ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଛି। ଭୁବନେଶ୍ବର ଲୋକସେବା ଭବନରେ ବୁଧବାର ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମବାୟ ସମିତିଗୁଡ଼ିକର ଉଦଘାଟନ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୨୭୧୧ଟି ପ୍ରାଥମିକ କୃଷି ସମବାୟ ସମିତି ଥିବାବେଳେ ଏବେ ଏହାର ସଂଖ୍ୟା ୪୨୫୩ରେ ପହଞ୍ଚିଛି। ରାଜ୍ଯରେ କୃଷି କ୍ଷେତ୍ରର ବିକାଶରେ ଏହା ସହାୟକ ହେବ ବୋଲି ରାଜ୍ଯ ସରକାର ଆଶା ରଖିଛନ୍ତି।

“ଓଡ଼ିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ରାଜ୍ଯରେ ମୋଟ ଫସଲ ଋଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ। କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରାଳୟ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ ରାଜ୍ଯରେ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ। ଏଥିରେ ୫୪ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ପ୍ରାଥମିକ କୃଷି ସମବାୟ ସମିତିର ଆଧୁନିକୀକରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆମେ ୭୭ଟି ପ୍ରାଥମିକ କୃଷି ସମବାୟ ସମିତିକୁ ମଡେଲ୍ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯୋଜନା କରିଛୁ। ଏଠାରେ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ।”

ସେ ଆହୁରି ମଧ୍ୟ କହିଛନ୍ତି, “ଆମ ରାଜ୍ୟର ଶତକଡ଼ା ୯୦ ଭାଗରୁ ଅଧିକ କୃଷି ପରିବାରର ସଭ୍ୟମାନଙ୍କୁ ସମବାୟ ସମିତିଗୁଡ଼ିକ ମାଧ୍ୟମରେ ପ୍ରାଥମିକ କୃଷି ଋଣ ଓ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି। ଓଡ଼ିଶାର ଚାଷୀମାନେ ୧ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଫସଲ ଋଣ ପାଉଛନ୍ତି। ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ସ୍ରୋତରେ ପରିଣତ କରିବା ପାଇଁ ଆମର ଲକ୍ଷ୍ୟ।”

୨୦୧୫ ମସିହାରୁ ବନ୍ଦ ହୋଇ ପଡ଼ିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ।

ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟମାନଙ୍କୁ ମାଇକ୍ରୋ ଏଟିଏମ୍ ଓ ରୁପେ କାର୍ଡ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗର କମିଶନର ତଥା ସଚିବ ରାଜେଶ ପ୍ରଭାକର ପାଟିଲ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ନାବାର୍ଡର ଉପ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଜୟ କୁମାର ସୁଦ ପ୍ରମୁଖ ଯୋଗ ଦେଇଥିଲେ।

Tags: #CooperativeSociety #Agriculture #Farmers #PACS #Odisha

LEAVE A REPLY

Please enter your comment!
Please enter your name here