ଓଡ଼ିଶାଲାଇଭ୍ ବ୍ୟୁରୋ
“ଜଗନ୍ନାଥ ଥରେ ଯଦି ହାତକଡ଼ି ପିନ୍ଧନ୍ତ / ବନ୍ଦୀର ଯନ୍ତ୍ରଣା କେତେ ତମେ ବୁଝି ପାରନ୍ତ।/ ଷାଠିଏ ପଉଟି ଖାଇ ବଡ଼ ଦେଉଳରେ / ରତ୍ନ ସିଂହାସନେ ଶୋଇ ନିଘୋଡ଼ ନିଦରେ / ଭୁଲିଗଲ ମୋତେ ପ୍ରଭୁ ହାତକଡ଼ି ପିନ୍ଧେଇ / କି ସୁଖ ପାଇଲ କୁହ ହତ୍ୟାକାରୀ ସଜେଇ / ମୋ ପାଇଁ ନିଷ୍ଠୁର ଏତେ ହେଲ କିଆଁ କୁହ ତ…/। ଜଗନ୍ନାଥ ଥରେ ଯଦି ହାତକଡ଼ି ପିନ୍ଧନ୍ତ।”
ଏହି ପଂକ୍ତିଟି କୌଣସି ରୀତି କିମ୍ବା ସବୁଜ ଯୁଗର କବିଙ୍କ ଲିଖିତ କବିତା ନୁହେଁ। ଏହା ହେଉଛି ‘ନିରଞ୍ଜନ (କବି ଚନ୍ଦ୍ର)’ ଅର୍ଥାତ୍ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ରଞ୍ଜନ ସ୍ଵାଇଁ ହତ୍ୟା ମାମଲାରେ ଛନ୍ଦି ହୋଇ କିଛି ଦିନ ତଳେ ଜେଲରୁ ବାହାରିଥିବା ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଭିମାନଭରା ଅଭିବ୍ୟକ୍ତି।
ଏହି ‘ବନ୍ଦୀର ଯନ୍ତ୍ରଣା’ କବିତାଟିକୁ ନିରଞ୍ଜନ ସେଠୀ କିଛି ଘଣ୍ଟା ପୂର୍ବରୁ ନିଜର ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି। ୧୪ ମାର୍ଚ୍ଚ ୨୦୨୨ ପରେ ଏହା ହେଉଛି ତାଙ୍କର ପ୍ରଥମ ପୋଷ୍ଟ।
କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ଭଦ୍ରକ ସ୍ଵତନ୍ତ୍ର ଉପକାରାଗାରରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ହାଇକୋର୍ଟରୁ ବେଲ୍ ପାଇ ଡିସେମ୍ବର ୧୬ ତାରିଖରେ ମୁକୁଳିଛନ୍ତି। ଜେଲରୁ ଫେରିବା ପରେ ନିଜ ଫେସବୁକ ପେଜରେ ଆଜି ସେ ଗୋଟିଏ କବିତା ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଭିମାନ ଭରା ଅନେକ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି। ନିରଞ୍ଜନ ସେଠୀଙ୍କ ଲିଖିତ ଏକ କବିତାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଚାକିରିରୁ ଅବସର ନେବା ପରେ କବିତା ଲେଖିବା ନିଶାରେ ପଡ଼ିଥିଲେ ନିରଞ୍ଜନ ସେଠୀ। ‘ନିରଞ୍ଜନ (କବି ଚନ୍ଦ୍ର)’ ନାଁରେ ନିଜର କବିତାଗୁଡ଼ିକୁ ପୋଷ୍ଟ କରିଆସୁଛନ୍ତି।
କ୍ୟାମେରା ମାନସ ଅପହରଣ ଓ ହତ୍ୟା ମାମଲରେ ନିଜ ସମ୍ପୃକ୍ତି ସମ୍ପର୍କରେ ପୋଲିସ ଆଗରେ ମାନିବା ପରେ ଗତ ମାର୍ଚ୍ଚ ୨୧ ତାରିଖରୁ ଗିରଫ ହୋଇ ଭଦ୍ରକ ସ୍ଵତନ୍ତ୍ର ଉପକାରାଗାରରେ ଥିଲେ ନିରଞ୍ଜନ ସେଠୀ।
ଜେଲ ଯିବା ପୂର୍ବରୁ ଗତ ମାର୍ଚ୍ଚ ମାସ ୧୪ ତାରିଖରେ ସେ ନିଜର ଶେଷ କବିତା ଫେସବୁକ ପେଜରେ ପୋଷ୍ଟ କରିବା ସହ ଦୁଃଖ ପ୍ରକାଶ କରିଥିଲେ। ଏହି କବିତା ପୋଷ୍ଟ ଉପରେ ଥିଲା ‘ଫିଲିଙ୍ଗ ସ୍ୟାଡ’ ଲେଖା ସହିତ ଦୁଃଖି ଇମୋଜି ଛବିଟିଏ।
ଆଗକୁ ‘ନିରଞ୍ଜନ (କବି ଚନ୍ଦ୍ର)’ଙ୍କ କବିତାରେ ଆଉ କେଉଁ ସବୁ ପ୍ରଶ୍ନ କାହା ପାଇଁ ରହିଛି ଦେଖିବାକୁ ବାକି ରହିଲା।
Tag: #CameramanMurderCase #Arrest #FormerOISOfficer #NiranjanSethi #Poetry #PrisonersPain