ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ବଡ଼ ଯୁଦ୍ଧ। ଇସ୍ରାଏଲର ହିଜବୁଲହା ଆଡ୍ଡା ଉପରେ ଆକ୍ରମଣର ଜବାବ ଦେଇଛି ଇରାନ। ମଙ୍ଗଳବାର ରାତିରେ ଇସ୍ରାଏଲର ବିଭିନ୍ନ ସହର ଉପରେ ଇରାନ ପକ୍ଷରୁ ପ୍ରାୟ ୨୦୦ଟି ମିସାଇଲ ଓ ରକେଟ ମାଡ଼ କରାଯାଇଛି। ହିଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲା ନିହତ ହେବାର ଦୁଇ ଦିନ ପରେ ଏପରି ଆକ୍ରମଣ କରିଛି ଇରାନ୍। ଏହାର କଡ଼ା ଜବାବ ଦେବାପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ।

ସତର୍କ କରାଇଥିଲା ଆମେରିକା

ହିଜବୁଲହା ବିରୋଧରେ ଇସ୍ରାଏଲ ସେନା ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବା ପରେ ଇରାନ ଓ ଇସ୍ରାଏଲ ବିବାଦ ଚରମସୀମାରେ ପହଞ୍ଚିଥିଲା। ଏହାର ପ୍ରତି ଜବାବରେ ଇରାନ ଇସ୍ରାଏଲ ଉପରେ ହମଲା କରିଛି। ଇରାନ ମିସାଇଲ ଆକ୍ରମଣ ବାବଦରେ ପୂର୍ବରୁ ଆମେରିକା ଇସ୍ରାଏଲକୁ ସତର୍କ କରାଇ ଦେଇଥିଲା।

ଆମେରିକାର ଅନୁସାରେ ଇରାନର ମିସାଇଲ ଇସ୍ରାଏଲ ଉପରେ ପଡ଼ିବାର ଠିକ୍ ପୂର୍ବରୁ ସମଗ୍ର ଇସ୍ରାଏଲରେ ଆକ୍ରମଣ ଘଣ୍ଟି (ସାଇରନ) ବାଜିଥିଲା। ଇସ୍ରାଏଲ ନିଜ ଲୋକମାନଙ୍କୁ ବୋମା ସେଲଟର ତଥା ଅନ୍ୟ ସୁରକ୍ଷିତ ସ୍ଥାନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲା। ଇସ୍ରାଏଲର ଲୋକ ବୋମା ସେଲଟରକୁ ଚାଲି ଯାଇଥିଲେ। ଯାହାର ଫଳସ୍ୱରୂପ ଏହି ଆକ୍ରମଣରେ ଇସ୍ରାଏଲରେ ଜଣେ ହେଲେ ବି ନାରାରିକଙ୍କ ଜୀବନହାନି ହୋଇନାହିଁ।   

ଲୋକଙ୍କ ଘର, ଛାତ ଉପରେ ରକେଟ ମାଡ଼

ଇସ୍ରାଏଲର ଜେରୁସେଲାମ, ତେଲ ଅଭିଭ ତଥା ଜାଫା ସହରରେ ଥିବା ଜନବସତି ଓ ସେନା ବେସର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ଓ ରକେଟ ମାଡ଼ କରିଛି। ଲୋକଙ୍କ ଘରେ, ଛାତ ଉପରେ ରକେଟ ମାଡ଼ କରାଯିବ ସହ ଏୟାର୍ ଷ୍ଟ୍ରିପ୍ ଉପରେ ବୋମା ମାଡ଼ କରିଛି ଇରାନ। ଫଳରେ ଭିତ୍ତିଭୂମି ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ଇରାନ୍‌ର ଏପରି ଆକ୍ରମଣ କରିବା ପରେ ଗର୍ଜିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଆକ୍ରମଣ କରି ଇରାନ ଏକ ବଡ଼ ଭୁଲ କରିଦେଲା ବୋଲେ ସେ କହିଛନ୍ତି। ଏପରି ଆକ୍ରମଣ ପାଇଁ ଇରାନକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।

ଇସ୍ରାଏଲକୁ ସମର୍ଥନ ଦେଲା ଆମେରିକା

ଇରାନର ଆକ୍ରମଣ ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଆମେରିକା। ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ୱାଶିଂଟନରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରାଯାଇଛି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଓ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛି ଆମେରିକା। ଇସ୍ରାଏଲ୍ ଆକାଶରେ ଇରାନ ମିଶାଇଲ ଦେଖିଲେ ତୁରନ୍ତ ଖସାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।

ଇରାନ ନଯିବାକୁ ଭାରତୀୟମାନଙ୍କୁ ପରାମର୍ଶ

ଇସ୍ରାଏଲ-ଇରାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ଅତି ଆବଶ୍ୟକ ନଥିଲେ ଇରାନ୍ ଗସ୍ତରେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଇରାନରେ ରହୁଥିବା ଭାରତୀୟମାନଙ୍କୁ ତେହରାନ୍ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।

Tags: #Israel-IranConflict #MissileAttack #War #MiddelEast #Israel

LEAVE A REPLY

Please enter your comment!
Please enter your name here