ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ଵ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ‘ଏ ଜର୍ଣ୍ଣି ଅଫ୍ ସେଲ୍ଫ କନ୍ଫିଡେନ୍ସ’ ଏହାର ବିଷୟବସ୍ତୁ ରହିଥିଲା। ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଘୋଷଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।
ବିଶିଷ୍ଟ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଗ୍ରୀକ୍ ଧର୍ମଗ୍ରନ୍ଥ ମେଟା ମର୍ଫୋସିସ୍ର ତୃତୀୟ ଅଧ୍ୟାୟକୁ ଆଧାର କରି ବିଭିନ୍ନ ଗଳ୍ପ ଛଳରେ ମଣିଷ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରିବାର ବିଭିନ୍ନ ଉପାୟ ସଂପର୍କରେ ସେ ଆଲୋକପାତ କରିଥିଲେ।
“ଭଗବାନ ପ୍ରତ୍ୟକ ମଣିଷକୁ ଅନନ୍ୟ କରି ଗଢ଼ି ତୋଳିଛନ୍ତି। ଆମେ ଯଦି ଜୀବନର ପ୍ରତିଟି ଆହ୍ୱାନକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ଦୃଢ଼ ଆମ୍ବବିଶ୍ଵାସର ସହ କାର୍ଯ୍ୟ କରିବା ତେବେ ସଫଳତାର ଶୀର୍ଷକୁ ଛୁଇଁପାରିବା”, କହିଛନ୍ତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ।
ଏହି ଆଲୋଚନା ଚକ୍ରରେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସମ୍ପାଦକ କବି ଦୀପକ ବୋଷ ଅତିଥି ଭାବରେ ଯୋଗ ଦେଇଥିଲେ।
ସେହିପରି ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ଵ ବିଭାଗର ମୁଖ୍ୟ ପ୍ରଫେସର ଜୟଶ୍ରୀ ମିଶ୍ର, ଅଧ୍ୟାପିକା ଶାଶ୍ଵତୀ ଜେନା ଓ ଅଧ୍ୟାପକ ଗୁମ୍ଫୁଲ ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Tags: #FMAutonomousCollege #PsychologyDept #Seminar #SelfConfidence #Baleswar