ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ଜିଲ୍ଲା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି।

ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା କଲାମପୁର ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମର ଯାଦବ ନାୟକଙ୍କ ପୁଅ ଯଶୋବନ୍ତ ନାୟକ ଏବଂ ତାଙ୍କ ସ୍ତ୍ରୀ ବର୍ଷା ନାୟକ। ଅନ୍ୟ ଦୁଇଜଣ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଲିଗାଁ ଗ୍ରାମର ଲାବଣ୍ୟ ନାୟକଙ୍କ ପୁଅ ରମେଶ ନାୟକ ଏବଂ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ କଲୋନୀର ସୁରେନ୍ଦ୍ର କେୱତଙ୍କ ସ୍ତ୍ରୀ କଲ୍ୟାଣୀ ପଞ୍ଚଭାୟା।

ଅଭିଯୁକ୍ତମାନେ ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାୟକଙ୍କ ନିକଟକୁ ଡିସେମ୍ବର ୩ ତାରିଖରେ ଏକ ଧମକପୂର୍ଣ୍ଣ ଚିଠି ପଠାଇଥିଲେ। ମାଓବାଦୀ ସଂଗଠନକୁ ୬୦ ଲକ୍ଷ ଟଙ୍କା ଦେବା ଲାଗି ଚିଠିରେ ଉଲ୍ଲେଖ ରହିଥିଲା। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା।

ଚିଠି ମିଳିବାର ଚାରିଦିନ ପରେ ପରମାନନ୍ଦଙ୍କ ନିକଟକୁ ଏକ ଫୋନ କଲ୍ ଆସିଥିଲା। ନିଜକୁ ମାଓବାଦୀ ପରିଚୟ ଦେଇ ଫୋନରେ ୬୦ ଲକ୍ଷ ଟଙ୍କା ମଗିବା ସହ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଜଣେ ବ୍ୟକ୍ତି କହିଥିଲେ। ଡିସେମ୍ବର ୫ ତାରିଖରେ ପୁଣି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାକୁ ନେଇ ପରମାନନ୍ଦ ଭୟଭୀତ ହୋଇ ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।

ଗିରଫ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ନକଲି ମାଓବାଦୀ ସାଜି ଟଙ୍କା ହଡ଼ପ କରିବା ଅଭିଯୋଗ ରହିଛି।

Tags: #Odisha #Rayagada #FakeMaoists #Crime #Arrest

LEAVE A REPLY

Please enter your comment!
Please enter your name here