଶ୍ଚିମ-ଓଡ଼ିଶାର ମହାନ କୃଷିଭିତ୍ତିକ ଲୋକପର୍ବ ‘ପୁଷ୍ପୁନି’ ଏ ସମୟରେ ଅନୁଷ୍ଠିତ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଆୟୋଜକମାନେ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ସ୍ଥିର କରିଥିଲେ ବୋଲି କୁହାଯାଇଥାଏ।
ଯଦିଓ ଧନୁଯାତ୍ରା ଏବେ ଏକ ବିରାଟ ନାଟ୍ୟ ପ୍ରଦର୍ଶନରେ ପରିଣତ ହୋଇଛି, ତା’ର ପ୍ରାକ୍ଶୈଳୀ ଥିଲା ‘ସଂଚାର’ ନୃତ୍ୟ। ସମୟକ୍ରମେ ଏହା ବିଶାଳ ରୂପରେ ଖୋଲାମଞ୍ଚରେ ନାଟ୍ୟରୂପ ଗ୍ରହଣ କରିଛି। ଯଦିଓ ଧନୁଯାତ୍ରା ଲୋକ ଆଧାରିତ ନାଟକ, ତଥାପି ଏହାର ନାଟ୍ୟଧାରା ଗୋଟିଏ ନିର୍ଦ୍ଦିଷ୍ଟ ମଞ୍ଚରେ ଅଭିନୀତ ହୋଇନଥାଏ। ବିଭିନ୍ନ ଦୃଶ୍ୟ ୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଭିନ୍ନ ଭିନ୍ନ ମଞ୍ଚରେ ପ୍ରଦର୍ଶିତ ହୋଇଥାଏ। ବରଗଡ଼ ଓ ଅମ୍ବାପାଲି ଅଞ୍ଚଳର ମନ୍ଦିର, କୋଠାବାଡ଼ି, କାର୍ଯ୍ୟାଳୟ, ପୁଷ୍କରିଣୀ, ଜଙ୍ଗଲ… ଏମିତି ଅନେକ ସ୍ଥାନ ଧନୁଯାତ୍ରା ମହାନାଟକରେ ପୌରାଣିକ ସ୍ଥାନର ମାନ୍ୟତା ପାଇଥାନ୍ତି।
ଧନୁଯାତ୍ରାରେ ଶହ ଶହ କଳାକାରଙ୍କର ସମାଗମ ହୋଇଥାଏ। କୌଣସି ପାଣ୍ଡୁଲିପି ନଥାଏ। ନଥାନ୍ତି ନିର୍ଦ୍ଦେଶକ। କଳାକାରମାନେ ଉପସ୍ଥିତ ବୁଦ୍ଧି ଖଟାଇ ସଂଳାପ ଉଚ୍ଚାରଣ ସହିତ ଅଭିନୟ କରିଥାନ୍ତି। ଅବଶ୍ୟ ସମୟକ୍ରମେ ଦର୍ଶକମାନଙ୍କର ରୁଚିକୁ ସମ୍ମାନ ଦେଇ କିଛି କିଛି ପରିବର୍ତ୍ତନ ପରିଲକ୍ଷିତ ହେଉଛି ଧନୁଯାତ୍ରାରେ।
ବରଗଡ଼ ଧନୁଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ‘କଂସ’ ଚରିତ୍ରର କଳାକାର। ୧୧ ଦିନ ବ୍ୟାପୀ ବରଗଡ଼ରେ କଂସ ରାଜ ଚାଲିଥାଏ। ବରଗଡ଼ ଅଞ୍ଚଳବାସୀ ଗଣତାନ୍ତ୍ରିକ ପଦ୍ଧତିରୁ ଆପେ ଆପେ ବାହାରି ଆସି ରାଜତନ୍ତ୍ରରେ ସାମିଲ ହୋଇଯାଆନ୍ତି। ମୁଣ୍ଡ ନୁଆଁଇ ଦିଅନ୍ତି କଂସଙ୍କ ଆଦେଶ ସାମ୍ନାରେ। ସବୁଠାରୁ କୌତୁହଳର ବିଷୟ ଯେ ଧନୁଯାତ୍ରା ବାହାରେ ବି ‘କଂସ’ ଚରିତ୍ରର ଅଭିନେତା ଲୋକଙ୍କଠାରୁ ‘କଂସ ମହାରାଜ’ ଭାବେ ସମ୍ମାନ ପାଇଥାନ୍ତି।
ଅମ୍ବାପାଲି ହୋଇଯାଏ କୃଷ୍ଣମୟ
ଅପରପକ୍ଷରେ ଅମ୍ବାପାଲି ଧନୁଯାତ୍ରା ଅବସରରେ ପାଲଟିଯାଏ କୃଷ୍ଣଚେତନାର ଏକ ପ୍ଲାଟଫର୍ମ। ସମଗ୍ର ଅମ୍ବାପାଲିବାସୀ, ଗୋପପୁରର ପ୍ରଜା ଭାବେ ସମର୍ପି ଦିଅନ୍ତି ନିଜକୁ ଶ୍ରୀକୃଷ୍ଣଙ୍କଠାରେ। ଏକ ଆଧୁନିକ ପଲ୍ଲୀର ମାଟିରୁ ଆକାଶ ଯାଏ ହୋଇଉଠେ କୃଷ୍ଣମୟ।
କେବଳ ନାଟକ ନୁହେଁ, ଧନୁଯାତ୍ରାର ଅବସରରେ ଅଞ୍ଚଳର ଲୋକକଳା ସହିତ ପ୍ରଦର୍ଶିତ ହୁଏ ରାଜ୍ୟ ତଥା ଜାତୀୟ ସ୍ତରର ନୃତ୍ୟ ଓ ସଙ୍ଗୀତ। ନିଜସ୍ୱ କଳା ପ୍ରଦର୍ଶନ ପାଇଁ ସବୁବର୍ଗର କଳାକାରଙ୍କୁ ସୁଯୋଗ ଦେଇ, ଧନୁଯାତ୍ରା ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଆସୁଅଛି।
ଧନୁଯାତ୍ରାର ଆକର୍ଷଣ ‘ହାତୀ’
ଧନୁଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଉଛି ‘ହାତୀ’। ହାତୀର ଅନୁପସ୍ଥିତିରେ ଧନୁଯାତ୍ରାର କଳ୍ପନା ଯେମିତି ଅବାନ୍ତର। ପୁଣି ହାତୀ ସହିତ ଧନୁଯାତ୍ରାରେ ସାମିଲ ହୋଇଥାନ୍ତି ଓଟ ଓ ଘୋଡ଼ା।
ଧନୁଯାତ୍ରାରେ ବରଗଡ଼ରେ ପସରା ମେଲାଇ ଦିଅନ୍ତି ଅଞ୍ଚଳ ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ମୀନାବଜାର’ ବିନା ଧନୁଯାତ୍ରାର ଆୟୋଜନ ଯେମିତି ସମ୍ଭବ ନୁହେଁ, ଅନ୍ୟଭାଷାରେ କହିବାକୁ ଗଲେ ‘ମୀନାବଜାର’ ବରଗଡ଼ ଧନୁଯାତ୍ରାର ଏକ ବିଶେଷ ଅଙ୍ଗ। ବରଗଡ଼ ଆକାଶ ତଳେ ମୀନାବଜାର ଦୋଳି ଦେଖିଲେ, ଲୋକେ ଜାଣିଯାଆନ୍ତି ଯେ ଧନୁଯାତ୍ରା ଆସିଯାଇଛି।
ଧନୁଯାତ୍ରା କଳାକାର, କବି, ସାହିତ୍ୟିକ, ଗବେଷକ… ଏମିତି ସବୁ ବର୍ଗଙ୍କୁ କିଛି ନା କିଛି ଦେଇ ଚାଲିଛି। ଜାତି ଓ ଧର୍ମ ନିର୍ବିଶେଷରେ ଧନୁଯାତ୍ରାରେ ସମସ୍ତେ ସାମିଲ ହୋଇ ଜାତୀୟ ସଂହତିର ବାର୍ତ୍ତାକୁ ପ୍ରସାର କରିଚାଲିଛନ୍ତି।
Tags: #Bargarh #Dhanujatra #KansaMaharaj #HistoryOfDhanujatra