ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦୀ ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ଜଳୁଛି ପୂରା ପାକିସ୍ତାନ।

ଅଶାନ୍ତ ହୋଇପଡ଼ିଛି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ। କେତେବେଳେ ଆତଙ୍କବାଦୀ ଆକ୍ରମଣ ତ କେତେବେଳେ ସାମ୍ପ୍ରଦାୟିକ ହିଂସା। ହିଂସା ଯୋଗୁଁ ଚାଲିଯାଉଛି ଶହଶହ ଜୀବନ। ନିକଟରେ ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖଓ୍ୱା ରାଜ୍ୟର କୁରମ ଜିଲ୍ଲାରେ ଦେଖାଦେଇଛି ସାମ୍ପ୍ରଦାୟିକ ହିଂସା। ଏହି ହିଂସା ଯୋଗୁଁ ପ୍ରାୟ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୦୩ ଜଣ ଆହତ ହୋଇଛନ୍ତି।

ସିଆ ମୁସଲିମ ଗୋଷ୍ଠୀ ଗାଡ଼କୁ ଟାର୍ଗେଟ

ଆଫଗାନୀସ୍ଥାନ ସୀମାକୁ ଲାଗିଥିବା କୁରମ ଜିଲ୍ଲାରେ ଅଲିଜଈ ଏବଂ ବଗାନ ଗୋଷ୍ଠୀ ମଧ୍ୟରେ ଗତ କିଛି ସପ୍ତାହରୁ ହିଂସା ଲାଗିରହିଛି। ଏହାର ବିସ୍ଫୋରକ ରୂପ ଗତ ୨୧ ତାରିଖରେ ଦେଖିବାକୁ ମିଳିଥିଲା। ସୁନ୍ନି ମୁସଲିମ ଗୋଷ୍ଠୀ ପୋଲିସ ସୁରକ୍ଷା ଭିତରେ ଯାଉଥିବା ସିଆ ମୁସଲିମ ଗୋଷ୍ଠୀର ଏକ ଗାଡ଼ିକୁ ଟାର୍ଗେଟ କରଥିଲେ। ଏହା ପରେ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ୪୭ରୁ ଅଧିକ ସିଆ ମୁସଲମାନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିଲେ। ଏହାପରେ ନଭେମ୍ବର ୨୨ ଏବଂ ୨୩  ତାରିଖରେ ବଡ଼ ଧରଣର ଦଙ୍ଗା ହୋଇଥିଲା। ସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ୮୦ ଦର୍ଶାଯାଇଛି।

ଶିକ୍ଷାନୁଷ୍ଠାନ ଓ ଇଣ୍ଟରନେଟ ସେବା ଠପ୍

କୁରମ ଜିଲ୍ଲାର କେତେକ ଗାଁକୁ ଶନିବାର ଦିନ ଟାର୍ଗେଟ କରାଯାଇଥିଲା। ଘର, ବଜାର ଏବଂ ସରକାରୀ ଗୃହ ଆଦିରେ ନିଆଁ ଲଗାଇ ଦିଆଯାଇଥିଲା। ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ଏହି ଆକ୍ରମଣ ସିଆ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିଲା।

ନଭେମ୍ବର ୨୧ ତାରିଖ ଆକ୍ରମଣରେ ସିଆ ମୁସଲିମଙ୍କ ହତ୍ୟାର ଏହା ପ୍ରତିଶୋଧ ଥିଲା ବୋଲି କୁହାଯାଉଛି। ପରିସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଦୋକାନ ବଜାର ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କୁରମ ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏପରି ହିଂସା ଘଟିଥିଲା।

୪୮ ଘଣ୍ଟାରେ ଗଲାଣି ୧୦୦ ଜୀବନ

ଅଣାୟତ ହୋଇପଡ଼ିଥିବା ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାଇବର ପଖତୁନଖଓ୍ୱାର ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗତ ୪୮ଘଣ୍ଟା ମଧ୍ୟରେ ସୁନ୍ନି ଓ ସିଆ ସମ୍ପ୍ରଦାୟିକ ହିଂସା ଯୋଗୁଁ ପାଖାପାଖି ୧୦୦ ଲୋକଙ୍କର ଜୀବନ ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କୁରମ ଜିଲ୍ଲାରେ ସ୍ଥିତି ବେଳକୁ ବେଳ ଗମ୍ଭୀର ହୋଇପଡୁଥିବା ଦେଖିବାକୁ ମିଳୁଛି।

ଦଙ୍ଗା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ

କେବଳ ସାମ୍ପ୍ରଦାୟିକ ହିଂସା ନୁହେଁ, ଆତଙ୍କବାଦୀଙ୍କ ଟାର୍ଗେଟରେ ଆଜି ପାକିସ୍ତାନ। ସାମ୍ପ୍ରଦାୟିକ ହିଂସା ପୂର୍ବରୁ ଅର୍ଥାତ ଗତ ୨୧ ତାରିଖରେ ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ସେନାପୋଷ୍ଟ ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉତ୍ତର ପଶ୍ଚିମ ପାକିସ୍ତାନର ବାନୁ ଜିଲ୍ଲାର ମାଲିଖେଲ ଅଞ୍ଚଳରେ ଆକ୍ରମଣ କରାଯାଇଥିଲା। ଏକ ସେନା ପୋଷ୍ଟକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଜଣେ ଆତଙ୍କବାଦୀ ବିସ୍ଫୋରକ ଗାଡ଼ି ସହ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଜଣାଯାଇଛି।

ଏହି ଆତ୍ମଘାତୀ ଆକ୍ରମଣରେ ୧୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଆତ୍ମଘାତୀ ଆକ୍ରମଣ ପାଇଁ ହାଫିଜ ଗୁଲ ବାହାଦୁର ସଂଗଠନ ନିଜକୁ ଦାୟୀ କରିଛି।

ସେପଟେ ପୋଲିସ ପକ୍ଷରୁ ମଧ୍ୟ ଏହାର ପାଲଟା ଜବବ ଦିଆଯାଇଛି। ସେନାର ପାଲଟା ଜବାବରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

ଗତ ୨୦୨୨ ମସିହା ନଭେମ୍ବର ମାସରୁ ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ଚାଲିଛି। ବଲୁଚିସ୍ଥାନ ଏବଂ ଖାଇବର ପାଖତୁନଖାବ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ବିଶେଷକରି ଆତଙ୍କବାଦୀମାନେ ସେନା କ୍ୟାମ୍ପକୁ ଟାର୍ଗେଟ କରୁଛନ୍ତି। ଯେଉଁ ସାପକୁ ଦିନେ ପାକିସ୍ତାନ କ୍ଷୀର ଦେଇ ପୋଷିଥିଲା ଆଜି ସେହିମାନେ ହିଁ ତାଙ୍କୁ ଚୋଟ ମାରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

Tags: #Pakistan #PakistanViolence #CommunalViolence #TerroristAttack

LEAVE A REPLY

Please enter your comment!
Please enter your name here