ଓଡ଼ିଶାଲାଇଭ୍ ବ୍ୟୁରୋ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଝିଅ ସାରାଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସାରା ତେନ୍ଦୁଲକର ଏବେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଇଛନ୍ତି। ଏନେଇ ସଚିନ ସୋସିଆଲ ମିଡିଆରେ ସେୟାର କରି ସାରାଙ୍କର ଫଟୋ ମଧ୍ୟ ସେୟାର କରଛନ୍ତି।
ଏହି ଫଟୋରେ ସାରା କିଛି ଛୋଟ ଛୋଟ ପିଲାଙ୍କ ଗହଣରେ ଆଲୋଚନା କରୁଥିବା ନଜରକୁ ଆସିଛନ୍ତି। ଏହି ଫଟୋରେ ସେ ନିଜର ନୂଆ ଦାୟିତ୍ୱକୁ ନେଇ ବେଶ ଖୁସିଥିବା ପରି ମନେ ହେଉଛି।
ସଚିନ ଓ ପତ୍ନୀ ଅଞ୍ଜଳି ୨୦୧୯ରେ ସଚିନ ତେନ୍ଦୁଲକର ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ। ପଛୁଆ ତଥା ସୁଯୋଗରୁ ବଞ୍ଚିତ ହେଉଥିବା ପିଲାମାନଙ୍କ ଶିକ୍ଷା, ଖେଳ, ସ୍ୱାସ୍ଥ୍ୟ ଉପରେ ଏହି ଅନୁଷ୍ଠାନ ବିଶେଷ ଗୁରୁତ୍ୱ ଦେଇଥାଏ। ଶିଶୁରୋଗ ବିଶେଷଜ୍ଞ ତଥା ସମାଜସେବୀ ସାରା ଏବେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇବେ।
୨୭ ବର୍ଷୀୟ ସାରା କ୍ଲିନିକାଲ ଆଣ୍ଡ ପବ୍ଲିକ ହେଲ୍ଥ ନ୍ୟୁଟିଶନରେ ଲଣ୍ଡନ ୟୁନିଭର୍ସିଟି କଲେଜରୁ ମାଷ୍ଟର ଡିଗ୍ରୀ କରିଛନ୍ତି। ସାରାଙ୍କର ଏପରି ନିଷ୍ପତ୍ତିରେ ସଚିନ ବେଶ୍ ଖୁସି ଥିବା ଜଣାପଡ଼ିଛି। ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ଶିକ୍ଷା କେମିତି ଘରେ ପରିବର୍ତ୍ତନ ଆଣିପାରେ ଏହା ତାହାର ଉଦାହରଣ। ସାରା ନିଜେ ଏହି ଫାଉଣ୍ଡେସନର ଲକ୍ଷ୍ୟକୁ ନେଇ ଖୁବ ଆଗ୍ରହୀ। ଅନ୍ୟାନ୍ୟ କାମ ସହ ଗ୍ରହଣଖଣ୍ଡିଆ ପିଲାମାନଙ୍କର ଚିକିତ୍ସା କରାଇବା ଏହି ଅନୁଷ୍ଠାନରେ ଲକ୍ଷ୍ୟ।”
ସାରା ତେନ୍ଦୁଲକର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ। ଏଠାରେ ତାଙ୍କର ୭.୩ ମିଲିଅନ ଫଲୋଅର ଅଛନ୍ତି। ନିକଟରେ ସେ ନିଜ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ପ୍ରଥମ ଟୁର ସମୟର ଏକ ଫେଟୋ ଇନଷ୍ଟାରେ ସେୟାର କରିଥିଲେ। ଅର୍ଜୁନ ଗତ ସେପ୍ଟେମ୍ବରରେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ନିକଟରେ ଆଇପିଏଲ ୨୦୨୫ ପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ହୋଇଛନ୍ତି।
ଯାହା ବି ହେଉ ତେନ୍ଦୁଲକର ଫ୍ୟାମିଲି ନିଜ ପାରିବାରିକ ପରିଚୟକୁ ଆଗେଇ ନେବାକୁ ଆଗେଇ ଆସିଛନ୍ତି। ଅର୍ଜୁନ କ୍ରିକେଟକୁ ଫେରିଥିବାବେଳେ ସାରା ସଚିନଙ୍କ ଫାଉଣ୍ଡେସନରେ ଯୋଗ ଦେଇ ସମାଜସେବାକୁ ଆପଣେଇଛନ୍ତି।
Tags: #SachinTendulkar #SaraTendulkar #SachinTendulkarFoundation #Mumbai