ମିନତି ମିଶ୍ର
ଚଳିତବର୍ଷ ଆଇଆଇଟି ମାଡ୍ରାସ ନିଯୁକ୍ତି କ୍ଷେତ୍ରରେ ବଡ଼ ରେକର୍ଡ କରିଛି। ଏଥର ପ୍ଲେସମେଣ୍ଟ ସିଜନରେ ଉକ୍ତ ସଂସ୍ଥାନର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଜଣେ ଛାତ୍ରଙ୍କୁ ଆମେରିକା ସ୍ଥିତ ଗ୍ଲୋବାଲ ଟ୍ରେଡିଂ କମ୍ପାନି ‘ଜେନ ଷ୍ଟ୍ରିଟ’ ୪.୩ କୋଟି ଟଙ୍କା ପ୍ୟାକେଜରେ ନିଯୁକ୍ତି ଅଫର ଦେଇଛି। ଦରମା, ବୋନସ ଏବଂ ଯାତାୟାତ ଖର୍ଚ୍ଚ ସବୁକୁ ମିଶାଇ ତାଙ୍କୁ ଏହି ପ୍ୟାକେଜ ମିଳିବ। କମ୍ପାନି ପକ୍ଷରୁ ମିଳୁଥିବା ଚଳିତ ପ୍ଲେସମେଣ୍ଟ ସିଜନର ଏହା ହେଉଛି ସର୍ବାଧିକ ପ୍ୟାକେଜ।
ଆଇଆଇଟି ମାଡ୍ରାସର କମ୍ପ୍ୟୁଟର ସାଇନ୍ସ ବିଭାଗର ଏହି ଛାତ୍ର ଜଣକ ଏତେ ବଡ଼ କମ୍ପାନିରେ ଏପରି ଆକର୍ଷଣୀୟ ପ୍ୟାକେଜ ପାଇବା ପରେ କ୍ୟାମ୍ପସରେ ଖୁସିର ଲହରୀ ଖେଳିଯାଇଛି। ଛାତ୍ର ଜଣକ ପୂର୍ବରୁ ଏହି କମ୍ପାନିର ଇଣ୍ଟର୍ନ ଭାବେ କାମ କରୁଥିଲେ।
ଛାତ୍ର ଜଣଙ୍କ ଏହି ନିଯୁକ୍ତିକୁ ଗ୍ରହଣ କଲେ ହଂକଂରେ ଏକ ଉଚ୍ଚ ପଦବୀରେ ଅବସ୍ଥାପିତ ହେବେ। ଏହା କେବଳ ଉକ୍ତ ଛାତ୍ରଙ୍କର ବ୍ୟକ୍ତିଗତ ସଫଳତା ନୁହେଁ ବରଂ ବିଶ୍ୱସ୍ତରୀୟ ପ୍ରତିଭା ସୃଷ୍ଟି କରିବାରେ ଉକ୍ତ ଆଇଆଇଟି ମାଡ୍ରାସର ପ୍ରମୁଖ ଭୂମିକାକୁ ଆହୁରି ଦୃଢ଼ୀଭୂତ କରିଛି। ତେବେ ଆଇଆଇଟି ମାଡ୍ରାସ ପକ୍ଷରୁ ଉକ୍ତ ଛାତ୍ରଙ୍କ ନାମ ପ୍ରକାଶ କରାଯାଇନାହିଁ।
ଚଳିତ ଆଇଆଇଟି ପ୍ଲେସମେଣ୍ଟ ସିଜିନରେ ବହୁ ବଡ଼ ବଡ଼ କମ୍ପାନି ଆକର୍ଷଣୀୟ ଅଫର ଦେଇଥିଲେ। ଯେମିତି ବ୍ଲାକରକ, ଗ୍ଳିନ, ଦା ଭିଞ୍ଚ ପରି କମ୍ପାନି ୨ କୋଟି ଟଙ୍କାର ପ୍ୟାକେଜ ରଖିଥିଲେ। ଅନ୍ୟ ଫାର୍ମ ମଧ୍ୟରେ ଏପିଟି ପ୍ରୋଟଫୋଲିଓ, ରୁବ୍ରିକ ୧.୪ କୋଟି ଟଙ୍କାର ଅଫର ଦେଇଥିବାବେଳେ ଏବୁଲିଏଣ୍ଟ ସିକ୍ୟୁରିଟି ଏବଂ ଆଇଏମସି ଟ୍ରେଡିଂ ପରି କମ୍ପାନୀ ୧.୩ କୋଟି ଟଙ୍କାରରୁ ଅଧିକ ଅଫର ଦେଇଥିଲେ।
ପ୍ଲେସମେଣ୍ଟର ପ୍ରଥମ ଦିନରେ କ୍ୱାଲକମ୍,ମାଇକ୍ରୋସଫ୍ଟ ଗୋଲ୍ଡମ୍ୟାନ, ବାଜାଜ ଅଟୋ, ଓଲା ଇଲେକ୍ଟ୍ରିକ ପରି ବଡ଼ ବଡ଼ କମ୍ପାନି ଅଂଶଗ୍ରହଣ କରିଥିଲେ। ପ୍ରଥମରୁ ହାଇ ପ୍ୟାକେଜ ପ୍ଲେସମେଣ୍ଟ ଆରମ୍ଭ ହୋଇଥିଲେ ହେଁ ଏହା ସମଗ୍ର ପ୍ଲେସମେଣ୍ଟର ଗ୍ୟାରେଣ୍ଟି ଦିଏନି। ତଥାପି ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷର ପ୍ଲେସମେଣ୍ଟ ସଫଳତା ବେଶ୍ ଆଶାଜନକ ରହିଛି।
ଆଇଆଇଟି ମାଡ୍ରାସର ଅଧିକାରୀମାନେ ଛାତ୍ରଙ୍କର ଏପରି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ପ୍ରକାର ନିଯୁକ୍ତି ସୁଯୋଗ ସଂସ୍ଥାନର ନାମକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ତେବେ ଚଳିତ ପ୍ଲେସମେଣ୍ଟ ସିଜିନରେ ଅନ୍ୟ କୌଣସି କମ୍ପାନି ଆଇଆଇଟିରେ ଏହି ରେକର୍ଡ ସୃଷ୍ଟିକାରୀ ଅଫର ପାଖରେ ପହଞ୍ଚିବେ କି ଏହି ରେକର୍ଡକୁ ଭାଙ୍ଗିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।
Tags: #IITMadras #Student #HighPackageJob #JaneStreet #USA