ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସମୟରେ ଭାରତରେ ଫେକ୍ ନ୍ୟୁଜ୍ ମାମଲା ବୃଦ୍ଧି ପାଇବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏନେଇ ଏକ ହୋଇଥିବା ଏକ ସର୍ଭେରେ ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ଏ ବାବଦରେ ଠୋସ୍ ଗ୍ରହଣ କରିବା ନେଇ ପରାମର୍ଶ ଦିଆଯାଇଛି।
ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍ (ଆଇଏସବି) ଏବଂ ସାଇବରପିସ୍ ଦ୍ଵାରା ଫେକ୍ ନ୍ୟୁଜ୍ ବିଷୟରେ ଏହି ସର୍ଭେ କରାଯାଇଥିଲା। ସୋସିଆଲ ମିଡିଆରେ ହିଁ ଫେକ୍ ନ୍ୟୁଜର ଅଧିକ ପ୍ରସାର ହେଉଥିବା ସର୍ଭେରେ କୁହାଯାଇଛି।
ଏହି ଅଧ୍ୟୟନରେ ଉପଭୋକ୍ତାଙ୍କ ଆଚରଣ ଏବଂ ଧାରଣାକୁ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଭୁଲ ସୂଚନା କିପରି ବ୍ୟାପିଥାଏ ଏବଂ ଭାରତୀୟ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟକ ମିଥ୍ୟା ଖବରର ବିଶ୍ଳେଷଣ କରାଯିବା ପରେ ଏକ ଉଦବେଗଜନକ ଧାରା ସାମ୍ନାକୁ ଆସିଥିଲା।
ସର୍ଭେର ପ୍ରମୁଖ ଫଳାଫଳ
ଭାରତରେ ରାଜନୈତିକ ମିଥ୍ୟା ଖବର ସବୁଠାରୁ ଅଧିକ ମାତ୍ରାରେ ପ୍ରସାରିତ ହୋଇଥାଏ ବୋଲି ସର୍ଭେରୁ ତଥ୍ୟ ମିଳିଛି। ଯାହା କି ସମୁଦାୟ ମାମଲାର ୪୬ ପ୍ରତିଶତ। ଏହା ବାଦ୍ ସାଧାରଣ ପ୍ରସଙ୍ଗରେ ଫେକ୍ ନ୍ୟୁଜ ୩୩ ପ୍ରତିଶତ ଥିବାବେଳେ ଧାର୍ମିକ ମାମଲାରେ ଭୁଲ ସୂଚନା ୧୬.୮ ପ୍ରତିଶତ ରହିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଭୁଲ ସୂଚନା ବା ମିଥ୍ୟା ଖବରର ପ୍ରମୁଖ ଉତ୍ସ ଭାବରେ ଉଭା ହୋଇଛି। ଯାହା ୭୭.୪ ପ୍ରତିଶତ ମାମଲା ପାଇଁ ଦାୟୀ। ଏହା ତୁଳନାରେ ମୁଖ୍ୟସ୍ରୋତର ଗଣମାଧ୍ୟମର ଅଂଶ ମାତ୍ର ୨୩ ପ୍ରତିଶତ ରହିଛି।
ସାମୂହିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଶେଷଜ୍ଞଙ୍କ ଆହ୍ଵାନ
‘ସାଇବରପିସ୍’ର ପ୍ରତିଷ୍ଠାତା ମେଜର ବିନୀତ କୁମାର ଭୁଲ ସୂଚନାର ମୁକାବିଲା ପାଇଁ ଏକ ସହଯୋଗୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, “ମିଥ୍ୟା ଖବର ଓ ଭୁଲ ସୂଚନା ବିରୋଧରେ ଲଢ଼େଇ ପାଇଁ ସାମୂହିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସରକାର ଓ ସଂଗଠନ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦରକାର, କିନ୍ତୁ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।”
ଆଇଏସବି ଇନଷ୍ଟିଚ୍ୟୁଟ୍ ଅଫ୍ ଡାଟା ସାଇନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ମନୀଷ ଗଙ୍ଗୱାର କିନ୍ତୁ ଭିନ୍ନ ମତ ବ୍ୟକ୍ତ କରିଛନ୍ତି। ସେ ବୈଷୟିକ ସମାଧାନ, ଗଣମାଧ୍ୟମ ସାକ୍ଷରତା ବୃଦ୍ଧି ଏବଂ ଉନ୍ନତ ରିପୋର୍ଟିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଥିବା ଏକ ବ୍ୟାପକ ରଣନୀତିର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି।
ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରତିବଦ୍ଧତା
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ଦୃଢ଼ ବିତର୍କ ଏବଂ ନୂତନ ଉଦ୍ଭାବନ ମାଧ୍ୟମରେ ଫେକ୍ ନ୍ୟୁଜ୍ ଏବଂ ‘ଡିପ୍ ଫେକ୍’ର ମୁକାବିଲା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଉତ୍ତରଦାୟୀ କରିବା ଉପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଦୃଢ଼ ଆଇନଗତ ଢାଞ୍ଚାର ବିକାଶ ପାଇଁ ସେ ମତ ଦେଇଥିଲେ।
ସ୍ୱାଧୀନତା ଏବଂ ଦାୟିତ୍ୱର ସନ୍ତୁଳନ ରକ୍ଷା
ମିଥ୍ୟା ସୂଚନାର ମୁକାବିଲା ପାଇଁ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତାକୁ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ମଧ୍ୟ ମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହ ଡିଜିଟାଲ ଯୁଗରେ ସଠିକ ବିବରଣୀ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
Tags: #FakeNews #DeepFake #CyberSecurity #DigitalInfrastructure #India